ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ଜନସଂଖ୍ୟା ସମାଧାନ ଫାଉଣ୍ଡସନ ଓଡିଶା ପ୍ରଦେଶ, ବଲାଙ୍ଗିର ଜିଲ୍ଲା ଶାଖାର ସଭାପତି ଆଡଭୋକେଟ ଆଲୋକ ନାୟକ ସମେତ ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ ଓଡ଼ିଶା ପ୍ରଦେଶର ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ସଦସ୍ୟା ମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଦେଶର ଭବିଷ୍ୟତ ସୁରକ୍ଷା ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଉପଜିଲ୍ଲାପାଳ ଲଳିତ ବାଗଙ୍କୁ ଫାଉଣ୍ଡେସନର ସଦସ୍ୟମାନେ ଦାବୀ ପତ୍ର ଦେଇଥିଲେ ।

ଭାରତରେ ପୃଥିବୀର ସ୍ଥଳ ଭାଗରୁ ୨.୪ % ଅଚଳ ରହିଥିବା ବେଳେ ପୃଥିବୀର ଜନସଂଖ୍ୟାର ୧୬.୭ % ଲୋକ କେବଳ ଭାରତରେ ରହୁଛନ୍ତି । ବର୍ତ୍ତମାନ ଦେଶରେ ୧୩୮ କୋଟି ନାଗରିକ ବାସ କରୁଥିବା ବେଳେ ବିଭିନ୍ନ ଅଞ୍ଚଳରେ ମୁକ୍ତ ବାୟୁ ମିଳିବା କଷ୍ଟକର ହେଲାଣି । ରାଜଧାନୀ ଦିଲ୍ଲୀର ବାସିନ୍ଦାମାନେ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ମାନ୍ୟବର ସୁପ୍ରିମକୋର୍ଟରେ ଆଶ୍ରୟ ନେଲେଣି । ପାନୀୟ ଜଳ ସମେତ ଦୈନନ୍ଦିନ ବ୍ୟବହୃତ ପାଣିର ସମସ୍ୟା ଏକ ଜାତୀୟ ସମସ୍ୟା ଭାବରେ ଉଭା ହୋଇଛି । ବିସ୍ପୋରିତ ଜନସଂଖ୍ୟା ଯୋଗୁଁ ଜଙ୍ଗଲ ନଷ୍ଟ ହେବା ସାଙ୍ଗକୁ ପର୍ଯ୍ୟାବରଣ ନଷ୍ଟ ହେଉଛି । ଚାଷ ଜମିର ଅଭାବ ପରିଲକ୍ଷିତ ହେଲାଣି । ବେକାରୀ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି । କୁପୋଷଣ, ଖାଦ୍ୟାଭାବ, ଗମନାଗମନ ଅସୁବିଧା, ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଛି ।

ବେକାରୀ ସଂଖ୍ୟା ଆଶାତୀତ ଭାବେ ବଢୁଥିବା ଯୋଗୁଁ ୨୩.୬ ପ୍ରତିଶତରେ ପହଞ୍ଚିଲାଣି । ପ୍ରତ୍ୟେକ ମିନିଟରେ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ହେବା ସହ ବେକାରୀ ସଂଖ୍ୟାର ସମସ୍ୟା ସୃଷ୍ଟି ହେଉଛି । ଯଦି ଏହି ହିସାବରେ ଆମ ଦେଶର ଜନ୍ମହାର ବୃଦ୍ଧି ପାଏ ତେବେ ଆସନ୍ତା ୨୦୪୦ ମସିହା ବେଳକୁ ଦେଶର ଜନସଂଖ୍ୟା ୨ ଶହ କୋଟି ୪୦ ଲକ୍ଷରୁ ଅଧିକ ହେବ । ସେତେବେଳେ ଏତେ ବଡ଼ ଜନସଂଖ୍ୟାକୁ ବାସଗୃହ ନିର୍ମାଣ ନିମନ୍ତେ ଜମି ଯୋଗାଇବା ଅସମ୍ଭବ ହେବ । ପାନୀୟ ଜଳ ମିଳିବ ନାହିଁ । ଜଙ୍ଗଲ ନଷ୍ଟ ହୋଇ ପର୍ଯ୍ୟାବରଣ ସମ୍ପୁର୍ଣ୍ଣ ଭାବେ ଧ୍ଵଂସ ହୋଇଯିବ । କୁପୋଷଣ ଅପରାଧ, ଆତଙ୍କବାଦ ପ୍ରବଳ ମାତ୍ରାରେ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ଯୋଗାଇବା କିମ୍ବା ବ୍ୟବସ୍ଥା କରିବା ସାଧାରଣ ଜନତା କିମ୍ବା ଯେକୌଣସି ନିର୍ବାଚିତ ସରକାର ପକ୍ଷରେ ସମ୍ପୁର୍ଣ୍ଣ ଅସମ୍ଭବ ହୋଇପଡ଼ିବ । ଦେଶରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ । ବୋଲି ଜନସଂଖ୍ୟା ଫାଉଣ୍ଡେସନ ତରଫରୁ ମତ ପ୍ରକାଶ ପାଇଛି ।

ଏଣୁ ଆଗାମୀ ଦିନରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ଆମ ଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବଲାଙ୍ଗିର ଶାଖା ତରଫରୁ ଦୃଢ ଦାବୀ କରିଛନ୍ତି । ସବୁ ନାଗରିକ ମାନେ ନିଜକୁ ଦୁଇଟି ସନ୍ତାନ ମଧ୍ୟରେ ସୀମିତ ରଖିବାକୁ ବାଧ୍ୟ ହେବେ ବୋଲି ଫାଉଣ୍ଡେସନର ସଦସ୍ୟମାନେ କହିଛନ୍ତି । ଯଦି କୌଣସି ନାଗରିକ ପ୍ରଣୀତ ଆଇନ ଅମାନ୍ୟ କରି ତୃତୀୟ ସନ୍ତାନ ଜନ୍ମ ଦିଅନ୍ତି ତେବେ ସେମାନଙ୍କ ପ୍ରତି କଠୋର ଦଣ୍ଡର ବ୍ୟବସ୍ଥା ହେଉ । ଆଇନ ଅମାନ୍ୟକାରୀଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ କରାଯିବାକୁ ଅନୁରୋଧ କରିଛନ୍ତି । ସେମାନଙ୍କର ନାଗରିକତ୍ୱ ସମାପ୍ତି କରିବାକୁ ଆଇନରେ ବ୍ୟବସ୍ଥା ହେଉ ଏଥି ସହ ଆଇନ ଅମାନ୍ୟକାରୀଙ୍କୁ ଦଶ ବର୍ଷର କାରାଦଣ୍ଡର ବ୍ୟବସ୍ଥା ସାଙ୍ଗକୁ ଆର୍ଥିକ ଦଣ୍ଡର ବ୍ୟବସ୍ଥା କରିବାକୁ ଦୃଢ ଦାବୀ କରିଛନ୍ତି ।

ଆଜିର ଏହି ଦାବୀପତ୍ର ଦେବା କାର୍ଯ୍ୟକ୍ରମରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବଲାଙ୍ଗିର ଶାଖାର ସଭାପତି ଆଲୋକ ନାୟକଙ୍କ ନେତୃତ୍ୱରେ ପ୍ରଶାନ୍ତ ଷଡ଼ଙ୍ଗୀ, ରାଜ ନାୟକ, ସମେତ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.