କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଦୁଇ ଏସ୍‌ଓଜି ଯବାନ ଗୁରୁତର

ବାଲିଗୁଡା : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କିଛି ଦିନର ନୀରବତା ପରେ ପୁଣି ପୁଲିସ – ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । କୁମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି ଦୁଇ ଏସ୍‌ଓଜି ଯବାନ । ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ଜଙ୍ଗଲରେ ଏସ୍‌ଓଜି ଯବାନମାନେ କୁମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀମାନେ ପୁର୍ବରୁ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା । ଫଳରେ ଜଣେ ଏସ୍‌ଓଜି ଯବାନ ଅମୀୟ ରଞ୍ଜନ ଦାସଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ ୍‌ବାନ ପ୍ରଶାନ୍ତ କୁମାର ଜେନା ଆହତ ହୋଇଥିବା ଜଣାପଡ଼ିଛି । ଦୁଇ ଯବାନଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଯବାନଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ଏବଂ ଆହତ ଯବାନଙ୍କୁ କନ୍ଧମାଳ ଜିଲ୍ଲା ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । କମ୍ବିଂ ଅପରେସନ ବେଳେ ସମ୍ପୃକ୍ତ ସ୍ଥାନରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରୀ ରହିଥିଲା । କୌଣସି ମାଓବାଦୀ ମୃତାହତ ହୋଇଥିବା ନେଇ ଖବର ମିଳିନାହିଁ । ସେପଟେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ତରଫରୁ ଅପରେସନକୁ ଜୋରଦାର କରାଯାଇଛି । ପ୍ରକାଶ ଯେ, ଏକ ସପ୍ତାହ ପୂର୍ବେ ବୌଦ୍ଧ-କନ୍ଧମାଳ ସୀମାନ୍ତରେ ମାଓବାଦୀ ଯବାନ ମୁହାଁମୁହିଁ ହୋଇଥିଲେ । ଏହା ପରେ ପୁଲିସ ଡିଜି କନ୍ଧମାଳ ଆସି ମାଓ ସମୀକ୍ଷା କରିବା ସହ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଆସିବା ପାଇଁ ଅପିଲ କରିଥିଲେ । ଏହା ପରେ ପରେ ଦୁଇ ମାଓବାଦୀ ଆତ୍ମ ସମର୍ପଣ ମଧ୍ୟ କରିଥିଲେ । ମାଓ ମୁକାବିଲା ପାଇଁ ଜିଲ୍ଲାରେ ମୃତୟନ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌ କେନ୍ଦ୍ରୀୟ ବଳ ସହ ମଧ୍ୟ ଆଲୋଚନା କରିଥିଲେ ।

Leave A Reply

Your email address will not be published.