ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ଡୁମୁରିପଦର ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣକ ହେଲେ ଡୁମୁରିପଦର ଗ୍ରାମର ଲାଚିଆ ତିଆକାଙ୍କ ଝିଅ ଲକ୍ଷ୍ମୀ ତିଆକା (୧୫) । ସେ ଶୁଲିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ । ଲାଚିଆ ତିଆକାଙ୍କ କହିବା ଅନୁସାରେ ଝିଅ ଲକ୍ଷ୍ମୀ ଗୁରୁବାର ଦିନ ସକାଳୁ ନିଜ ଘରୁ ଖାଇବା ନେଇ ଗୁଡ଼ିଆକୁ କପା ତୋଳିବାକୁ ଯାଇଥିଲେ । ଝିଅ ଘରକୁ ଫେରି ନଥିବାରୁ ବାପା କପା ଗୁଡ଼ିଆକୁ ଯାଇଥିଲେ । ସେଠାରେ ଥିବା କୁଡ଼ିଆରେ ଝିଅ ଲକ୍ଷ୍ମୀ ଓଡ଼ଣୀ ବେକରେ ଲଗାଇ ଝୁଲୁଥିବା ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ତାଙ୍କ ସ୍ତ୍ରୀକୁ ଡାକିଥିଲେ । ପରେ ଗ୍ରାମବାସୀ ଆସି ଲକ୍ଷ୍ମୀଙ୍କ ଝୁଲନ୍ତା ଶବକୁ ଦେଖି ଉଦ୍ଧାର କରି ଗାଁ ମୁଣ୍ଡକୁ ନେଇଥିଲେ । ଉକ୍ତ ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ନୀଳକଣ୍ଠ ବେହେରା, ଏସ୍ଆଇ ଶିବ ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟ ଅନୁଧ୍ୟାନ କରିବା ପରେ ରାୟଗଡା ସାଇଣ୍ଟିଫିକ୍ ଦଳକୁ ଖବର ଦେଇଥିଲେ । ସାଇଣ୍ଟିଫିକ୍ ଦଳ ପହଞ୍ଚି ଘଟଣାର ଟିକିନିଖି ତଦନ୍ତ କରିବା ପରେ ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ । ଏହାର ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Next Post