ନୂଆଁଖାଇ ଓ ଗଣେଶ ପୂଜା ପାଇଁ ଲାଗୁ ହେଲା ନୂଆ ନିୟମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଓ ଗଣେଶ ପୂଜା ସମୟରେ କରୋନାର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣକୁ ଯେପରି ଆଉ ନ ବଢେ଼ ତା’ ପାଇଁ ନୂତନ ନିୟମ ଜାରି କରିଛନ୍ତି । ଏହି ନିୟମଗୁଡ଼ିକ ଅଗଷ୍ଟ ୨୧ରୁ ୨୪ ତାରିଖ ଗଣେଶ ପୂଜା ଓ ନୂଆଁଖାଇ ପର୍ଯ୍ୟନ୍ତ ସାରା ଜିଲ୍ଲାରେ ଜାରି ରହିବ । ଏହି ନିୟମାବଳୀରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଏହି ସମୟରେ ସାମାଜିକ ଭିଡ଼କୁ ବାରଣ କରାଯାଇଛି । ଗଣେଶ ପୂଜା ସମୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ଏହାକୁ ଛାତ୍ରଛାତ୍ରୀମାନେ ନିଜ ଘରେ ପାଳନ କରି ପାରିବେ । ସେହିପରି ଏହି ସମୟରେ କୌଣସି ସାମାଜିକ ସଂଗଠନ ପୂଜନୋତ୍ସବର ଆୟୋଜନ କରି ପାରିବ ନାହିଁ । କେବଳ ଯେ ଯାହାର ଘରେ ନୀତିକାନ୍ତ ସହ ଗଣେଶଙ୍କୁ ପୂଜା କରି ପାରିବେ । ସେହିପରି ନୂଆଁଖାଇ ପାଇଁ ମଧ୍ୟ କୌଣସି ଗୋଷ୍ଠୀ ଭୋଜିଭାତ କିମ୍ବା କାର୍ଯ୍ୟକ୍ରମ ଆୟୋଜନ କରା ଯାଇପାରିବ ନାହିଁ । ଆହୁରି ପରଦିନ ଥିବା ଛାଡ଼ଖାଇ କିମ୍ବା ନୂଆଁଖାଇ ଭେଟଘାଟକୁ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ବାରଣ କରାଯାଇଛି । କୌଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକଙ୍କ ଭିଡ଼କୁ ମନା କରାଯାଇଛି । ଏହି ନିୟମାବଳୀକୁ ଉଲଂଘନ କଲେ ଆଇନ ଅନୁସାରେ ଦଣ୍ଡବିଧାନ ରହିଛି ।

Leave A Reply

Your email address will not be published.