ଭୁବନେଶ୍ୱର : ନୂଆବର୍ଷ ପ୍ରଥମରୁ ବାଇକ୍ ଆରୋହୀଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ରାଜ୍ୟ ସରକାର ବାଇକ ଚାଳକ ଏବଂ ତାଙ୍କ ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ଡବଲ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ତେବେ ଆପଣମାନେ ପିନ୍ଧୁଥିବା ଏହି ହେଲମେଟ୍ କେତେ ସୁରକ୍ଷିତ ? ଭଲ କ୍ୱାଲିଟି ତଥା ଆଇଏସଆଇ ହଲ୍ମାର୍କ ଥିବା ହେଲମେଟ ଦୁର୍ଘଟଣା ବେଳେ ପ୍ରାୟ ୭୦ ପ୍ରତିଶତ ଯାଏଁ ଜଣେ ବ୍ୟକ୍ତିର ମୁଣ୍ଡକୁ ସୁରକ୍ଷିତ ରଖିବାରେ ସହାୟକ ହେବ । ସର୍ବଦା ଆଇଏସଆଇ ହଲମାର୍କ ଥିବା ହେଲମେଟ୍ ପିନ୍ଧିବାକୁ ଟ୍ରାଫିକ ପୋଲିସ ସୂଚନା ଦେଇଛନ୍ତି, ଯାହାକୁ ନେଇ ଏବେ ଟୁଇଟ କରି ମତ ରଖିଛନ୍ତି ଭୁବନେଶ୍ୱର ଟ୍ରାଫିକ ଡିସିପି । କିଭଳି ହେଲମେଟ ପିନ୍ଧିବାରେ ଜଣେ ସୁରକ୍ଷିତ ରହିପାରିବ ସେ ନେଇ ଟ୍ରାଫିକ ପୁଲିସ ଲୋକଙ୍କୁ ସତର୍କ କରାଇଛି । ସେ ଲୋକଙ୍କୁ ଆଇଏସଆଇ ହେଲମେଟ ପିନ୍ଧନ୍ତୁ ଓ ସୁରକ୍ଷିତ ଯାତ୍ରା କରନ୍ତୁ ବୋଲି ସଚେତନ କରାଇଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ ଗାଡି ଚଲାଇବା ବେଳେ ରୋଡ ସେପ୍ଟି ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହେଲମେଟ ପରିଧାନ କରିବା ଦ୍ୱାରା ଆମେ ସୁରକ୍ଷିତ ରହିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷିତ ରଖିପାରିବା । ଏଥିସହ ଦୁର୍ଘଟଣା ଜନିତ ଆଘାତରୁ ମଧ୍ୟ ରକ୍ଷା ପାଇପାରିବା ବୋଲି ଟ୍ରାଫିକ ପୁଲିସ କହିଛି ।
Prev Post