ବିଶିଷ୍ଟ ସଂଗଠକ ହରିନାରାୟଣ ପୂଜାରୀ ବିସିସିଆଇରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ବିଶିଷ୍ଟ ସଂଗଠକ, ବଲାଙ୍ଗିର ଜିଲ୍ଲା ସାଂବାଦିକ ସଂଘର ସଭାପତି ତଥା ଡିଡିଏର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ବିସିସିଆଇରେ ସ୍ଥାନ ପାଇ ବଲାଙ୍ଗିରବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ବିସିସିଆଇର ଟୁର୍‌, ଫିକ୍ସର ଆଣ୍ଡ ଟେକ୍‌ନିକାଲ କମିଟିରେ ଶ୍ରୀ ପୂଜାରୀଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ବଲାଙ୍ଗିର ମାଟିର କ୍ରୀଡ଼ାପ୍ରେମୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବଲାଙ୍ଗିର କ୍ରିକେଟ୍‌ ଜଗତ ପାଇଁ ଏହା ଏକ ଅତ୍ୟନ୍ତ ଗର୍ବର ବିଷୟ ବୋଲି ତାଙ୍କ ପ୍ରଶଂସକମାନେ ମତ ଦେଇଛନ୍ତି ।

ଜଣେ ବିଶିଷ୍ଟ କ୍ରୀଡା ସଙ୍ଗଠକ ଭାବେ ବେଶ ପରିଚିତ ହରିନାରାୟଣ ପୂଜାରୀ । ଅନେକ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାବିତଙ୍କୁ ଗଢ଼ି ତୋଳିବାରେ ତାଙ୍କର ମହତ୍‌ ଯୋଗଦାନ ରହିଛି । ପ୍ରାରମ୍ଭରୁ ନବକିଶୋର କ୍ଳବର କ୍ରୀଡା ସଙ୍ଗଠକ ଭାବେ ଉଭାହୋଇ ସନ୍ତୋଷ ସ୍ମାରକୀ ଜାତୀୟ କ୍ରିକେଟ ଟୁର୍ଣାମେଣ୍ଟ ସଫଳ ଭାବେ ଆୟୋଜନ କରି କ୍ରୀଡା ଜଗତରେ ସ୍ୱତନ୍ତ୍ର ପରିଚିତି ପାଇଛନ୍ତି ସେ । ୨୦୦୫ରେ ରାଜ୍ୟସ୍ତରୀୟ କ୍ରୀଡା ମହୋତ୍ସବ ଆୟୋଜନ ସହ କ୍ରିକେଟ ସମ୍ରାଟ କପିଲ ଦେବଙ୍କୁ ବଲାଙ୍ଗିର ମାଟିକୁ ଆଣିବାରେ ଅନ୍ୟତମ ଭୂମିକା ନେଇଥିଲେ । ପରେ ୨୦୦୬ରେ ଜିଲ୍ଲା କ୍ରୀଡ଼ା ସଂସଦରେ ପ୍ରବେଶ କରି ଲଗାତର ୪ଥର ବିଜୟୀ ହୋଇ କ୍ରୀଡାର ବିକାଶରେ ସମର୍ପିତ ହରିନାରାୟଣ । ପରେ ବିଜୟ ହଜାରେ ଟ୍ରଫି, କେ.ସି.ନାଇଡ଼ୁ ଟ୍ରଫି, ରଣଜି ଟ୍ରଫି ଆଦି ସଫଳତାର ସହ ଆୟୋଜନ କରିଛନ୍ତି । ଏହି ସମୟ ମଧ୍ୟରେ ଜାତୀୟ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇଜଣ ଖେଳାଳି ମାଧୁରୀ ମେହେଟ୍ଟା ଓ ରୋସନାରା ପରୱିନ୍ ସାମିଲ ହୋଇଥିବା ବେଳେ ଅନେକ ଓଡିଶା ଦଳରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.