ଜିଲ୍ଲା ବିଜେପିର ଚକାବନ୍ଦ ଆନ୍ଦୋଳନ : ସୁବର୍ଣ୍ଣପୁର ଜିଲ୍ଲାରେ ୩ଘଣ୍ଟା ଗମନାଗମନ ଠପ୍

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପଶ୍ଚିମ ଓଡିଶା ତଥା ସୁବର୍ଣ୍ଣପୁର ଜିଲ୍ଲାର ମଣ୍ଡିଗୁଡିକରେ ପଡି ରହିଥିବା ଧାନ ଉଠାଣ, ଚାଷୀଙ୍କ ନାମରେ ପୁନଃ ଟୋକନ୍ ବ୍ୟବସ୍ଥା ସହ ସବୁ ଜିଲ୍ଲାରେ ପୂର୍ବ ବ୍ୟବସ୍ଥାରେ ଡିଏଲପିସି ଜରିଆରେ ଧାନ ବିକ୍ରୟ କରିବା ଦାବିରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାରେ ୩ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଜାତୀୟ ରାଜପଥ ୫୭ର କୁଂଜଛକ, ଭୀମଭୋଇ ଛକ ସମେତ ଜିଲ୍ଲାର ସବୁ ରାଜପଥକୁ ଅବରୋଧ କରାଯାଇ ଚକାବନ୍ଦ କରାଯାଇଥିଲା । କୃଷକ ଅଧିକାରକୁ ନେଇ ବିଜେପି ଡାକରାରେ ହୋଇଥିବା ଚକାବନ୍ଦ ଆନ୍ଦୋଳନ ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଥିବା ବେଳେ ଜାତୀୟ ରାଜପଥ ସମେତ ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଯାନବାହାନ ଗୁଡିକ ଅଟକି ରହିଥିଲା । ଫଳରେ, ସୁବର୍ଣ୍ଣପୁରରୁ ବଲାଙ୍ଗିର, ବରଗଡ, ସମ୍ବଲପୁର, ରେଢାଖୋଲ, ଆଠମଲ୍ଲିକ ଓ ବୌଦ୍ଧକୁ ପୂର୍ବାହ୍ନ ୧୦ଟାରୁ ଦିନ ୧ଟା ପର୍ୟ୍ୟନ୍ତ ଗମନାଗମନ ଠପ୍ ହୋଇ ପଡିଥିଲା । ଆଗକୁ ରାଜ୍ୟ ସରକାର ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସମାଧାନ ନକଲେ ଚାଷୀ ଆନ୍ଦୋଳନକୁ ଆହୁରି ଅଧିକ ତୀବ୍ର କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.