ଡେଲାଙ୍ଗରେ ଆମ ସଂକଳ୍ପ ବିକଶିତ ଭାରତ ଯାତ୍ରା ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ଦ୍ୱାରା ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ, ଆଜି ଶନିବାର ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ କୋଠାବାଡ଼ ଗ୍ରାମ ପଂଚାୟତଠାରେ ପହଂଚିବା ପରେ ସ୍ଥାନୀୟ ଜନସାଧାରଣ, ବ୍ଲକ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ରଥରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା – ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନ ମନ୍ତ୍ରୀ ଉଜାଲା ଯୋଜନା, ଫସଲ ବୀମା ଯୋଜନା, ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପୋଷ୍ଟାଲ ନାବାର୍ଡ କ୍ଷେତ୍ରରେ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ସଚେତନ କରାଯାଇଛି । ଆଜିର ବିଶେଷ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଡେଲାଙ୍ଗ କୋଠବାଡ଼ ଗ୍ରାମ ପଂଚାୟତ ସହିତ ଯୋଡ଼ି ହୋଇ କେନ୍ଦ୍ରୀୟ ଯୋଜନାରୁ ଲାଭନ୍ୱିତ ଜଣେ ହିତାଧିକାରୀଙ୍କ ସହିତ ବାର୍ତ୍ତାଳାପ କରିଥିଲେ । କେନ୍ଦ୍ରର ବିଭିନ୍ନ କଲ୍ୟାଣକାରୀ ଯୋଜନା ଜରିଆରେ କିପରି ଗରିବ ଜନସାଧାରଣ ଉପକୃତ ହେଉଛନ୍ତି ସେ ବିଷୟରେ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଜଣାଇବା ସଂଗେ ସଙ୍ଗେ କୃତଜ୍ଞତା ଜଣାଇଥିଲେ । ୨୦୪୭ ସୁଦ୍ଧା ଦେଶକୁ କିଭଳି ବିକଶିତ ଭାରତ ଭାବରେ ଗଠନ କରାଯିବ ସେଥିପାଇଁ ସଂକଳ୍ପ ନେବାକୁ ସମସ୍ତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ବିଭିନ୍ନ ବିଭାଗର ଷ୍ଟାଲ, ସ୍ୱାସ୍ଥ୍ୟ ଶିବିର ଓ ସଚେତନତା ଶିବିରମାନ ଖୋଲାଯାଇଥିଲା । ଉପସ୍ଥିତ ଜନତାଙ୍କୁ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ସଚେତନ କରିବା ଲାଗି ସୂଚନା ପୁସ୍ତିକା ଓ କ୍ୟାଲେଣ୍ଡର ବଣ୍ଟନ କରାଯାଇଥିଲା । କେନ୍ଦ୍ରୀୟ ଯୋଜନାରେ ବିଶେଷ ସଫଳ ଲାଭନ୍ୱିତ ହିତାଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ପଥ ପ୍ରାନ୍ତ ନାଟକ, ନୃତ୍ୟ ସଂଗୀତ ମାଧ୍ୟମରେ ମଧ୍ୟ କେନ୍ଦ୍ରୀୟ ଯୋଜନାଗୁଡିକୁ ଲୋକଙ୍କୁ ଅବଗତ କରାଯାଇଛି । ଚାଷୀମାନେ କିପରି ଡ୍ରୋନ ଜରିଆରେ କୀଟନାଶକ ପ୍ରୟୋଗ କରିବେ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଏହାର ରକ୍ଷଣା ବେକ୍ଷଣା ଓ ଉପଯୋଗ କରି କିପରି ଆର୍ଥକ ଉନ୍ନତି କରିପାରିବେ ସେଥିପାଇଁ ଡ୍ରୋନର କ୍ଷେତ୍ର ପ୍ରଦର୍ଶନ କରାଯିବା ସହିତ ଜନତାଙ୍କୁ ସଚେତନ କରାଯାଇଛି । ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗରେ ଏହି ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ସୂଚନା ଯୋଗ୍ୟ ଏହି ରଥ ଚଳିତ ମାସ ୧୫ ତାରିଖ ଠାରୁ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ଜନଜାତୀୟ ଗୌରବ ଦିବସ ଦିନ ଆରମ୍ଭ ହୋଇ ଏହା ଆସନ୍ତା ଜାନୁଆରୀ ୨୬,୨୦୨୪ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଂଚଳ ରଥ ପରିକ୍ରମା କରିବ । ବର୍ତମାନ ସାରା ରାଜ୍ୟରେ ଏହି ରଥ ପରିଭ୍ରମଣ କରୁଛି । ମୁଖ୍ୟ ଅତିଥିଭାବେ ଜ୍ୟୋତିଶଙ୍କର ମହାପାତ୍ର, ସିଡିଓ କମ ଇଓ ପୁରୀ, ସମ୍ବିତ ଶତପଥୀ, ନିଧି ତିୱାରୀ ପିଏମ ଡେପୁଟି ସେକ୍ରେଟାରୀ, ଜୋହାନ ତୋପାନ କେନ୍ଦ୍ରୀୟ ଫର୍ଟିଲାଇଜର ସଚିବ ବିଡ଼ିଓ କ୍ଷିତିଶ ବେହେରା, ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସିଡିପିଓ ଜାପାନୀ କୁମାରୀ ମିତ୍ର , ସରପଞ୍ଚ ଦୀପକ କୁମାର ସାହୁ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ । ସେହିପରି ଅପରାହ୍ନରେ ମୁନିନ୍ଦା ଓ ସୁଜନପୁର ଗ୍ରାମ ପଂଚାୟତରେ ଆମ ସଂକଳ୍ପ ବିକଶିତ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ କେନ୍ଦ୍ରୀୟ ପ୍ରତିନିଧି, ଜିଲ୍ଲା ବ୍ଲକ ପ୍ରାଶାସନିକ ଅଧିକାରୀ ସମେତ ମୁନିନ୍ଦା ସରପଞ୍ଚ ଶେଷଦେବ ବାରିକ, ସମିତିସଭ୍ୟା ସ୍ୱର୍ଣ୍ଣଲତା ନାୟକ, ସୁଜନପୁର ପଂଚାୟତ ସରପଞ୍ଚ ପ୍ରିୟଙ୍କା ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସବୁ ସ୍ଥାନରେ ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା, ଉଜ୍ଜଳା ଦିଦି, ଶିକ୍ଷକ ଶିକ୍ଷୟତ୍ରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟକର୍ମୀ, ଛାତ୍ରଛାତ୍ରୀ, ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.