ଓଡ଼ିଶା ପ୍ରସିକ୍ୟୁସନ୍‌ ସର୍ଭିସ ଆସୋସିଏସନ୍‌ର ନିର୍ବାଚନ ଫଳାଫଳ ଘୋଷିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପ୍ରସିକ୍ୟୁସନ୍‌ ସର୍ଭିସ ଆସୋସିଏସନ୍‌ର ନିର୍ବାଚନ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ଆଇ. ସି. ଏମ୍‌. ଆର୍‌. ଅଡିଟୋରିଅମରେ ସକାଳ ୧୦ଟାରେ ଆୟୋଜିତ ହୋଇଯାଇଛି । ପୂର୍ବରୁ ଗୃହ ବିଭାଗ ତରଫରୁ ସମସ୍ତ ପ୍ରସିକ୍ୟୁଟରମାନଙ୍କୁ ଏହି ସଂଘର ନିର୍ବାଚନରେ ଭାଗ ନେବା ପାଇଁ ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ସ୍ଥାନର ପଦସ୍ଥ ଅଧିକାରୀମାନେ ଏହି ନିର୍ବାଚନରେ ଭାଗ ନେଇ ନିଜର ମତଦାନ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ମହାନ୍ତି ଏହି ନିର୍ବାଚନ ପରିଚାଳନା କରିବା ସହ ରାନୁ ସ୍ୱଭେଦା କୁମାର ଓ ଡି. ଅନୁପ କୁମାର ତାଙ୍କୁ ସହଯୋଗ କରିଥିଲେ । ଆଜିର ଏହି ନିର୍ବାଚନରେ ସଭାପତି ଭାବେ ଭୁବନେଶ୍ୱର ଇ.ଓ.ଡବ୍ଲୁ.ର ବରିଷ୍ଠ ଆଇନ ପରାମର୍ଶଦାତା ବିଧୁ ଭୂଷଣ ମହାନ୍ତି, ଉପସଭାପତି ଭାବେ ଛତ୍ରପୁରରେ ପଦସ୍ଥ ଥିବା ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ସାଧାରଣ ସମ୍ପାଦକ ଭାବେ କେନ୍ଦୁଝର ଜିଲ୍ଲାର ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ, ଯୁଗ୍ମ ସମ୍ପାଦକ ଭାବେ ହରଭଙ୍ଗାର ଏପିପି ଅଜିତ ପରିଡ଼ା, କୋଷାଧ୍ୟକ୍ଷ ଭାବେ ନିମାପଡ଼ା ଏପିପି ରକେଶ କୁମାର ସାହୁ ନିର୍ବାଚିତ ହୋଇଥିଲେ । ସେହିପରି କାର୍ଯ୍ୟକାରୀ କମିଟିରେ ସାଇ ରଞ୍ଜନ ମହାନନ୍ଦିଆ, ପ୍ରାଚୀ ପ୍ରଭା ନନ୍ଦ, ଅର୍ପିତା ପ୍ରିୟଦର୍ଶିନୀ, ସମ୍ବିତ ଦାଶ, ପ୍ରଶାନ୍ତ ତନ୍ତୀ, ରଶ୍ମିତା ମହାପାତ୍ର, ବିକ୍ରମ ସେଠି ପ୍ରମୁଖ ନିର୍ବାଚିତ ହୋଇଥିଲେ । ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଛତ୍ରପୁର କ୍ୟାଡ଼ର ଏପିପି ଶ୍ରୀ ମିଶ୍ର ରେକର୍ଡ ସଂଖ୍ୟକ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ହରାଇ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିଲେ । ଶୁକ୍ରବାର ଅନୁଷ୍ଠିତ ଏହି ନିର୍ବାଚନ ପରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ସଞ୍ଜୟ ପଧାନ ଓ କାର୍ଯ୍ୟକାରୀ ସମ୍ପାଦକ ଦେବାଶିଷ ମହାକୁଡ଼ ପୂର୍ବ ବର୍ଷର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ପରେ ନିର୍ବାଚନର ସଫଳ ଆୟୋଜନ ପାଇଁ ନିର୍ବାଚନ ଅଧିକାରୀ ସୁବ୍ରତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ନୂତନ ନିର୍ବାଚିତ ଅଧିକାରୀଙ୍କୁ ଶପଥପାଠ କରାଇଥିଲେ ।

Leave A Reply

Your email address will not be published.