ଚୁଡ଼ାପାଲି, (କେପିଏନ୍ଏସ୍) : ସମୟର ପରିବର୍ତ୍ତନ ସାଙ୍ଗେ ସାଙ୍ଗେ ମଣିଷ ମଧ୍ୟ ତାର ଜୀବନ ଜୀବିକାର ଅଭିବୃଦ୍ଧି ପାଇଁ ପାରିପାର୍ଶ୍ବିକ ଅବସ୍ଥାର ସହିତ ତାଳ ମିଳାଇ ଜୀବନଶୈଳୀର ପରିବର୍ତ୍ତନ କରିଥାଏ । କିନ୍ତୁ ଏମିତି କିଛି ମଣିଷ ଅଛନ୍ତି ସେମାନେ ତାଙ୍କ ଜୀବନଶୈଳୀ ଏପର୍ଯ୍ୟନ୍ତ ଅପରିବର୍ତ୍ତିତ ରଖିଛନ୍ତି ।ଏପରି ଏକ ଜାତି ହେଲେ ଶବର ଜାତି । ସୁଦୂର ଛତିଶଗଡ ରାଜ୍ୟର । ବିଲାସପୁର, ମଟିଆରିର ଅଧିବାସୀ । ଏମାନେ ଜଙ୍ଗଲଜାତ ଦ୍ରବ୍ୟକୁ ନେଇ ଜୀବିକା ନିର୍ବାହ କରୁଥିବା ଜଣାଯାଏ । ନିଜକୁ ଜାରାଶବର ଜାତିର ବୋଲି ଦାବି କରନ୍ତି । ଏବେ ଏମାନେ ଜଙ୍ଗଲରୁ ଖଜୁରୀ ପତ୍ର ସଂଗ୍ରହ କରି ସେଥିରୁ ଝାଡୁ ପ୍ରସ୍ତୁତ କରି ବଞ୍ଚୁଛନ୍ତି । ଛତିଶଗଡରୁ ଆସି ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଝାଙ୍କରପାଲିରେ ଚାରି ମାସ ରହି ଖଜୁରୀପତ୍ର ସଂଗ୍ରହ କରି ସେଥିରୁ ଝାଡୁ ପ୍ରସ୍ତୁତ କରୁଛନ୍ତି । ଯେହେତୁ ଏହି ଅଞ୍ଚଳରେ ଏପ୍ରକାର ଝାଡୁର ବିଶେଷ ଚାହିଦା ନାହିଁ, ତେଣୁ ସେମାନେ ବେପାର ପାଇଁ ରାଜଧାନୀ ଭୁବନେଶ୍ଵର ଚାଲିଯାଆନ୍ତି । ସେଠାରେ ଉତ୍ତରା ଛକ ନିକଟରେ ରାସ୍ତା କଡ଼ରେ ରହି ଝାଡୁ ବିକ୍ରି କରିଥାନ୍ତି । ଦୁଇବର୍ଷ ହେଲା ଏମାନେ ଝାଙ୍କରପାଲି ଆସି ରାସ୍ତା କଡ଼ରେ ରହି କଞ୍ଚାମାଲ ସଂଗ୍ରହ କରୁଛନ୍ତି । ପୂର୍ବରୁ ଲୋଇସିଂହା ବ୍ଲକର କୁସୁମେଲ ଗ୍ରାମକୁ ଆସି କଞ୍ଚାମାଲ ସଂଗ୍ରହ କରୁଥିଲେ । ଏବେ ସେହି ସ୍ଥାନରେ ଲୋୟର ସୁକତେଲ ବିସ୍ଥାପିତଙ୍କ ପାଇଁ ନୂତନ ବସ୍ତି ବସିଥିବାରୁ ଆଉ ଖଜୁରୀପତ୍ର ମିଳୁନଥିବା ଦର୍ଶାଇ ସ୍ଥାନ ପରିବର୍ତ୍ତନ କରିଛନ୍ତି । ଏଠାରେ ରହିବା ସମୟରେ କେବଳ ଚାଲିବା ପାଇଁ ଯତ କିଞ୍ଚିତ ଝାଡୁ ବିକ୍ରି କରିଥାନ୍ତି । ଭୁବନେଶ୍ୱରରେ ପ୍ରାୟ ଚାରିମାସ ରହି ବେପାର କରିଥାନ୍ତି । ଝାଡୁ ପ୍ରତି ୨୦ରୁ ୨୫ଟଙ୍କା ବିକ୍ରି କରିଥାନ୍ତି । ବର୍ଷାଋତୁ ପୂର୍ବରୁ ନିଜ ଘରକୁ ଚାଲିଯାଆନ୍ତି । ବର୍ଷା ସମୟ ପରେ ପୁନର୍ବାର ଏମାନେ ଓଡ଼ିଶାକୁ ଆସିଥାନ୍ତି । ଚାରିଟି ପରିବାରର ୩୦ସଦସ୍ୟ ରହିଥିବା ବେଳେ ଛୋଟ ପିଲାଙ୍କ ସଂଖ୍ୟା ୧୪ । ପିଲାମାନେ ପାଠ ପଢ଼ାରୁ ବଞ୍ଚିତ । ଏହାକୁ ନେଇ ସେମାନେ କହନ୍ତି, ଆମେ ଜାରାଶବର ଜାତି । ଜଙ୍ଗଲ ଆମର ଜୀବନ । ପେଟ ପାଇଁ ଏପରି ନାଟ ଚାଲିଛି । ଗାଁରେ କେବଳ ଘର ଖଣ୍ଡିଏ ରହିଛି । ରୋଜଗାରର ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ । ବାଧ୍ୟ ହୋଇ ଏଠିକୁ ଚାଲିଆସୁଛୁ । ଏମିତି ଦୟନୀୟ ଜୀବନରେ ପିଲାଙ୍କୁ ପାଠ ନ ପଢ଼ାଇ ନିଶ୍ଚିତ ଭାବରେ ଦୁଃଖ ଲାଗୁଛି । ଅନ୍ୟ ବିକଳ୍ପ ପନ୍ଥା ନାହିଁ । ଯଦି ଆମ ଘର ପାଖରେ ଏହି ବ୍ୟବସାୟ ପାଇଁ ସରକାର କିଛି ସୁବିଧା ଉପଲବ୍ଧ କରିପାରନ୍ତେ, ତାହେଲେ ବ୍ୟବସାୟ ସାଙ୍ଗକୁ ପିଲା ପାଠପଢି ଶିକ୍ଷିତ ହୋଇପାରନ୍ତେ । ଜୀବନତମାମ ଏମିତି ରାସ୍ତାକଡ଼ରେ ରହି ଫୁଟପାଥର ଜୀବନ ଆମର ସାର ହୋଇଯାଇଛି ।