ପଦାରେ ପଡିଲା ବ୍ଲକ ପ୍ରଶାସନର ଅବହେଳା : ଜରାଜୀର୍ଣ୍ଣ ଘରେ ରାତ୍ରୀଯାପନ ବେଳେ କାନ୍ଥ ଭାଙ୍ଗି ଜଣେ ମୃତ, ୪ ଗୁରୁତର

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଦେଉଲଗାଁ ଗ୍ରାମ ପଂଚାୟତ ଘୁନଘୁଟିପାଲି ଗ୍ରାମରେ ଗତକାଲି ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡି ଜଣେ ମୃତ ହୋଇଥିବା ବେଳେ ୪ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ଅନୁଯାୟୀ, ଘୁନଘୁଟିପାଲି ଗ୍ରାମର ଶୋଭାବନ ବାରଲେଣ୍ଡିଆଙ୍କ ପରିବାର ତାଙ୍କ ଚାଷ ଜମିରେ ରହୁଥିବା ବେଳେ ଗତକାଲି ସନ୍ଧ୍ୟାରେ ଗାଁରେ ଥିବା ତାଙ୍କ ସମ୍ପର୍କୀୟ ଘରକୁ ଶନିମେଳା ଦେଖିବାକୁ ଆସିଥିଲେ । ଲଗାଣ ବର୍ଷା ଯୋଗୁଁ ସେମାନେ ଫେରି ନପାରି ଗାଁରେ ଥିବା ତାଙ୍କ ପରିତ୍ୟକ୍ତ ଘରେ ଶୋଇ ପଡିଥିଲେ । ଘର ଦୁର୍ବଳ ଅବସ୍ଥାରେ ଥିବା ବେଳେ ଗତ ୨ ଦିନ ହେଲା ଲଗାଣ ବର୍ଷା ଯୋଗୁଁ କାନ୍ଥ ଦୁର୍ବଳ ହୋଇ ସକାଳ ଭୋର ୪.୩୦ ମି. ସମୟରେ ସେମାନଙ୍କ ଉପରେ ଭୁଷୁଡ଼ି ପଡିଯାଇଥିଲା । ଗ୍ରାମବାସୀ ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ମାଟି କାଢି ସେମାନଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ହିଁ ଝିଅ ଦୀପା ବାରଲେଣ୍ଡିଆ (୧୯)ଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଶୋଭାବନ (୫୦), ତାଙ୍କ ସ୍ତ୍ରୀ ସତ୍ୟଭାମା ବାରଲେଣ୍ଡିଆ (୪୫), ପୁଅ ଦୀପକ ବାରଲେଣ୍ଡିଆ (୧୫) ଏବଂ ଦିର୍ଜ୍ୟୁ ବାରଲେଣ୍ଡିଆ(୧୦) ଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଡାକ୍ତରଖାନାକୁ ଅଣାଯାଇଥିଲା । ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଏବଂ ସମିତି ସଭ୍ୟ ଜୟନ୍ତ କୁମ୍ଭାର ପାଟଣାଗଡ ଡାକ୍ତରଖାନାରେ ଉପସ୍ଥିତ ରହି ସେମାନଙ୍କ ଚିକିତ୍ସା କରାଇଥିଲେ । ଖବର ପାଇ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ପାଟଣାଗଡ ଡାକ୍ତରଖାନାକୁ ତୁରନ୍ତ ପହଂଚି ସେମାନଙ୍କ ଅବସ୍ଥା ସମ୍ପର୍କରେ ବୁଝିଥିଲେ ଏବଂ ସମସ୍ତ ସରକାରୀ ସାହାଯ୍ୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ଚିକିତ୍ସା ପଠାଯାଇଥିଲା । ଘଟଣାସ୍ଥଳକୁ ପାଟଣାଗଡ ତହସିଲଦାର ଡ.ପୁଷ୍ପାଞ୍ଜଳୀ ପଣ୍ଡା ଏବଂ ଥାନାଅଧିକାରୀ କେ. ପ୍ରିୟଙ୍କା ରାଉତରାୟ ପହଂଚି ଭାଙ୍ଗି ଯାଇଥିବା ଘର ଦେଖିବା ସହ କ୍ଷତିପୂରଣ ପାଇଁ ଆକଳନ କରି ତୁରନ୍ତ ରିପୋଟ ପ୍ରସ୍ତୁତ କରିବାକୁ ଆରଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ଅଂଚଳରେ ଗରିବ ଶ୍ରେଣୀର ଲୋକମାନଙ୍କୁ ସରକାରୀ ସୁବିଧା ଯଥା ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଉନଥିବା ବେଳେ ବଡବଡିଆ ଲୋକଙ୍କୁ ଖାଲି ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ବୋଲି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଶୀଘ୍ର ପୀଡିତ ପରିବାରଙ୍କୁ ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଦାବୀ ଜଣାଇଥିଲେ । ମୃତ ଦୀପା ଶରୀରକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ଏଠାରେ ସୁଚନା ଯୋଗ୍ୟ ଯେ ବିଧାୟକଙ୍କ ଖପ୍ରାଖୋଲ ବ୍ଲକ ପ୍ରତିନିଧି ପଂଚୁଦେବ ସାହୁଙ୍କ ପରିବାର ସଦସ୍ୟ ପାଇଁ ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରି ୫ଟି ଆବାସ ଗୃହ ପାଇଥିଲେ । କିନ୍ତୁ ପାଟଣାଗଡ ବ୍ଲକ ଦେଉଳ ଗାଁ ପଂଚାୟତରେ ବିଧାୟକଙ୍କ ସମର୍ଥିତ ସରପଂଚ ଥିଲେ ସୁଦ୍ଧା ଏଠାକାର ଗରିବ ଦାଦନ ପରିବାରମାନେ ବିିପଦସଙ୍କୁଳ ଅବସ୍ଥାରେ ଥିଲେ ସୁଦ୍ଧା ନା ବ୍ଲକ ପ୍ରଶାସନ, ନା ବିଧାୟକ ନା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆଖିକୁ ଦେଖା ଯାଇଛି । ଏଭଳି ଦୟନୀୟ ଅବସ୍ଥାରେ ଘର ଥାଇ ଆବାସ ଯୋଜନାରୁ ବଂଚିତ ବାରଲେଣ୍ଡିଆ ପରିବାରର ଜଣେ ସଦସ୍ୟଙ୍କ ଶୌଚନୀୟ ମୃତ ହେବା ପରେ ସରକାରୀ ଯୋଜନାର ସଫଳ ରୂପାୟନ ହେବ ନା ଆଗକୁ ଏଭଳି କେତେ ପରିବାରର ଜୀବନ ଦୀପ ବାଜି ଲାଗିବ, ତାହା ଆଗାମୀ ଦିନରେ ଜଣାପଡିବ ।

Leave A Reply

Your email address will not be published.