ପିଜୁଳୀ ଚାଷ ଦେଇଛି ପରିଚୟ : ଷ୍ଟ୍ରବେରୀ ପରେ ଡ୍ରାଗନ ଫ୍ରୁଡ ଉପରେ ନଜର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଚାରପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଜାମଖାରୀ ଗ୍ରାମର ଅଜିତ ବିଶ୍ୱାଳ । ବୟସ ମାତ୍ର ୩୦ ବର୍ଷ । ଶିକ୍ଷାଗତ ଯୋଗ୍ୟତା ବିପିଏଡ । ନିଜର ଶିକ୍ଷାଗତ ଯୋଗ୍ୟତା ଥାଇ ବି ଚାକିରୀ ପଛରେ ନ ଗୋଡାଇ ଉଦ୍ୟାନ କୃଷିରେ ମନୋନିବେଶ କରି ଅଂଚଳରେ ପିଜୁଳୀ ଚାଷ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଜିତ । ମାତ୍ର ୦.୨୫ ଡିସମିଲ ଜମିରେ ୧କେଜି ପିଜୁଳୀ ଚାରା ଲଗାଇ ବର୍ତ୍ତମାନ ଆର୍ଥିକ ସ୍ବାବଳମ୍ବୀ ହୋଇ ପାରିଛନ୍ତି । ପିଜୁଳୀ ଗଛ ଧାଡିକୁ ଧାଡି ଦଶ ଫୁଟ ବ୍ୟବଧାନରେ ରହିଛି । ଦୁଇ ଧାଡି ବ୍ୟବଧାନରେ ଡାଲିମ୍ବ, ପିଆଜ, ମୁଳା, ଟମାଟୋ, ମଟର, ପାଳଂଗ ଶାଗ, କୋସଲା ଶାଗ, କାକୁଡି, ଧନିଆ ପତ୍ର ଅଦି ଚାଷ କରାଯାଇଛି । ଯାହା ଦୈନିକ ଆୟର ମାଧ୍ୟମ ହୋଇଛି ।ଥାଇଲାଣ୍ତରୁ ଆସିଥିବା ପିଜୁଳୀ ଗୋଟାକୁ ୫୦୦ ଗ୍ରାମରୁ ୧ କେଜି ହେଉଥିବାରୁ ନାମକରଣ ଥାଇ ୧ କେଜି ହୋଇଛି । ଅର୍ଗାନିକ ପଦ୍ଧତିରେ ଚାଷ କରି ବାଂଗରା ଜାତୀୟ ଦୁଇ ବର୍ଷର ଗଛରୁ ପ୍ରାୟ ୧୨ରୁ ୧୫ କେଜି ପିଜୁଳୀ ଅମଳ ହେଉଛି ।

ମୁଖ୍ୟତଃ ପିଜୁଳୀ ୫୦ରୁ ୧୦୦ ଗ୍ରାମ ହେଲା ପରେ ତାକୁ ଜୀବାଣୁ ମୁକ୍ତ ପ୍ଲାଷ୍ଟିକ ବ୍ୟାଗରେ ଘୋଡାଇ ଦିଆଯାଉଛି, ତା’ଉପରେ କାଗଜ ଘୋଡେଇ ଦିଆଯାଉଛି । ମୁକ୍ତ ପବନ ପାଇବା ପାଇଁ ପ୍ଲାଷ୍ଟିକରେ ଛିଦ୍ର କରାଯାଇଥାଏ । ପ୍ଲାଷ୍ଟିକ ବ୍ୟାଗ ଓ କାଗଜ ଘୋଡାଇବା ଦ୍ବାରା ପିଜୁଳୀ ଜୀବାଣୁ ମୁକ୍ତ, ଚୋପା ମୋଟା ପରିବର୍ତ୍ତେ ପତଳା ଓ ସ୍ଵାଦିଷ୍ଟ ହେଉଛି । ଡ୍ରିପସ୍ ପଦ୍ଧତିରେ ପାଣି ଦିଆଯାଉଥିବାରୁ ବହୁତ ପାଣିର ଆବଶ୍ୟକତା ହେଉନାହିଁ । ଛତିଶଗଡ, ଓଡିଶା ରାଜ୍ୟରେ କେଜି ପ୍ରତି ସତୁରୀ ଟଂକାରେ ବିକ୍ରୟ କରାଯାଉଛି ।ଚାଷୀକୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ହେଉଛି । ଦ୍ବିତୀୟ ବର୍ଷ ଅମଳ ହେଉଛି । ବର୍ଷକୁ ଦୁଇଥର, ମଇ, ଜୁନ ଓ ନଭେମ୍ବର ଡିସେମ୍ବରରେ ଅମଳ ହେଉଅଛି । ମିଶ୍ର ଚାଷ ଦ୍ବାରା ଅଜିତ ବେଶ୍ ଲାଭାନ୍ବିତ ହେଉଛନ୍ତି । ଚଳିତ ବର୍ଷ ଷ୍ଟ୍ରବେରୀ ଚାଷ କରି ବଜାରରେ ଭିନ୍ନ ପରିଚୟ କରିଛନ୍ତି । ପିଜୁଳୀ ଚାରା, ବିଭିନ୍ନ ଫୁଳ ଚାରା କରି ଆର୍ଥିକ ସ୍ବାବଳମ୍ବୀ ହୋଇଥିବା ବେଳେ ଆଗାମୀ ଦିନରେ ଡ୍ରାଗନ ଫ୍ରୁଡ଼୍‌ସ୍‌ ଚାଷ କରିବା ଇଚ୍ଛା ରଖିଛନ୍ତି । ତାଙ୍କର ବାପା କମ୍ବୁପାଣି ଜଣେ ସଫଳ ଚାଷୀ । ସେ ରାଜ୍ୟ ଓ ଜାତୀୟ ସ୍ତରରେ ଏକ ସଫଳ ଚାଷୀ ଭାବରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଯୁବକମାନେ ସ୍ବାଭିମାନର ସହ ବଂଚିବା ପାଇଁ ଉଦ୍ୟାନ କୃଷିକୁ ପେଶା ଭାବରେ ଗ୍ରହଣ କରିବା ଉଚିତ ହେବ ବୋଲି ଅଜିତ ଯୁବ ସମାଜକୁ ଆହ୍ବାନ ଦେଇଛନ୍ତି ।

Leave A Reply

Your email address will not be published.