ppurohit

ପଶ୍ଚିମ ଓଡିଶାର ପ୍ରାଚୀନ କୀର୍ତ୍ତି ନୃସିଂହନାଥ ମନ୍ଦିରକୁ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଟଣା ମହାରାଜ ବୈଜଳ ଦେବଙ୍କ ଦ୍ୱାରା ୧୩ ଶହ ଶତାଦ୍ଦୀରେ ନିର୍ମିତ ପଶ୍ଚିମ ଓଡିଶାର ପ୍ରାଚୀନ କୀର୍ତ୍ତି ନୃସିଂହନାଥ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗକୁ ହସ୍ତାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨ ଦିନ ହେଲା କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟର ଅତିରିକ୍ତ ଅଧିକ୍ଷକ ପ୍ରତାପ କୁମାର ନାୟକ, ଅତିରିକ୍ତ ପ୍ରତ୍ନତତ୍ତ୍ବବିତ ଡା. ଅନୁରିମା ପତି, ଫଟୋଗ୍ରାଫର ସୁଶ୍ରୀ ପ୍ରିୟଦର୍ଶନୀ କର, ନୃସିଂହନାଥ ମନ୍ଦିରଠାରେ ଅବସ୍ଥାନ କରି ମନ୍ଦିର ତଦାରଖ କରିବା ସହ ସମସ୍ତ ତଥ୍ୟ, ଫଟୋଗ୍ରାଫ ସଂଗ୍ରହ କାର୍ଯ୍ୟରେ ଲାଗିଛନ୍ତି । ନୃସିଂହନାଥ ମନ୍ଦିର ଓଡ଼ିଶାର ଏକ ପ୍ରାଚୀନ କିର୍ତ୍ତୀ ହୋଇଥିବାରୁ ଓ ଏହାର ରକ୍ଷଣାବେକ୍ଷଣର ଆବଶ୍ୟକତା ଥିବାରୁ ଏହି ମନ୍ଦିରର ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଅନେକ ଦିନରୁ ଦାବୀ ହୋଇ ଆସୁଥିଲା । ଗତ ଥର ପ୍ରଦୀପ ପୁରୋହିତ ବିଧାୟକ ଥିବା ବେଳେ ବିଧାନ ସଭାରେ ମଧ୍ୟ ଏ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନୃସିଂହନାଥ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଇତି ମଧ୍ୟରେ ରାଜ୍ୟ ସରକାର ନୃସିଂହନାଥ ମନ୍ଦିରକୁ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଲିଖିତ ପ୍ରସ୍ତାବ ଦେବା ପରେ କେନ୍ଦ୍ର ସରକାର ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ନେବା ଉଦ୍ଦେଶ୍ୟରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନୃସିଂହନାଥରେ ଆଜି ଆସିଥିବା ଏହି ୩ ଜଣିଆ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀମାନଙ୍କ ସହ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଜେପି ଜିଲ୍ଲା ଉପସଭାପତି ସରୋଜ ସାମଲ, ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ସତ୍ୟନାରାୟଣ ବେହେରା, ରାଜେନ୍ଦ୍ର ସେଠ ଏ ସଂପର୍କରେ ବିଶଦ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଖୁବ କମ୍‌ ଦିନ ଭିତରେ ନୃସିଂହନାଥ ମନ୍ଦିରର ସମସ୍ତ ତଥ୍ୟ ନୂଆଦିଲ୍ଲୀ ସ୍ଥିତ ଏଏସ୍‌ଆଇ (ARCOLOGCAL SURVEY OF INDIA)ର ମହାନିର୍ଦ୍ଦେଶକଙ୍କଠାରେ ଦାଖଲ କରାଯିବ ବୋଲି ଅତିରିକ୍ତ ଅଧିକ୍ଷକ ପ୍ରତାପ କୁମାର ନାୟକ ପ୍ରତିନିଧି ମଣ୍ଡଳୀଙ୍କ ଠାରେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.