ମୋବାଇଲ ନେଟୱାର୍କ ନାହିଁ : ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଢେ଼ା’

କଳାହାଣ୍ଡି, (କେପିଏନ୍ଏସ୍) : ମ. ରାମପୁର ଅନ୍ତର୍ଗତ ଅନେକ ଉପାନ୍ତ ଓ ଆଦିବାସୀ ଅଧୁ୍ୟଷିତ ଗ୍ରାମ ପଞ୍ଚାୟତ ଓ ଗାଁ ଅଛି ଯେଉଁଠି ମୋବାଇଲ ନେଟୱାର୍କ ସାତ ସପନ । ମାଣିକେରା ଗ୍ରା.ପ. ଅନ୍ତର୍ଗତ ଉପର ନୂଆଁଗାଁ, ତଳ ନୂଆଁଗାଁ, ମାର୍ଦ୍ଧାଯୋର, କମଗାଁ, ବାଜାମୁଣ୍ଡା, ଅସରକୁପା, ଯୁଗେଇ ଭଳି ଅନେକ ଆଦିବାସୀ ଅଧ୍ୟୁଷିତ ଗାଁ ଅଛି, ଯେଉଁଠି ଏ ପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ନାହିଁ । ତଳଗାଁ ଠାରେ ୨୦୨୦ ମସିହାରେ ଏକ ମିନି ବିଏସଏନଏଲ ଟାୱାର ବସିଥିଲେ ବି ଦିନ ଦିନ ଧରି ନେଟୱାର୍କ ଆସୁନାହିଁ । ଫଳତଃ ଏ ଅଂଚଳରେ କରୋନା କଟକଣା ଯୋଗୁଁ ଶିକ୍ଷା ବିଶେଷ ବାଧାପ୍ରାପ୍ତ ହେଉଛି । ଗାଁରୁ ୭ କି.ମି. ଦୂର ମୋହନଗିରି ଗଲେ ହିଁ ନେଟୱାର୍କ ଉପଲବ୍ଧ ହୋଇପାରୁଛି । ବିଦ୍ୟୁତ ସରବରାହ ମଧ୍ୟ ବାରମ୍ବାର ବ୍ୟାଘାତ ହେଉଛି । ଘରେ ବସି ପାଠ ପଢ଼ିବା କିମ୍ବା ମୋବାଇଲରେ ପଢ଼ିବା ଏଠାରେ ସମ୍ଭବପର ହୋଇ ପାରୁନାହିଁ । ଆଦିବାସୀ ଓ ଗରିବ ଜନସାଧାରଣ ହୋଇଥିବାରୁ ସମସ୍ତଙ୍କ ଘରେ ଟିଭି. କିମ୍ବା ଏନଡ୍ରଏଡ଼ ମୋବାଇଲ ନାହିଁ । କେବଳ ଏତିକି ନୁହେଁ, ମୋହନଗିରି, ମାଣିକେରା, ଦେଢ଼ଶୁଲି, ଲୁବେନଗଡ଼, ସିଂହପୁର ଗ୍ରା.ପ. ଅଧୀନସ୍ଥ ଅନେକ ଗାଁରେ ଏ ପର୍ଯ୍ୟନ୍ତ ମୋବାଇଲ୍ ନେଟୱାର୍କ, ବିଦ୍ୟୁତ କିମ୍ବା ଗମନାଗମନର ସୁବିଧା ନାହିଁ ।
ଅଂଚଳର ଜନସାଧାରଣ ଏଥି ସକାଶେ ଯୋଗାଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏଣୁ ଏ ଅଂଚଳର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଏହାର ବିହିତ ପଦକ୍ଷେପ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି ।
ସଂପୃକ୍ତ ଅଂଚଳର ଛାତ୍ରଛାତ୍ରୀଙ୍କ ମୁହଁରୁ


ମାର୍ଚ୍ଚ ମାସ ୨୫ ତାରିଖରୁ ମୁଁ ଘରେ ଅଛି । ତଳ ନୂଆଁଗାଁରେ ଏକ ମିନି ବିଏସଏନଏଲ ମୋବାଇଲ ଟାୱାର ଥିଲେ ବି ବାରମ୍ବାର ଫେଲ ହେଉଛି । ଫଳତଃ ମୋବାଇଲରେ ପାଠପଢ଼ା ବ୍ୟାଘାତ ହେଉଛି । ଦିନ ଦିନ ଧରି ମୁଁ ପଢ଼ି ପାରୁନାହିଁ । ବିଶ୍ୱବିଦ୍ୟାଳୟ ସହ ସଠିକ ଭାବେ ଯୋଗାଯୋଗ ହୋଇ ପାରୁନାହିଁ ।
ସତ୍ୟବ୍ରତ ପନ୍ଦର, ଏମଏ, ୨ୟ ବର୍ଷ, ଉକ୍ରଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର


ଲକ ଡାଉନ୍ ଦିନରୁ ଗାଁରେ ଅଛି । ନେଟୱାର୍କ ଅସୁବିଧା ଯୋଗୁଁ ମୋ’ ପଢ଼ାପଢ଼ିରେ ଘୋର ଅସୁବିଧା । ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ ପାଇଁ ୭ କିମି. ବାଟ ଯିବାକୁ ପଡ଼ୁଛି । ଆମ ଅଂଚଳରେ ମୋବାଇଲ ନେଟୱାର୍କ ସ୍ଥାପନ ହେବା ନିହାତି ଦରକାର ।
ବିଶ୍ୱଜିତ ଧରୁଆ, ଏମଏସସି, ୨ୟ ବର୍ଷ, ଏଏମଆଇଟି, ଖୋର୍ଦ୍ଧା


କରୋନା କଟକଣା ଯୋଗୁଁ ଘରେ ରହିଛି । ପଢ଼ାପଢ଼ିରେ ଘୋର ଅସୁବିଧା ହେଉଛି । ମୋବାଇଲରେ ନେଟୱାର୍କ ଆସୁନାହିଁ । ଆମ ଅଂଚଳର ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବିଶେଷ ଭାବେ ବଂଚିତ ହେଉଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।
ଲୀଳା ପାତ୍ର, ଏମଏ, ୨ୟ ବର୍ଷ, କିସ୍, ଭୁବନେଶ୍ୱର


ଲକ ଡାଉନ ଯୋଗୁଁ ଘରେ ରହିଛି । ନେଟୱାର୍କ ଫେଲ ହେତୁ ପଠାପଢ଼ି ଠପ୍ । ଯଥାଶୀଘ୍ର ନେଟୱାର୍କ ବ୍ୟବସ୍ଥା ହେବା ଏକାନ୍ତ ଆବଶ୍ୟକ । ଝରଣା ଧରୁଆ, +୨ ଦ୍ୱିତୀୟ ବର୍ଷ, କିସ୍, ଭୁବନେଶ୍ୱର

Leave A Reply

Your email address will not be published.