
- ଆଶୁତୋଷ ନାୟକ
ସୃଷ୍ଟିର ଆରମ୍ବରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ । ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ । ଯେଉଁ ମନୁଷ୍ୟମାନେ ଭଗବାନଙ୍କର ଅସ୍ତିତ୍ୱ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରନ୍ତି ସେମାନେ ଜାଣି ରଖିବା ଉଚିତ ପ୍ରକୃତିର ସୃଷ୍ଟି ବିଜ୍ଞାନର ଅନ୍ତରୁ ହିଁ ଆରମ୍ଭ ହୋଇଥାଏ । ନିଜର ଅର୍ଥ, ବ୍ୟାଙ୍କ ବାଲାନ୍ସ, ପ୍ରତିଷ୍ଠା, କ୍ଷମତା, ସୁନ୍ଦର ଆକର୍ଷଣୀୟ ଚେହେରା ପାଇଁ ଅହଂକାର କରୁଥିବା ମନୁଷ୍ୟ ଆଜି କିନ୍ତୁ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ପ୍ରତି ମୁହୁର୍ତ୍ତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛି ।
ଏକବିଂଶ ଶତାବ୍ଦୀର ମନୁଷ୍ୟ କୃତିମ ବୃଦ୍ଧିମତା ପ୍ରୟୋଗ କରି ଅନେକ ଅସାଧ୍ୟ କର୍ମ ସଂପାଦନ କରୁଛି । କୃତିମ ବୃଦ୍ଧିମତା ଦ୍ୱାରା ଅନେକ ଘାତକ ଦୂରାରୋଗ କ୍ୟାନସର, ହାର୍ଟଷ୍ଟୋକ, ବ୍ରେନଷ୍ଟୋକ, ହାର୍ଟ ଅପେରସନ, କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଇତ୍ୟାଦି ସହଜରେ ଚିକିତ୍ସା କରାଯାଇପାରୁଛି । ବିଭିନ୍ନ ଅତ୍ୟାଧୁନିକ ସାଟେଲାଇଟ, ମିଶାଇଲ ଇତ୍ୟାଦିର ପ୍ରେରଣ ସମ୍ଭବ ହୋଇପାରୁଛି । ଏକବିଂଶ ଶତାବ୍ଦୀର ମନୁଷ୍ୟ ନିଜର ବୃଦ୍ଧି, ବିବେକ, ଜ୍ଞାନ ବଳରେ ବଳୀୟାନ ହୋଇ ବିଜ୍ଞାନ ଦ୍ୱାରା ଅସମ୍ଭବକୁ ସମ୍ଭବ କରୁଛି କିନ୍ତୁ ସବୁ କିଛି ଥାଇ ମଧ୍ୟ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଥିବା ଅଗଣିତ ପ୍ରାଣୀଙ୍କ ମଧ୍ୟରେ ନିଜକୁ ସର୍ବଶକ୍ତିମାନ, ବୃଦ୍ଧିମାନ ପ୍ରାଣୀ ଭାବେ ବିବେଚନା କରୁଥିବା ରକ୍ତମାଂସଧାରୀ ମନୁଷ୍ୟ ପ୍ରକୃତି ପାଖରେ ଅସହାୟ ହୋଇପଡୁଛି ।
