ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହରିଶଙ୍କରଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଶ୍ରଦ୍ଧାଳୁମାନେ ରାତି ୨ଟାରୁ ଉଠି ସ୍ନାନାଦି ଶେଷ କରି ଘର ଆଗରେ, ଚଉରାମୂଳେ ମୁରୁଜ ପକାଇ ପୂଜାର୍ଚ୍ଚନା ସାରି ଡଙ୍ଗା ଭସାଇଥିବାର ଦେଖିବାକୁ ମିଳିଛି । ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପବିତ୍ର ତୀର୍ଥସ୍ଥଳୀ ହରିଶଙ୍କରଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ପାପ ନାଶିନୀ ଝରଣାରେ ସ୍ନାନ କରି ସମସ୍ତ ଶ୍ରଦ୍ଧାଳୁ ଡ଼ଙ୍ଗା ଭସାଇ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । କାର୍ତ୍ତିକ ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖାଯାଏ । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି । କୁହାଯାଏ ଯେ, ଏହି ପାଞ୍ଚଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ସେ ଯାହା ହେଉନା କାହିଁକି ଏହି ମାସର ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

Leave A Reply

Your email address will not be published.