ପଦ୍ମପୁର, (ନିରୋଜ କୁମାର ପାଣୀ) : ” ବିଜୁ କୃଷକ ବିକାଶ ” ଯୋଜନା ଅନୁଯାୟୀ ୪ଜଣ ଚାଷୀଙ୍କୁ ଗୋଟିଏ କ୍ଳସଟର ମାଧ୍ୟମରେ ଡିପବୋର ୱେଲ ଓ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବାର ଯୋଜନା ଗତ କିଛି ବର୍ଷ ଧରି ରାଜ୍ୟରେ ଚାଲିଛି । ଏଥି ପାଇଁ ପ୍ରତ୍ୟେକ ଚାଷୀ ରାଜ୍ୟର ଉଠା ଜଳ ସେଚନ ବିଭାଗକୁ ଅନଲାଇନ ଆବେଦନ କରିବା ସହ ପ୍ରତ୍ୟେକ ଚାଷୀ ୨୦ ହଜାର ଟଙ୍କା ବ୍ୟାଙ୍କରେ ଡ୍ରାଫଟ୍ ଆକାରରେ ଜମା କରିଥାନ୍ତି । ଗତ ୪ବର୍ଷ ତଳେ ଚାଷୀ ମାନେ ଟଙ୍କା ଜମା କରିଥିବା ବେଳେ ଚଳିତ ବର୍ଷ ୨ ମାସ ହେଲା ଏବେ ଏହି ଯୋଜନାରେ ଚାଷୀଙ୍କ କ୍ଷେତ ମାନଙ୍କରେ ଡିପ ବୋରୱେଲ ଖୋଲା ଚାଲିଛି । ଗତ କାଲି ଝାରବନ୍ଦ ବ୍ଲକ ଅନ୍ତର୍ଗତ ଛୋଟ ଅନକି ଗ୍ରାମ ପଞ୍ଚାୟତର ବଡ ଅନକି ଗ୍ରାମରେ ଆବେଦନ କରିଥିବା ୨୪ ଜଣ ଚାଷୀ ଖଗେଶ୍ବର ସିଦ୍ଧାର, କର୍ମୁ ବରିହା, ରିଖିରାମ ବରିହା, ବୁନା ବରିହା, ମୋହନ ସାହୁ, ଚମରା ନାଏକ, ଦୁର୍ୟ୍ୟୋଧନ ନାଏକ, ନାରାୟଣ ବରିହା, ଧନେଶ୍ବର ପଟେଲ, ଫଗନୁ କେଉଁଟ ଆଦିଙ୍କ କ୍ଷେତ ଡିପ୍ ବୋରୱେଲ ଖୋଲିବା ପାଇଁ ୪ଟି ଗାଡି ଆସି ପହଞ୍ଚିଥିଲା । ଖଗେଶ୍ବର ସିଦ୍ଧାରଙ୍କ କ୍ଷେତରେ ବୋରୱେଲ ଖୋଲିବା ପରେ ବାକି ଜମିରେ ବୋରୱେଲ ଖୋଲାଯିବ ନାହିଁ ବୋଲି ଉଠା ଜଳସେଚନ ପ୍ରକଳ୍ପ ପାଇକମାଲ ଜେଇ ଭୂମିସୂତା କୁଅଁର ଫୋନ କରିବାରୁ ଗାଡି ଗୁଡିକ ବଡଅନକି ଗାଁରୁ ବାହାରି ଯାଉଥିବା ବେଳେ ଗ୍ରାମବାସୀ ମାନେ ଏହାର ପ୍ରତିବାଦ କରି ସମସ୍ତ ବୋରୱେଲ ନ ଖୋଲିବା ପର୍ୟ୍ୟନ୍ତ ଗାଡି ଛଡାଯିବ ନାହିଁ କହି ଗାଡି ମାନଙ୍କୁ ଅଟକ ରଖିଲେ । ଗାଡି ମାନଙ୍କୁ ଗାଁରୁ ନେବା ପାଇଁ ଜେଇ ଶ୍ରୀ କୁଅଁର ପହଞ୍ଚିବାରୁ ଚାଷୀ ମାନଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇ ଜେଇଙ୍କୁ ମଧ୍ୟ ଗାଡି ସହ ଅଟକ ରଖିଥିଲେ । ଖବର ପାଇ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ବଡଅନକି ଗ୍ରାମକୁ ପହଞ୍ଚି ଚାଷୀ ମାନଙ୍କ ସହ ସାମିଲ ହେବା ସହ ଯେତେ ଦିନ ପର୍ୟ୍ୟନ୍ତ ଏଠାରେ ବୋରୱେଲ ଖୋଲାଯିବ ନାହିଁ ଗାଁରେ ଗାଡି ସବୁ ଅଟକ ରଖାଯିବ ବୋଲି ବରଗଡ଼ ଉଠା ଜଳ ସେଚନ ପ୍ରକଳ୍ପ କାର୍ୟ୍ୟ ନିର୍ବାହୀ ଇଂଜିନିୟରକୁ ସୂଚନା ଦେଇଥିଲେ । ପରିସ୍ଥିତି ଦେଖି ପୁଣି ବୋରୱେଲ ଖୋଲା ଆରମ୍ଭ ହେବା ପରେ ଜେଇଙ୍କୁ ଗାଁରୁ ଛଡାଯାଇଥିଲା । ଅନେକ ଗ୍ରାମରେ ବୋରୱେଲ ଖୋଲାକୁ ନେଇ ସରକାରୀ ଅଧିକାରୀ ମାନଙ୍କ ବିଚିତ୍ର ନୀତି ଯୋଗୁଁ ଏଭଲି ପରିସ୍ଥିତି ଦେଖା ଦେଇଛି । ଏହି ଆନ୍ଦୋଳନ ମଧ୍ୟରେ ଗ୍ରାମ ପ୍ରମୁଖ ଚାଷୀ ଧନୀରାମ ସାହୁ, ଗୋରା ବରିହା, ପୂର୍ଣ୍ଣାନନ୍ଦ ସାହୁ, ଉଧବ ନାଗ, ଚିନ୍ତାମଣି ରାଉତ, କୃଷ୍ଣ ଚନ୍ଦ୍ର ସାହୁ, ସନ୍ତୋଷ ପ୍ରଧାନ, ଧନେଶ୍ବର ବରିହା ଆଦି ଉପସ୍ଥିତ ଥିଲେ ।