ଯେତେବେଳେ କୌଣସି ପ୍ରାକୃତିକ ଦୁର୍ବିପାକ ଯେପରି ଭୂମିକମ୍ପ, ସୁନାମି, ପ୍ରଳୟକାରୀ ବନ୍ୟା, ବାତ୍ୟା, ଘୁର୍ଣ୍ଣିଝଡ଼ ପରି ବିପଦକୁ ସାମନା କରୁଛି ସେତେବେଳେ କୌଣସି ଉପାୟ ନପାଇ ନିଜ ଜୀବନ ବଞ୍ଚାଇବା ପାଇଁ ଈଶ୍ୱରଙ୍କ ପାଖରେ ଆକୁଳ ନିବେଦନ କରୁଛି କାରଣ ସେତେବେଳେ ହିଁ ମନୁଷ୍ୟ ଈଶ୍ୱରଙ୍କ ସତ୍ତା ଉପଲବ୍ଧି କରୁଛି ଯେତେବେଳେ ସେ ବଞ୍ଚିବାର ରାହା ଖୋଜୁଛି । ଈଶ୍ୱରଙ୍କ ଅଦୃଶ୍ୟ ହାତ ବ୍ୟତୀତ ଏ ବିଶ୍ୱବ୍ରହ୍ମାଣ୍ଡରେ ଆଉ କୌଣସି ଶକ୍ତି ମନୁଷ୍ୟକୁ ଭୟଙ୍କର ବିପତ୍ତିରୁ ଉଦ୍ଧାର କରିବାର ସାମର୍ଥ ନାହିଁ ।
ଗୋଟିଏ ସହରରେ ଦୁଇଜଣ ବ୍ୟକ୍ତି ବସବାସ କରୁଥିଲେ । ସେହି ଦୁଇଜଣ ବ୍ୟକ୍ତି ପରମ ବନ୍ଧୁଥିଲେ ଏବଂ ତାଙ୍କ ମଧ୍ୟରେ ନିବିଡ ସମ୍ପର୍କ ଥିଲା । କିନ୍ତୁ ସେ ଦୁଇଜଣ ବନ୍ଧୁଙ୍କ ସ୍ୱଭାବ ବିପରୀତ ଥିଲା । ଜଣେ ପ୍ରଗାଢ଼ ଈଶ୍ୱର ବିଶ୍ୱାସୀ ଥିଲେ ସତ୍ୟ, ନୀତି ନିୟମ, ପରୋଉପକାରୀ, ସ୍ୱାଭିମାନୀ ବ୍ୟକ୍ତିଥିଲେ । କିନ୍ତୁ ସେ ସୁଦାମାଙ୍କ ପରି ଅତ୍ୟନ୍ତ ଦରିଦ୍ର ବ୍ରାହ୍ମଣ ଥିଲେ । ସେ ପୂଜାପାଠ କରି ବହୁକଷ୍ଟରେ ନିଜର ପରିବାର ପୋଷଣ କରୁଥିଲେ । ଆଉ ଜଣେ ବ୍ୟକ୍ତି ନାସ୍ତିକ ଥିଲେ । ସେ ଈଶ୍ୱରଙ୍କୁ କଦାପି ବିଶ୍ୱାସ କରୁନଥିଲେ ଏବଂ ମନ୍ଦିରପରି ଧାର୍ମିକ ସ୍ଥଳକୁ କେବେବି ଯାଉନଥିଲେ । ସେ ବହୁତ ଅହଙ୍କାରୀ ଥିଲେ । ତାଙ୍କ ପାଖରେ ଅମାପ ସମ୍ପତ୍ତି, ପୁଳା ପୁଳା ଟଙ୍କା ଥିଲା । ସେ ଅର୍ଥକୁ ନିଜର ସବୁକିଛି ମନେ କରୁଥିଲେ ଆଉ ସଦାସର୍ବଦା କହୁଥିଲେ ଅର୍ଥ ଦ୍ୱାରା ସବୁକିଛି କରିପାରିବେ ସବୁ ଅସମ୍ଭବ କାର୍ଯ୍ୟକୁ ଚୁଟିକି କରିପାରିବେ । ପୁଳା ପୁଳା ଟଙ୍କା, ବାଣ୍ଟି ବାଣ୍ଟି ସମ୍ପତ୍ତି ମୋହରେ ଅନ୍ଧ ହୋଇ ସେ ନିଜର ଅନ୍ତରଙ୍ଗ ଦରିଦ୍ର ବନ୍ଧୁଙ୍କୁ ସଦାସର୍ବଦା ଉପହାସ କରୁଥିଲେ ଏବଂ କହୁଥିଲେ ଈଶ୍ୱରଙ୍କ ସତ୍ତା କିଛି ନାହିଁ ଏ ଦୁନିଆରେ, ନିଜର ବାହୁବଳ, ଅର୍ଥବଳ, କ୍ଷମତା ପ୍ରୟୋଗ କରି ସେ ସବୁକିଛି କରିପାରିବେ ।
ଧନୀ ବ୍ୟକ୍ତିଙ୍କର ଦୁଇପୁତ୍ର ଥିଲେ । ସେମାନେ ସଦାସର୍ବଦା ନିଶାଗ୍ରସ୍ତ ରହୁଥିଲେ, ସୋମରସ ପାନ କରି ଆମିଷ ଭକ୍ଷଣ କରି ମଉଜ ମଜଲିସରେ ନିଜର ସମୟ ଅତିବାହିତ କରୁଥିଲେ । ସେମାନେ ଅତ୍ୟନ୍ତ ବିଶୃଙ୍ଖଳିତ, ଉଗ୍ର, ଗର୍ବୀ ଥିଲେ । ସେ ଦରିଦ୍ର ବ୍ରାହ୍ମଣ ବ୍ୟକ୍ତିଙ୍କର ଗୋଟିଏ ପୁତ୍ରଥିଲେ । ସେ ଚିତ୍ରକଳାରେ ନିପୁଣ ଥିଲେ । ଜଗନ୍ନାଥ ମହାପ୍ରଭୁ ସାନିଧ୍ୟ ପାଇବା ପାଇଁ ନିଜର ପିତାଙ୍କ ପରି ସେ ମଧ୍ୟ ସଦାସର୍ବଦା ଧ୍ୟାନଗ୍ରସ୍ତ ରହୁଥିଲେ । କିଛିଦିନର ସମୟ ଅତିକ୍ରାନ୍ତ ହେଲାପରେ ଦିନେ ମହାପ୍ରଭୁ କାଳିଆ ସାଆନ୍ତଙ୍କ କୃପାଦୃଷ୍ଟି ସେ ଦରିଦ୍ର ବ୍ରାହ୍ମଣଙ୍କ ପୁତ୍ର ଉପରେ ପଡ଼ିଲା । ଦରିଦ୍ର ବ୍ରାହ୍ମଣର ପୁତ୍ର ଶୋଇଥିବା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କର ସ୍ୱପ୍ନାଦେଶ ହେଲା ନିଜର ଚିତ୍ରକଳା ମାଧ୍ୟମରେ ବିଭିନ୍ନ ଦେବାଦେବୀଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରି ଅର୍ଥ ଉପାର୍ଜନ କରିବା ପାଇଁ । ନିଦରୁ ଉଠିଲାପରେ ସେ କାଳବିଳମ୍ବ ନକରି ନିଜର ପିତାଙ୍କ ସହ ସ୍ୱପ୍ନାଦେଶ ବିଷୟରେ ଆଲୋଚନା କଲା ଏବଂ ପିତାଙ୍କର ନିର୍ଦ୍ଦେଶରେ ବିଭିନ୍ନ ଦେବାଦେବୀଙ୍କର ପ୍ରତିମୂର୍ତ୍ତି ନିର୍ମାଣରେ ଲାଗିଗଲେ । ମହାପ୍ରଭୁ ଜଗନ୍ନାଥଙ୍କର ଅଦୃଶ୍ୟ ହାତ ସଦାସର୍ବଦା ତାଙ୍କ ଉପରେ ରହିଛି ବୋଲି ତାଙ୍କର ପ୍ରଗାଢ଼ ବିଶ୍ୱାସଥିଲା । ସେଥିପାଇଁ ଅଳ୍ପଦିନ ମଧ୍ୟରେ ଚିତ୍ରକଳା ବିଦ୍ୟାରେ ସେ ପାରଙ୍ଗମ ହୋଇଯାଇଥିଲେ ଏବଂ ବିଭିନ୍ନ ଦେବାଦେବୀଙ୍କର ପ୍ରତିମୂର୍ତ୍ତି ତାଙ୍କ ପାଖରୁ ନେବା ପାଇଁ ଦେଶବିଦେଶରୁ ଅନେକବ୍ୟକ୍ତି ଆସୁଥିଲେ । ସେ ଚିତ୍ରକଳା ବିଦ୍ୟା ମାଧ୍ୟମରେ ଯାହାବି ଅର୍ଥ ଉପାର୍ଜନ କରୁଥିଲେ ସେଥିରୁ ଅଧିକାଂଶ ଅର୍ଥ ତାଙ୍କ ସହରରେ ଗୋଟିଏ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣରେ ବିନିଯୋଗ କରିଥିଲେ ।
ଏହିପରି କିଛିବର୍ଷ ଅତିକ୍ରାନ୍ତ ହେଲାପରେ ଦିନେ ସେ ଦରିଦ୍ର ବ୍ରାହ୍ମଣ ପରିବାର ସହିତ ଅଲୌକିକ ଘଟଣା ଘଟିଲା । ଦିନେ ପ୍ରାତଃ ସମୟରେ “ଭିକ୍ଷାମ୍ ଦେହି” ର ଶବ୍ଦ ଦରିଦ୍ର ବ୍ରାହ୍ମଣ ପରିବାର ସଦସ୍ୟଙ୍କ କର୍ଣ୍ଣରେ ଗୁଞ୍ଜରିତ ହେଲା । ସେମାନେ ସପରିବାର ବାହାରକୁ ଆସି ଦେଖିଲେ ଜଣେ ସନ୍ୟାସୀ ଭଗବାନ ହନୁମାନଙ୍କ ମନ୍ଦିର ନିର୍ମାଣ ପାଇଁ କିଛି ଅର୍ଥର ସହାୟତା ଲୋଡିଥିଲେ । ସନ୍ୟାସୀଙ୍କ କଥା ଶୁଣି ବ୍ରାହ୍ମଣ ଏବଂ ତାଙ୍କର ପୁତ୍ର କାଳବିଳମ୍ବ ନକରି ତାଙ୍କ ପାଖରେ ସଞ୍ଚିତ ଥିବା କିଛି