oum

ଆଗଲପୁର ବ୍ଲକ ବିଜେପି ପକ୍ଷରୁ ଚାଷୀମାନଙ୍କ ଫସଲବୀମା ଟ‌ଙ୍କା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsm

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଷୀମାନଙ୍କୁ କୃଷିବୀମା ଟଙ୍କା ପ୍ରଦାନ କରାନଯିବା ଓ ୟୁରିଆ ସାର କଲାବଜାର ହୋଇଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଆଗଲପୁର ବ୍ଲକ ପରିଦର୍ଶନରେ ଗତକାଲି ଆସିଥିବା ବେଳେ ଜିଲ୍ଲାପାଳଙ୍କୁ ଏକ ୪ ଦଫା ଦାବୀପତ୍ର ବିଜେପି. ପକ୍ଷରୁ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଦର୍ଶାଯାଇଛି ଯେ, ଚାଷୀମାନେ ଗତବର୍ଷ ପ୍ରିମିୟମ୍‌ ଟଙ୍କା ଦେଇ ଫସଲ ବୀମା କରିଥିଲେ ମଧ୍ୟ କ୍ଷତିପୂରଣ ରାଶି ପାଇନାହାନ୍ତି । ବର୍ଷକ ତଳେ ବୀମରା ପ୍ରିମିୟମ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ସାମିଲ କରି ସାରିବା ପରେ ବର୍ତ୍ତମାନ ବିଭିନ୍ନ ଆଳ ଦେଖାଇ ଚାଷୀମାନଙ୍କୁ ବୀମା ରାଶି ନଦେବାକୁ ବୀମା କଂପାନୀ ଷଡ଼ଯନ୍ତ୍ର କରୁଛି । ଏଣୁ ତୁରନ୍ତ ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ । ପୁଣି ବଲାଙ୍ଗିର ଜିଲ୍ଲାରେ କୃତ୍ରିମ ସାର ଅଭାବ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ସାର କଳାବଜାରୀରେ ଚାଷୀକୁଳ ହଇରାଣ ହେଉଛି । ଚାଷୀକୁ ଉଚିତ ମୂଲ୍ୟରେ ଆବଶ୍ୟକ ପରିମାଣର ୟୁରିଆ ସାର ଯୋଗାଇ ଦିଆଯାଉ । ରୋଗ ପୋକ ଯୋଗୁଁ ଚାଷୀ ହଇରାଣ ହେଉଥିବା ସମୟରେ ନକଲି କୀଟନାଶକ ଔଷଧ ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛି । ନକଲି ଔଷଧ ବିକ୍ରୟକାରୀ ଓ ସାର କଳାବଜାରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୨୦୧୯-୨୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ବଜ୍ରପାତ ତଥା ବନ୍ୟାଜନିତ କ୍ଷୟକ୍ଷତି ଘଟିଥିବା ଅଂଚଳରେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଇନ୍‌ପୁଟ୍‌ ସବ୍‌ସିଡ଼ି ଆଗଲପୁର ଅଂଚଳର ଚାଷୀମାନେ ପାଇନାହାନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନିଆଯାଉ । ତେବେ ଦାବୀପତ୍ରରେ ଏହା ମଧ୍ୟ କୁହାଯାଇଛି ଯେ, ଉପରୋକ୍ତ ଦାବୀଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ସମୟରେ ଚାଷୀକୁଳ ରାଜରାସ୍ତାକୁ ଓହ୍ଲାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ।

Leave A Reply

Your email address will not be published.