ନିର୍ମାଣ ଶ୍ରମିକମାନଙ୍କୁ ଲେବର କାର୍ଡ ବଣ୍ଟନ କଲେ ଶ୍ରମ ମନ୍ତ୍ରୀ

ଭୁବନେଶ୍ୱର : ନିର୍ମାଣ ଶ୍ରମିକମାନଙ୍କୁ ଲେବର କାର୍ଡ ବଣ୍ଟନ କଲେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ୩୧୪ ବ୍ଲକରେ କରାଯିବ ଲେବର ପଞ୍ଜୀକରଣ । ପ୍ରତି ପଞ୍ଚାୟତକୁ ଯିବେ ଶ୍ରମ ଅଧିକାରୀ । ରାଜ୍ୟରେ ୪୨ ଲକ୍ଷରୁ ଅଧିକ ପଞ୍ଜୀକୃତ ଶ୍ରମିକ ରହିଛନ୍ତି । ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଭୁବନେଶ୍ୱର ଅନ୍ତର୍ଗତ ସୁନ୍ଦରପଦା ସ୍ଥିତ କୁଚିଲାପୁଟରେ ନିର୍ମାଣ ଶ୍ରମିକମାନଙ୍କୁ ଲେବର କାର୍ଡ ବଣ୍ଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଯୋଜନା ବାବଦରେ ଅବଗତ କରିଛନ୍ତି ଯେ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଉପଲବ୍ଧ ଥିବା ସମସ୍ତ “ଜନ ସେବା କେନ୍ଦ୍ର” ଗୁଡିକର ଲାଭ ପାଇବା ପାଇଁ ଅନଲାଇନ ମାଧ୍ୟମରେ www.nirmanshramik.odisha.gov.in ପୋର୍ଟାଲରେ ସିଧାସଳଖ ଲଗ୍ ଇନ୍ କରି ଦରଖାସ୍ତ କରିପାରିବେ । ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ଵାରା ପରିଚାଳିତ ଏହି ଯୋଜନାରେ ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ଅନ୍ତ୍ୟେଷ୍ଟି କ୍ରିୟା ସହାୟତା, ବିବାହ ସହାୟତା ଏବଂ ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯିବ । ଏଥି ସହିତ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଅଣସଂଗଠିତ ଶ୍ରମିକଙ୍କ ସହାୟତା ପାଇଁ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବା ଠାରୁ ଆରମ୍ଭ କରି ଦୁର୍ଘଟଣା ଜନିତ ଅକ୍ଷମତା ପାଇଁ ସହାୟତା ଏବଂ ମୃତ୍ୟୁକାଳୀନ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡକୁ ବାର୍ଷିକ ଅଂଶଦାନକାରୀ କର୍ମଚାରୀଙ୍କର ପିଲାମାନେ ନିର୍ଦ୍ଧାରିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ, ସେମାନଙ୍କୁ ମେଧାବୀ ଛାତ୍ରବୃତ୍ତି ବାବଦରେ ୧ ଲକ୍ଷ ଟଙ୍କା ବୃତ୍ତି ପ୍ରଦାନର ବ୍ୟବସ୍ଥା ମଧ୍ୟ ରାଜ୍ୟ ସରକାର କରିଛନ୍ତି ବୋଲି ମାନନୀୟ ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି । ଯେଉଁ ନିର୍ମାଣ ଶ୍ରମିକମାନେ ପଞ୍ଜୀକରଣ କରିବେ ସେମାନଙ୍କୁ ୨ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ଯାଏ ଶିକ୍ଷା ବୃତ୍ତି ସହାୟତା, ବିବାହ ପାଇଁ ୫୦ ହଜାର, ପ୍ରସୁତୀକାଳିନ ସହାୟତା ୧୦ ହଜାର ଓ ସ୍ଵାଭାବିକ ମୃତ୍ୟୁ ହେଲେ ୨ ଲକ୍ଷ ଓ କାର୍ଯ୍ୟକ୍ଷେତ୍ରରେ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ଏପରିକି ଅନ୍ତ୍ଵେଷ୍ଟିକ୍ତିୟା ସହାୟତା ୫ ହଜାର ଟଙ୍କା ମିଳିବ । ସେହିଭଳି ଆଇଟିଆଇ ଓ ଡିପ୍ଲୋମା ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ କୁସୁମ ଯୋଜନାରେ ସାମିଲ ହେବେ । ନିର୍ମାଣ ଶ୍ରମିକମାନେ ପେନସନ ଯୋଜନା ଓ ଆଶ୍ରୟ ଯୋଜନାରେ ବି ସାମିଲ ହେବେ । ଏହି କାର୍ଡ ମାଧ୍ୟମରେ ଶ୍ରମିକଙ୍କ ପରିଚୟ ହୋଇପାରିବ ଏବଂ ସେମାନଙ୍କୁ ବିଭିନ୍ନ ଯୋଜନାରେ ସୁବିଧା ଯୋଗାଇ ଦିଆଯିବ । ଶ୍ରମ ସଂସାଧନ ବିଭାଗ ପକ୍ଷରୁ ଏହି ଯୋଜନା ପରିଚାଳିତ ହେଉଛି । ସ୍କିଲ୍ ମିଶନ ଅଧୀନରେ ଏହି କାର୍ଡ ପାଇଁ ଆବେଦନ କରି ପାରିବେ ଶ୍ରମିକ । ଏହାଦ୍ୱାରା ସରକାର ପାଖରେ ଶ୍ରମିକଙ୍କ ବାବଦର ସମସ୍ତ ତଥ୍ୟ ରହିପାରିବ । କାର୍ଡ ପାଇବା ପରେ ଶ୍ରମିକଙ୍କୁ ଏକ ରେଜିଷ୍ଟ୍ରେସନ ନମ୍ବର ଦିଆଯିବ । ଏହି ରେଜିଷ୍ଟ୍ରେସନ ନମ୍ବର ମାଧ୍ୟମରେ ସମସ୍ତ ଯୋଜନାର ଲାଭ ପାଇ ପାରିବେ ଶ୍ରମିକ ।

Leave A Reply

Your email address will not be published.