ଅର୍ଥରାଶି ସେ ସନ୍ୟାସୀଙ୍କୁ ପ୍ରଦାନ କରିଥିଲେ । ସେହି ସମୟରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିତ ହେଲା । ସେ ସହରରେ ଭୟଙ୍କର ଭୂମିକମ୍ପ ଦୃଶ୍ୟମାନ ହେଲା । ଭୂମିକମ୍ପର ତ୍ରିବତା ଏତେମାତ୍ରାରେ ଥିଲାଯେ, ସେ ସହରରେ ଥିବା ସମସ୍ତ ବିଶାଳକାୟ ସୁରମ୍ୟ ଅଟ୍ଟାଳିକା, ଅନେକ ଗୃହ, ଏପରିକି ସେ ଧନୀ ବ୍ୟକ୍ତିଙ୍କ ବିଶାଳ ସାମ୍ରାଜ୍ୟ ମଧ୍ୟ ତାସର ଘର ପରି ଭାଙ୍ଗି ଚୁରମାର ହୋଇଯାଇଥିଲା । ଧନୀ ବ୍ୟକ୍ତିଙ୍କ ପରିବାରର ସମସ୍ତ ସଦସ୍ୟ ଜୀବନଦୀପ ଲିଭିଯାଇଥିଲା ଏବଂ ତା ସହିତ ଗୃହର ସମସ୍ତ ଆସବାସ ପତ୍ର, ମୂଲ୍ୟବାନ ବସ୍ତୁ, ଜୀବନବ୍ୟାପି ସଞ୍ଚିଥିବା ସମସ୍ତ ଅର୍ଥ ଆଖି ପିଛୁଳାକେ ମାଟିରେ ମିଶିଗଲା । ହାତଗଣତି କିଛି ବ୍ୟକ୍ତିଙ୍କୁ ଛାଡିଦେଲେ ସହରରେ ଅଧିକାଂଶ ବ୍ୟକ୍ତିଙ୍କର ଭୂମିକମ୍ପରେ ପ୍ରାଣହାନୀ ଘଟିଥିଲା ଆଉ ଅନେକ ପଙ୍ଗୁ ହୋଇଯାଇଥିଲେ ।
ସେ ଦରିଦ୍ର ବ୍ରାହ୍ମଣ ପରିବାର ଭୂମିକମ୍ପର କରାଳ ରୂପ ଦେଖି ହତବାକ ହୋଇଯାଇଥିଲେ । ସେ ରହୁଥିବା ବାସସ୍ଥାନ ମାଟିରେ ମିଶିଯାଇଥିଲେ ମଧ୍ୟ ତାଙ୍କ ପରିବାର ସମସ୍ତ ସଦସ୍ୟଙ୍କ ମୂଲ୍ୟବାନ ଜୀବନ ସୁରକ୍ଷିତ ଥିଲା । ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଯେ, ସନ୍ୟାସୀ ବେଶରେ ଆସି ଭୂମିକମ୍ପ ପରି ଭୟଙ୍କର ବିପତ୍ତିରୁ ଦରିଦ୍ର ବ୍ରାହ୍ମଣ ପରିବାରର ସମସ୍ତ ସଦସ୍ୟାଙ୍କୁ ଉଦ୍ଧାର କରିଛନ୍ତି । ଏହା ସେମାନେ ଭଲଭାବରେ ବୁଝିଯାଇଥିଲେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ତାଙ୍କର ବିଶ୍ୱାସ ଆହୁରି ପ୍ରଗାଢ଼ ହୋଇଯାଇଥିଲା । ଯୁଗେ ଯୁଗେ ଏହା ପ୍ରମାଣିତ ମହାପ୍ରଭୁ କାଳିଆ ସାଆନ୍ତ ନିଜର ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ କେତେବେଳେ କେଉଁ ରୂପରେ କାହା ମାଧ୍ୟମରେ ଆସିଥାନ୍ତି, ଏହା ବୁଝିବା ସାଧାରଣ ମନୁଷ୍ୟ ପକ୍ଷରେ ଅସମ୍ଭବ । ସେଥିପାଇଁ କୁହାଯାଏ
” ଭକତ ତ ମାତା ପିତା ଭକତ ତ ବନ୍ଧୁ,
ଭକତ ନିମନ୍ତେ ତୋର ନାମ କୃପାସିନ୍ଧୁ” ।
ଗୋପାଳପୁର,ବାଲେଶ୍ୱର
ମୋବାଇଲ-୭୦୨୦୬୧୧୩୦୦
