କୋଶଲାଞ୍ଚଳର ଗର୍ଵ ଏବଂ ଗୌରବ ଦୀପା ବାରିକ : ମହିଳାଙ୍କ ପାଇଁ ପାଲଟିଛ‌ନ୍ତି ଉଦାହରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳାମାନେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍‌ ନୁହଁନ୍ତି । ଆଜିର ନାରୀ ପୁରୁଷମାନଙ୍କ ସହ ତାଳରେ ତାଳ ମିଳେଇ ସବୁକ୍ଷେତ୍ରରେ ନିଜର କୃତିତ୍ୱ ପ୍ରତିପାଦନ କରୁଛି । ଖେଳକୁଦ, ଗୀତ ସଙ୍ଗୀତ, ରାଜନୀତି ହେଉ ଅବା ସମାଜସେବା କ୍ଷେତ୍ରରେ ହେଉ ଆଜିର ନାରୀ ସର୍ବଦା ନିଜର ପରାକାକ୍ଷ୍ଠା ପ୍ରଦର୍ଶନ କରିଆସୁଛନ୍ତି । ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ । ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ । ଏହି ବର୍ଷ ସମଗ୍ର ପଶ୍ଚିମ ଓଡିଶା ପାଇଁ ସମାଜ ସେବାରେ କୃତିତ୍ୱ ଅର୍ଜ୍ଜନ କରି ଗୌରବ ବଢ଼େଇଛନ୍ତି ବରଗଡ଼ ଜିଲ୍ଲା ପାଇକମାଲ ଅଂଚଳର ଝିଅ ଦୀପା ବାରିକ । ରାଜ୍ୟ ସ୍ତରୀୟ ଦୁଇ ଦୁଇଟି ବିରାଟ ମଞ୍ଚରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସମ୍ମାନିତ ହୋଇ ବରଗଡ଼ ଜିଲ୍ଲାର ସ୍ୱାଭିମାନକୁ ରାଜ୍ୟ ସ୍ତରରେ ପ୍ରତିପାଦିତ କରିଛନ୍ତି ସେ ।

ଗତ ମାସ ଭୁବନେଶ୍ୱର ରେ ଆୟୋଜିତ ଜାତି ନନ୍ଦିଘୋଷ କନକ୍ଲେଭରେ ନିଜ ନିଜର କୃତୀତ୍ବ ଓ ଅବଦାନ ଲାଗି ଓଡ଼ିଶାର ୨୧ ଜଣ ବିଶିଷ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଦୀପା ବାରିକଙ୍କୁ ସମ୍ମାନିତ କରାଯାଇଥିଲା । ଉଚ୍ଚ ପଦାଧିକାରୀ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଆଇପିଏସ୍ ସତ୍ୟଜିତ୍ ମହାନ୍ତି, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଓଡ଼ିଶା ମୋ’ ପରିବାରର ଆବାହକ ଅରୁପ ପଟ୍ଟନାୟକ, ସୋଆ ସଭାପତି ମନୋଜରଞ୍ଜନ ନାୟକ, ଅଭିନେତା ସବ୍ୟସାଚୀ ମିଶ୍ର, ଓଏସ ଟପ୍ପର ଦେବାଶୀଷ ପଣ୍ଡା, ଶିଳ୍ପପତି ସୌୟୁଦ ସିରାଜୁଦ୍ଦିନ, ପ୍ରବୋଧ ମହାନ୍ତି, ତାରାକାନ୍ତ ପଟ୍ଟନାୟକ, କରୋନା ବିଜ୍ଞାପନ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା କରୋନା ମାଉସୀ ବିଜୟଲକ୍ଷ୍ମୀ ପ୍ରହରାଜ, ବୈଜ୍ଞାନିକ ଓମ୍ ବେବର୍ତା, ଐତିହ୍ୟ ସଂରକ୍ଷକ ଅନିଲ୍ ଧୀର୍, ପ୍ରତୀକ ପଟ୍ଟନାୟକ, କତାରସ୍ଥିତ ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳିକା କତାର ପ୍ରଭୃତି ସାମିଲ ରହିଥିଲେ।ଏହାଛଡା ଗତ ମାର୍ଚ୍ଚ ୫ ତାରିଖରେ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମୀୟମ ଠାରେ ପ୍ରମେୟ ଗ୍ରୁପ ତରଫରୁ ବିଶ୍ୱ ମହିଳା ଦିବସ ଉପଲକ୍ଷେ କରାଯାଇଥିବା ସମ୍ବର୍ଦ୍ଧନା ସଭାରେ ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜ୍ଜନ କରି ଆସିଥିବା ମହିଳାଙ୍କ ମଧ୍ୟରେ ଦୀପା ସମ୍ବର୍ଦ୍ଧିତ ହୋଇ ଜିଲ୍ଲାର ଗୋୖରବ ବଢ଼ାଇଛନ୍ତି । ଜଣେ ଉପାନ୍ତ ଅଞ୍ଚଳର ଝିଅ ହୋଇ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ ହେବା ପରେ ତାଙ୍କ ଗାଁ ଟେମରିରେ ଖୁସିର ଲହରି ଖେଳିଯାଇଛି ଏବଂ ତାଙ୍କ ଗ୍ରାମବାସୀ ଉତ୍ସାହିତ ହୋଇ ତାଙ୍କୁ ପାରମ୍ପରିକ ବାଦ୍ୟ ସହ ଗାଁକୁ ପାଛୋଟି ନେଇ ଗୋଡ଼ ଧୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଦୀପା ବାରିକଙ୍କ ଜନ୍ମକ୍ଷ ସମ୍ପ୍ରତି ନାରୀ ଆଉ ଚାରି କାନ୍ଥ ଭିତରେ ଆବଦ୍ଧ ନ ରହି ପୁରୁଷଙ୍କ ସମକକ୍ଷ ହୋଇ ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଛି । କିଏ କହେ ନାରୀ ଦୁର୍ବଳା ଅବଳା । ନାରୀ ଦୁର୍ବଳା ନୁହେଁ ସବଳ ।, ଏହା ପ୍ରମାଣ କରି ଦେଖାଇଛନ୍ତି ଦୀପା । ଆଉ କିଏ କହେ ନାରୀ ଜୀବନ ଚୁଲି ମୁଣ୍ଡକୁ । ହେଲେ ଏସବୁକୁ ଭୁଲ ପ୍ରମାଣିତ କରିଛନ୍ତି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ଗାଁର ଦୀପା ଓରଫ ଚାରୁବାଳା ବାରିକ । ଦିପାଙ୍କ ବାପା ଅମୃତଲାଲ ବାରିକ ଜଣେ ଚାଷୀ ଓ ମା’ ସୁଷମା ଜଣେ ଅଙ୍ଗନବାଡି କର୍ମୀ । ଦୀପା ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା କରି ପଦ୍ମପୁର ଅଂଚଳ ମହାବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ସ୍ନାତକୋତ୍ତର କରିଛନ୍ତି । ମଧ୍ୟବିତ୍ତ ପରିବାରର ଦିପା ବାରିକ ବର୍ତ୍ତମାନ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଏକ ପରିଚିତ ନାଁ । ପ୍ରତ୍ୟେକ ଜିଲ୍ଲାର ଅସହାୟ ଦୁଃଖୀଙ୍କୁ ସହାୟତା ପାଇଁ ତତ୍ପରତା ପ୍ରକାଶ କରି ପ୍ରତିଦିନ ସରକାରଙ୍କ ଠାରେ ସେମାନଙ୍କର ଦୁଃଖ ସମସ୍ୟା ଉତଥାପନ କରୁଛନ୍ତି ।

ଗରିବଙ୍କ ହକ୍ ପାଇଁ ଲାଢ଼େଇ କରୁଥିବାରୁ ଦୀପା ଲୋକଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ପ୍ରବଳ ଇଛା ଶକ୍ତି ଯୋଗୁଁ ହଜାର ହଜାର ଲୋକଙ୍କ ମୁହଁରେ ସେ ହସ ଫୁଟାଇ ପାରୁଛନ୍ତି । କେବଳ ଅସହାୟଙ୍କୁ ସହାୟତାରେ ସୀମିତ ନ ରହି ଦିପା ଅଂଚଳର ବିକାଶ ପାଇଁ ସବୁବେଳେ ଚେଷ୍ଟିତ । ଗଣମାଧ୍ୟମରେ ବାହାରୁଥିବା ବିଭିନ୍ନ ଖବରକୁ ତଥା ସ୍ଥାନୀୟ ସମସ୍ୟା ଗୁଡିକୁ ସେ ଟୁଇଟ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣୁଛନ୍ତି । ବରଗଡ଼ ଜିଲ୍ଲା ଛଡା ବଲାଙ୍ଗିର, କୋରାପୁଟ, ମାଲକାନଗିରି, ରାୟଗଡା, ବୌଦ୍ଧ, କଳାହାଣ୍ଡି ଜିଲ୍ଲାର ଅନେକ ସମସ୍ୟାର ସମାଧାନ କରି ପାରିଛନ୍ତି ଦୀପା । ତାଙ୍କର ଏଭଳି ସମାଜସେବା ନିଶ୍ଚିତ ଭାବେ ଅନ୍ୟ ମାନକୁ ପ୍ରେରଣା ଯୋଗାଇବ । ଦୀପାଙ୍କ ସମାଜସେବା କାର୍ୟ୍ୟ ପାଇଁ ତାଙ୍କ ବାପା ନିଜକୁ ଗର୍ବ ଅନୁଭବ କରନ୍ତି । ଦୀପା ଭବିଷ୍ୟତରେ ଜଣେ ଶିକ୍ଷୟତ୍ରୀ ହୋଇ ସମାଜରେ ଭଲ ମଣିଷ ଗଢିବା ପାଇଁ ଆଶା ରଖିଛନ୍ତି । ତାଙ୍କର ଏସବୁ ମହତ କାର୍ୟ୍ୟ ପାଇଁ ଅଂଚଳରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.