ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ : ଗାଡ଼ି ଜବତ କଲେ ତହସିଲଦାର

ବାଣପୁର : ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ଚିଲିକା ଅଞ୍ଚଳରେ ପ୍ରତିଦିନ ବେଆଇନ ବାଲି, ମାଟି, ଗୋଡି, ମାଙ୍କଡା ପଥର ଚାଲାଣ କରୁଥିବା ଗାଡିଗୁଡିକ ଉପରେ ଚଢ଼ାଉ କରାଯାଉଛି । ବାଣପୁର ଏବଂ ଚିଲିକା ତହସିଲଦାର ଏହିସବୁ ଗାଡିଗୁଡ଼ିକ ଉପରେ ଚଢାଉ କରି ଜରିମାନା ଆଦାୟ କରୁଛନ୍ତି । ଗତକାଲି ବାଣପୁର ତହସିଲ ପକ୍ଷରୁ ଦୁଇ ଗୋଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରାଯାଇ ସେମାନଙ୍କଠାରୁ ଜରିମାନା ବାବଦରେ ୫୫ ହଜାର ଟଙ୍କା ଆଦାୟ କରାଯାଇଥିଲା । ତେବେ ଆଜି ପୁଣି ବାଣପୁର ତହସିଲଦାର ମନ୍ମଥ ବେହେରା ତହସିଲ ସ୍କ୍ୱାର୍ଡ ଟିମ୍ ସହଯୋଗରେ ସକାଳୁ ତହସିଲର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ମଧ୍ୟାହ୍ନ ସୁଦ୍ଧା ୬ ଗୋଟି ଗାଡ଼ି ଜବତ କରିଛନ୍ତି । ତନ୍ମଧ୍ୟରୁ ୨ ଗୋଟି ମାଙ୍କଡା ପଥର ବୋଝେଇ ଟ୍ରକ, ୨ ଗୋଟି ମାଟି ବୋଝେଇ ଟ୍ରାକ୍ଟର, ୧ ଗୋଟି ମେଟାଲ ବୋଝେଇ ଟିପର ଏବଂ ଗୋଟାଏ ଜେସିବି ଜବତ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା । ସମସ୍ତ ଗାଡ଼ି ବେଆଇନ ଭାବେ ଏହି ସବୁ ଜିନିଷ ଚାଲାଣ କରୁଥିଲେ । ତେବେ ବର୍ତ୍ତମାନ ସମସ୍ତ ଗାଡିଗୁଡିକ ବାଣପୁର ତହସିଲ ପରିସରରେ ଅଛି । ଅନୁରୂପ ଭାବେ ଆଜି ସକାଳେ ଚିଲିକା ତହସିଲଦାର ପୁନମ ମହାପାତ୍ର ବେଆଇନ ଭାବେ ଗୋଡି ଚାଲାଣ କରୁଥିବା ୨ ଗୋଟି ଟ୍ରାକ୍ଟରକୁ କୁହୁଡି ନିକଟରୁ ଜବତ କରିଛନ୍ତି । ଜବତ ହୋଇଥିବା ଟ୍ରାକ୍ଟର ଦୁଇଟି ବର୍ତ୍ତମାନ କୁହୁଡି ଫାଣ୍ଡି ପରିସରରେ ରହିଛି । ଉପଯୁକ୍ତ କାଗଜପତ୍ର ଦେଖାଇବାସହ ଜରିମାନା ପରିମାଣ ଦେଇ ଗାଡ଼ି ମାଲିକମାନେ ସେମାନଙ୍କ ଗାଡ଼ି ମୁକୁଳାଇ ନେଇପାରିବେ ବୋଲି ସୂଚନା ଦେଇଛନ୍ତି ଉଭୟ ବାଣପୁର ଏବଂ ଚିଲିକା ତହସିଲଦାର ।

Leave A Reply

Your email address will not be published.