
ନୂଆଦିଲ୍ଲୀ, (ପିଆଇବି) : ଭାରତର ଷ୍ଟାର୍ଟଅପ୍ ବିପ୍ଳବ ବର୍ତ୍ତମାନ କେବଳ ଏକ ଆର୍ଥିକ ବ୍ୟାପାର ହୋଇ ରହିନାହିଁ, ଏହା ରାଷ୍ଟ୍ର ନିର୍ମାଣର ଉପକରଣ ପାଲଟିଛି । ଏହା ପରବର୍ତ୍ତୀ ଶତାବ୍ଦୀ ପାଇଁ ଭାରତର ସାମର୍ଥ୍ୟ ବୃଦ୍ଧି କରିବା ସହିତ ନୂଆ ସୁଯୋଗ ଏବଂ ଆତ୍ମବିଶ୍ୱାସ ବଢ଼ାଉଛି । ଏହା ଜାତୀୟ ପ୍ରତିଷ୍ଠାନଗୁଡ଼ିକର ପୁନଃନିର୍ମାଣ କରିବା ସହିତ ସୁଯୋଗର ବିକେନ୍ଦ୍ରୀକରଣ ଏବଂ ଦୈନନ୍ଦିନ ଜୀବନରେ ନୂଆ ଉଦ୍ଭାବନକୁ ପ୍ରୋତ୍ସାହନ ଦେଉଛି । ଏଥିସହିତ ବିକଶିତ ଭାରତ 2047ର ସଂକଳ୍ପକୁ ସାକାର କରିବା ଲାଗି ଦେଶର ସାମର୍ଥ୍ୟକୁ ସୁଦୃଢ଼ କରୁଛି ।
ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକ ସଂସ୍ଥାଗତ ଦୃଢ଼ତା ଏବଂ ଶିଳ୍ପ ବିକାଶ ଦିଗରେ ଯୋଗଦାନ ଦେଉଛନ୍ତି । ଏହା ଏକଦା ବିଦେଶ ଉପରେ ନିର୍ଭରଶୀଳ ଥିବା ଭାରତକୁ ବର୍ତ୍ତମାନ ଜାତୀୟ ଉତ୍ପାଦନ ଇକୋସିଷ୍ଟମରେ ପରିଣତ କରିଛି । ଦେଶରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇଛି । ଘରୋଇ କ୍ଷେତ୍ରର ଅଂଶଗ୍ରହଣ ବଢ଼ିବା ସହିତ 462ଟି କମ୍ପାନୀକୁ 788ଟି ଶିଳ୍ପ ଲାଇସେନ୍ସ ପ୍ରଦାନ କରାଯାଇଛି । ବର୍ତ୍ତମାନ ଦେଶର ମୋଟ ପ୍ରତିରକ୍ଷା ଉତ୍ପାଦନରେ ଘରୋଇ କ୍ଷେତ୍ର ପ୍ରାୟ 23% ଯୋଗଦାନ ଦେଉଥିବା ବେଳେ ଏହି କ୍ଷେତ୍ରରେ 16,000 ଏମଏସଏମଇ କାର୍ଯ୍ୟରତ ଅଛନ୍ତି । ଆତ୍ମନିର୍ଭରତା ଏବେ ଦେଶବ୍ୟାପୀ ଆନ୍ଦୋଳନ ପାଲଟିଛି । 2014ରେ ଭାରତରେ ଡିଫେନ୍ସ ଷ୍ଟାର୍ଟଅପଗୁଡ଼ିକର ପ୍ରାୟତଃ ଅସ୍ତିତ୍ୱ ନଥିବା ବେଳେ ବର୍ତ୍ତମାନ ଦେଶରେ ଏକ ହଜାରରୁ ଅଧିକ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି । ବିଦେଶୀ ଜିପିଏସ ପରିବର୍ତ୍ତେ ଭାରତର ନିଜସ୍ୱ କ୍ୱାଣ୍ଟମ୍ ପୋଜିସନିଂ ସିଷ୍ଟମ (କ୍ୟୁପିଏସ) ବିକଶିତ କରିଛି। ଭାରତୀୟ କ୍ୱାଣ୍ଟମ୍ ଡିପଟେକ୍ ଷ୍ଟାର୍ଟଅପ୍ ସଂସ୍ଥା କ୍ୟୁବିଟ୍ସ ତିନି ନିୟୁତ ଡଲାର ଅନୁଦାନ ସହିତ ନୌସେନା ପାଇଁ ଏହି ପ୍ରଯୁକ୍ତି ବିକଶିତ କରୁଛି । ଭାରତୀୟ ସେନା ଏବେ ସମ୍ପୂର୍ଣ୍ଣ ସ୍ୱଦେଶୀ ଡ୍ରୋନ ପ୍ରଣାଳୀ ବ୍ୟବହାର କରୁଛି ଯାହାର ଉଦାହରଣ ଅପରେସନ ସିନ୍ଦୂର ସମୟରେ ଦେଖିବାକୁ ମିଳିଥିଲା। ସୌର ଚାଳିତ ନିରୀକ୍ଷଣ ଡ୍ରୋନ ବିକଶିତ କରିବା ଲାଗି ବେଙ୍ଗାଲୁରୁର ନ୍ୟୁସ୍ପେସ୍ ରିସର୍ଚ୍ଚ ଏଣ୍ଡ ଟେକ୍ନୋଲୋଜି ଭାରତୀୟ ସେନା ସହ 168 କୋଟି ଟଙ୍କାର ଚୁକ୍ତି କରିଛି । ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂଖ୍ୟା 2014ରେ ମାତ୍ର ଗୋଟିଏ ଥିବା ବେଳେ ବର୍ତ୍ତମାନ ଏହି କ୍ଷେତ୍ରରେ 382ରୁ ଅଧିକ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି। ବେଙ୍ଗାଲୁରୁର ପିକ୍ସେଲ୍ ଷ୍ଟାର୍ଟଅପ୍ ଦେଶର ପ୍ରଥମ ବାଣିଜ୍ୟିକ ଉପଗ୍ରହ ବିକଶିତ କରିଛି। ସେହିପରି ଗାଲାକ୍ସ ଆଇଜ୍ ର ‘ମିଶନ ଦୃଷ୍ଟି’ ଦେଶକୁ ବିଶ୍ୱର ପ୍ରଥମ ମଲ୍ଟି ସେନ୍ସର ଭୂ-ନିରୀକ୍ଷଣ ଉପଗ୍ରହ ଦେଇଛି। ଇଣ୍ଡିଆ ଏଆଇ ମିଶନ୍ ଅଧୀନରେ ସର୍ବମ୍ ଏଆଇ ନାମକ ଷ୍ଟାର୍ଟଅପ୍ 2025ରେ ଦେଶର ପ୍ରଥମ ନିଜସ୍ୱ ଏଲଏଲଏମ ବିକଶିତ କରିଥିଲା। ସରକାର ଏଆଇ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଲାଗି 38 ହଜାରରୁ ଅଧିକ ଜିପିୟୁ କାର୍ଯ୍ୟକ୍ଷମ କରିଛନ୍ତି, ଏହାଦ୍ୱାରା ଷ୍ଟାର୍ଟଅପ୍ ଗୁଡ଼ିକୁ ଘଣ୍ଟା ପ୍ରତି ମାତ୍ର 65 ଟଙ୍କାରେ ରିହାତିଯୁକ୍ତ ଆକ୍ସେସ୍ ମିଳିପାରୁଛି ।
ସରକାର ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଜରିଆରେ ନେତ୍ରସେମି ଷ୍ଟାର୍ଟଅପକୁ ଚିପ୍ ଡିଜାଇନ ପାଇଁ 107 କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେଇଛନ୍ତି। ଏହି ସଂସ୍ଥା ସ୍ମାର୍ଟ ଭିଜନ, ସିସିଟିଭି ଏବଂ ଆଇଓଟି ଆପ୍ଲିକେସନ ପାଇଁ ଚିପ୍ ବିକଶିତ କରୁଛି। 2021ରେ ସରକାର ମ୍ୟାପିଂ ନୀତିକୁ କୋହଳ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା କୃଷି, ପ୍ରଶାସନ ଏବଂ ଭିତ୍ତିଭୂମି କ୍ଷେତ୍ରରେ ନୂତନ ଉଦ୍ଭାବନକୁ ପ୍ରୋତ୍ସାହିତ କରୁଛି। ବାୟୋ ଟେକ୍ନେଲୋଜି କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ସରକାର ବିଆଇଆରଏସି ନେଟୱର୍କ ଅଧୀନରେ 75 ବାୟେନେଷ୍ଟ କେନ୍ଦ୍ର 19 ଇ-ୟୁବା କେନ୍ଦ୍ର ବିକଶିତ କରିଛନ୍ତି। ଏହା 3 ହଜାରରୁ ଅଧିକ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପକୁ ସହାୟକ ହୋଇଛି। ଏବେ ସୁଦ୍ଧା ଇନକ୍ୟୁବେଟର୍ସ ମାନେ 13ଶହରୁ ଅଧିକ ଆଇପି ଦାଖଲ କରିଛନ୍ତି ଏବଂ 8ଶହରୁ ଅଧିକ ଉତ୍ପାଦ ବଜାରକୁ ଛଡ଼ାଯିବାର ବିଭିନ୍ନ ପର୍ଯ୍ୟାୟରେ ରହିଛି । ସରକାର ଇନ୍ସପେକ୍ଟର ରାଜକୁ ସମାପ୍ତ କରି ନୂତନ ଉଦ୍ଭାବନର ନୂଆ ସୁଯୋଗ ଆରମ୍ଭ କରିଛନ୍ତି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଷ୍ଟାର୍ଟଅପ୍ଗୁଡ଼ିକୁ ନିୟାମକ ବ୍ୟାପାରରେ ଛନ୍ଦି ନଦେଇ ବରଂ ରାଷ୍ଟ୍ର ନିର୍ମାତା ଭାବେ ସ୍ୱୀକୃତି ଦିଆଯାଇଛି ।