କଳାକାର ଭତ୍ତା ପାଇଁ ଚୟନ ପ୍ରକ୍ରିୟା ୧୬ରୁ, ପ୍ରମାଣପତ୍ର ସହିତ କଳା ପ୍ରଦର୍ଶନର ପ୍ରମାଣ ଦେବାକୁ ପଡିବ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲାରେ ଶହ ଶହ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାର ତିନୋଟି ବ୍ଲକରେ ବହୁ ସଂଖ୍ୟାରେ କଳାକାର ଭତ୍ତା ନିମନ୍ତେ ଆବେଦନ କରିଥିବା ବେଳେ ସ୍ୱଛତାର ସହିତ ପ୍ରକୃତ କଳାକାରଙ୍କୁ ଚିହ୍ନଟ କରି ଭତା ପାଇଁ ତାଙ୍କରି ଆବେଦନ ସରକାରଙ୍କ ନିକଟକୁ ପଠାଇବାକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧ ଏନଏନସି ଓ ତିନୋଟି ବ୍ଲକରେ ଭତା ପାଇଁ ଆବେଦନ କରିଥିବା କଳାକାର ଚିହ୍ନଟ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଆସନ୍ତା ୧୬ ତାରିଖ ଦିନ ବୌଦ୍ଧ ଏନଏସି ପାଇଁ କଳାକାର ଚିହ୍ନଟ ପ୍ରକ୍ରିୟା ଦିନ ୧୧ ଘଣ୍ଟା ସମୟରେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ୧୭ ତାରିଖରେ ବୌଦ୍ଧ ବ୍ଲକ, ୧୮ ତାରିଖରେ ହରଭଙ୍ଗା ବ୍ଲକ ଓ ୧୯ ତାରିଖରେ କଣ୍ଟାମାଳ ବ୍ଲକ କାର୍ୟ୍ୟାଳୟମାନଙ୍କରେ ନିର୍ଦ୍ଧାରିତ ସମୟରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଭତା ପାଇଁ ଆବେଦନ କରିଥିବା କଳାକାରମାନେ ନିଜର ସମସ୍ତ ଅରିଜିନାଲ ସାର୍ଟିଫିକେଟ ସହିତ କଳା ପ୍ରଦର୍ଶନର ଭିଡିଓ କ୍ଲିପ(ମୋବାଇଲରେ) ନେଇ ପହଞ୍ଚିବାକୁ ସୂଚନା ଦିଆଯାଇଛି । ଯେଉଁ କଳାକାରମାନେ ନିଜର କଳା ପ୍ରଦର୍ଶନର ଭିଡିଓ କ୍ଲିପ ଦେଇ ପାରିବେନାହିଁ ସେମାନେ ନିର୍ଦ୍ଧାରିତ ସ୍ଥାନରେ ନିଜର କଳା ପ୍ରଦର୍ଶନ କରିବାର ସୂଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ଉକ୍ତ ଦିବସରେ ଆବେଦନ କାରୀମାନେ ନିର୍ଦ୍ଧାରିତ ସମୟରେ ନିଜର ସମସ୍ତ ପ୍ରମାଣପତ୍ର ଓ ଭିଡିଓ କ୍ଲିପିଂ ଧରି ପହଞ୍ଚିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

five + 19 =