ଧରାପଡିଲେ ଏଟିଏମ୍‌ ଲୁଟେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ରାତିରେ ଲୁଟିଥିଲେ, ଗୁରୁବାର ଧରାପଡିଲେ ଏଟିଏମ୍‌ ଲୁଟେରା । ଲୁଟ ୬ଲକ୍ଷ ୬୨ ହଜାର ୮ ଶହ ଟଙ୍କା ଜବତ କଲା ପୋଲିସ । ଲୁଟ୍‌ରେ ବ୍ୟବହୃତ ଗ୍ୟାସ କଟର୍‌ ସହ ଏକ କ୍ରେଟା ଗାଡି ମଧ୍ୟ ଜବତ ହୋଇଥିବା ବଲାଙ୍ଗିର ଏସ୍‌ପି. ରିଷିକେଶ ଖିଲାରୀ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ରାତିରେ ପାଟଣାଗଡ଼ ଥାନା ଅନ୍ତର୍ଗତ ସରମୂହାଣ ସ୍ଥିତ ଏସ୍‌ବିଆଇ ଏଟିଏମ୍‌ରୁ ଗ୍ୟାସ୍‌ କଟର୍‌ ସାହାଯ୍ୟରେ ଏଟିଏମ୍‌ ଭାଙ୍ଗି ପାଖାପାଖି ୭ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୃତ୍ତମାନେ । ପାଟଣାଗଡ଼ ପୋଲିସକୁ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଖବର କରିବା ପରେ ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏହି ଘଟଣାକୁ ନେଇ ଏବେ ପାଟଣାଗଡ ଉପଖଣ୍ଡ ପୋଲିସ ସହ ସାରା ବଲାଙ୍ଗିର ଜିଲ୍ଲା ପୋଲିସ ତତ୍ପର ହୋଇ ଉଠିଥିଲା ଏବଂ ଆରମ୍ଭ ହୋଇଥିଲା ତନାଘନା ତଦନ୍ତ । ତଦନ୍ତ ସମୟରେ ଏହି ଲୁଟ୍‌ ଘଟଣାରେ ଆନ୍ତଃରାଜ୍ୟ ଲିଙ୍କ୍‌ ଥିବା ସୂଚନା ପାଇଥିଲା ବଲାଙ୍ଗିର ପୋଲିସ । ଏହି ମାମଲାରେ ମୋଟ ୬ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ନାଗପୁର ଡିସିପି, ସେଓଲି ମଧ୍ୟପ୍ରଦେଶ ଡିସିପି ତଦନ୍ତରେ ସହଯୋଗ କରିଥିବା ଏସ୍‌ପି ଶ୍ରୀ ଖିଲାରୀ କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଦୁର୍ବୃତ୍ତମାନେ ରାଜସ୍ଥାନରୁ ଆସି ପାଟଣାଗଡ଼ରେ ଲୁଟ୍‌ କରିଥିଲେ । କାବୁ କରିବାରେ ସଫଳ ହେଲା ବଲାଙ୍ଗିର ପୋଲିସ । ଅଭିଯୁକ୍ତମାନଙ୍କଠାରୁ ୬ଟି ମୋବାଇଲ ଫୋନ ଜବତ ହୋଇଛି । ଏହି ୬ ଜଣ ଅପରାଧୀଙ୍କ ପୂର୍ବରୁ ବହୁ ଅପରାଧିକ ମାମଲାର ରେକର୍ଡ ମଧ୍ୟ ରହିଥିବା ବେଳେ ତେଲେଙ୍ଗାନା, ବାଲେଶ୍ୱର, ସମ୍ବଲପୁରରେ ପୂର୍ବରୁ ଅପରାଧ କରିଥିଲେ ଏମାନେ । ଫେକ୍‌ ପୋଲିସ ଆଇକାର୍ଡ ମଧ୍ୟ ଅପରାଧୀଙ୍କ ପାଖରେ ରହିଥିବା କୁହାଯାଇଛି । ତେବେ ଘଟଣା ଦିନ ୩ ଜଣ ଅଭିଯୁକ୍ତ କାର୍‌ରେ ଆସିଥବା ବେଳେ ରାଜସ୍ଥାନରୁ ଆଉ ୩ ଜଣ ଫ୍ଲାଇଟ୍‌ରେ ଆସିଥିଲେ ।

Leave A Reply

Your email address will not be published.