କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଧାରଣ ଜନତାଙ୍କ ସ୍ୱାର୍ଥରେ ଏବଂ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । କୋଭିତ-୧୯ ପଜିଟିଭ୍ କେଶର ପୁନରୁଥାନ ଏବଂ ଦେଶ ଓ ରାଜ୍ୟ ତଥା ଜିଲ୍ଲା ଗୁଡ଼ିକର ବିଭିନ୍ନ ଭାଗରେ ଓମିକ୍ରନ୍ କେସ୍ ବୃଦ୍ଧିକୁ ଦୃଷ୍ଟିରେ ରଖି, କୋଭିଡ-୧୯ ମହାମାରୀ ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶାବଳୀ ଅନୁସାରେ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବଳରେ ଏବଂ ଓଡ଼ିଶା ବିପର୍ଯ୍ୟୟ ନିୟମ ୨୦୧୦ର ନିୟମ ୮(୧) ଅନୁଯାୟୀ କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଡା. ବୃନ୍ଦା ଡି. ବିଭିନ୍ନ ଆଦେଶ ଅନୁପାଳନରେ ତା ୭/୧/୨୦୨୨ରିଖ ପୂର୍ବାହ୍ନ ୫ଟା ଠାରୁ ତା ୧/୨/୨୦୨୨ରିଖ ପୂର୍ବାହ୍ନ ୫ଟା ପର୍ଯ୍ୟନ୍ତ ନିମ୍ନଲିଖିତ ସର୍ତ୍ତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି । ଯୁକ୍ତ ୨ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ବନ୍ଦ ରହିବ । କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ଅନ୍ଲାଇନ୍ କ୍ଲାସ କରାଯାଇପାରିବ । ସେହିପରି ଶିକ୍ଷାନୁଷ୍ଠାନ ଗୁଡ଼ିକ ବହୁତ କମ୍ ସଂଖ୍ୟକ ପିଲାଙ୍କୁ ନେଇ ଡାଉଟ୍ କ୍ଲିୟରିଂ କ୍ଲାସ୍ କରିପାରିବେ ଏବଂ ସେଥିପାଇଁ ସେମାନଙ୍କର ଅଭିଭାବକଙ୍କର ସମ୍ମତି ଆବଶ୍ୟକ । ସମସ୍ତ ପରୀକ୍ଷା ଚାଲୁ ରହିବ । ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ସମସ୍ତ ଦୋକନ ବଜାର ସକାଳ ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ଖୋଲା ରଖାଯାଇପାରିବ । କେବଳ ଦୁଇଟା ଡୋଜ୍ ଟିକା ନେଇଥିବା ଲୋକମାନଙ୍କୁ ଦୋକନ ବଜାର ଯିବାକୁ ଅନୁମତି ଦିଆଯିବ । ୧୦୦ ବର୍ଗ ଫୁଟ ଜାଗା ବିଶିଷ୍ଟ ଦୋକାନରେ ଏକକାଳୀନ ୪ ଜଣରୁ ଅଧିକ ଗ୍ରାହକଙ୍କୁ ଜିନିଷ କିଣିବାକୁ ବାରଣ କରାଯାଇଛି । ସାମାଜିକ/ଧାର୍ମିକ ସମାବେଶରେ କଟକଣା ଲାଗୁ କରାଯାଇଛି । ସେହିପରି ବହୁସଂଖ୍ୟାରେ ସମାବେଶ, ଏକତ୍ରୀକରଣକୁ ବାରଣ କରାଯାଇଛି । ରାଜନୈତିକ କ୍ରୀଡ଼ା ଏକାଡେମିକ୍ ସମାରୋହ ଆଦିରେ ଅତିବେଶିରେ ୧୦୦ଜଣ କୋଭିଡ୍ ନିୟମ ମାନି ଏକାଠି ହୋଇପାରିବେ । କୌଣସି ପିଟିସନ୍ କିମ୍ବା ସ୍ମାରକ ପତ୍ର ଦେବା ପାଇଁ ଅସୁଥିବା ଅତି ବେଶୀରେ ୫ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ରାଲି, ଶୋଭାଯାତ୍ରା, ପ୍ରଦର୍ଶନ, ଧାରଣା, କୌଣସି ପ୍ରକାରର ଧର୍ମଘଟକୁ ଅନୁମତି ଦିଆଯିବ ନାହିଁ । ଯେ କୌଣସି ସ୍ଥାନରେ ବି ପିକ୍ନିକ, ସାଂସ୍କୃତିକ ଏବଂ ନାଚ ଗୀତ କାର୍ୟ୍ୟକ୍ରମ ହୋଇପାରିବ ନାହିଁ । ଧାର୍ମିକ ଅନୁଷ୍ଠାନ ମାନଙ୍କରେ ପୂଜକଙ୍କୁ ମିଶାଇ ୪ଜଣଙ୍କୁ କୋଭିତ-୧୯ ନିୟମ ମାନି ପ୍ରବେଶ ପାଇଁ ଅନୁମତି ଦିଆଯିବ । ବସ୍ ଟ୍ୟାକ୍ସି ଇତ୍ୟାଦିର କଣ୍ଡକ୍ଟର ଓ ଚାଳକ ସୁନିଶ୍ଚିତ କରିବା ଦରକାର ଯେ, ସେମାନଙ୍କ ସହିତ ଯାତ୍ରୀମାନେ ସମ୍ପୂର୍ଣ୍ଣ ଯାତ୍ରା ସମୟରେ ମାସ୍କକୁ ଠିକ୍ରେ ପିନ୍ଧିଛନ୍ତି । ଗାଡ଼ି ମାଲିକ ଗାଡ଼ିରେ ଥର୍ମାଲ ସ୍କାନିଂ ଓ ସାନିଟାଇଜର୍ ବ୍ୟବସ୍ଥା କରିବା ଆବଶ୍ୟକ । ଯାତ୍ରୀମାନଙ୍କୁ ବସାଇବା ପୂର୍ବରୁ ଥର୍ମାଲ ସ୍କାନିଂ ଓ ସାନିଟାଇଜ୍ କରିବା ନିହାତି ଜରୁରୀ । ଜିଲ୍ଲାର ସମସ୍ତ ସହରାଞ୍ଚଳରେ ପ୍ରତ୍ୟହ ରାତ୍ର ୯ ଟାରୁ ପରବର୍ତ୍ତୀ ଦିବସର ପ୍ରତ୍ୟୁଷ ୫ଟା ପର୍ୟ୍ୟନ୍ତ ରାତ୍ରୀକାଳୀନ କାର୍ଯ୍ୟଜାରୀ କରାଯାଇଛି । ଜରୁରୀ ଆବଶ୍ୟକତା ଥିଲେ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ରାତ୍ରୀକାଳୀନ କର୍ଫୁ ସମୟରେ ଗାଡ଼ି ଚଳାଚଳ କରିପାରିବେ । କେତେଗୁଡ଼ିଏ ଗୁରୁତ୍ୱ ବିଭାଗ ଛଡ଼ା ଅନ୍ୟ କାର୍ଯ୍ୟାଳୟକୁ ଗୁଡ଼ିକ ଶତକଡ଼ା ୫୦ ଭାଗ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ।କୋଭିଡ୍-୧୯ ନିରାପଡା ପ୍ରୋଟୋକଲ୍ ଉଲ୍ଲଂଘନ କ୍ଷେତ୍ରରେ, ସ୍ଥାନୀୟ କର୍ତ୍ତୃପକ୍ଷ ବିପର୍ୟ୍ୟୟ ପରିଚାଳନା ଅଧିନିୟମ ୨୦୦୫ ସମେତ ପ୍ରାସଙ୍ଗିକ ଆଇନ ଅନୁଯାୟୀ ଅପରାଧିକ କାର୍ଯ୍ୟାନୁଷ୍ଠାନ ସମେତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଓଡ଼ିଶା କୋଭିଡ-୧୯ ନିୟମ ଅନୁଯାୟୀ ସମସ୍ତ ମାଜିଷ୍ଟ୍ରେଟ ପୋଲିସ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ଉପରୋକ୍ତ ପଦକ୍ଷେପ ଗୁଡ଼ିକୁ କଠୋର ଭାବରେ ଲାଗୁ କରିବାକୁ କ୍ଷମତା ଦିଆଯାଇଛି ।