om academy

ଦେଓଗାଁ ବ୍ଳକରେ ସ୍ବାସ୍ଥ୍ୟ ସେବା ବିପର୍ୟ୍ୟସ୍ତ : ୪ ସ୍ବାସ୍ଥ୍ୟ କେନ୍ଦ୍ରରେ ୮ ବଦଳରେ ଡାକ୍ତର ସଂଖ୍ୟା ମାତ୍ର ୩, କରୋନା ଭୟରେ ପିଏଚ୍‌ସିରେ ରୋଗୀ ସଂଖ୍ୟା ଶୂନ, ଔଷଧ ଦୋକାନରେ ଲମ୍ବା ଲାଇନ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ କାର୍ୟ୍ୟାଳୟ ନିକଟରେ ଥିବା ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସର୍ବ ପୁରାତନ । ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତର ୧୨୬ଟି ଗାଁକୁ ସ୍ବାସ୍ଥ୍ୟ ସେବା ଠିକ୍‌ ଭାବେ ପହଞ୍ଚାଇବାକୁ ଦେଓଗାଁ ସିଏଚସି ଅଧୀନରେ ଅଛି ୩ଟି ପ୍ରାଥମିକ, ୨ଟି ଆୟୁର୍ବେଦିକ ଡାକ୍ତରଖାନା । ସମସ୍ତ ଗାଁରେ ସ୍ବାସ୍ଥ୍ୟ ବିଭାଗର ସରକାରୀ ଯୋଜନାକୁ ସୁପରିଚାଳନା କରିବାକୁ ୧୪ଟି ଉପକେନ୍ଦ୍ର ଗଠନ କରାଯାଇଛି । ସମୟ କ୍ରମେ ସରକାରୀ ଯୋଜନା ବଢ଼ି ଚାଲିଥିବା ବେଳେ ଅଧିକାରୀ ଓ କର୍ମଚାରୀ ସଂଖ୍ୟା କମିବାରେ ଲାଗିଛି । ଡାକ୍ତର ନିଯୁକ୍ତି ଦେବା ଉପରେ ରାଜନେତା ମାନେ ପାଟି କରିବା ବଦଳରେ ଦେଓଗାଁରେ ଦରମା ପାଉଥିବା କର୍ମଚାରୀ କାମ କରୁଛନ୍ତି ବଲାଙ୍ଗିରରେ ।

ଦେଓଗାଁ ବ୍ଳକରେ ସ୍ବାସ୍ଥ୍ୟ ସେବାକୁ ନେଇ ଅଧିକାରୀ ଓ କର୍ମଚାର ବିଷୟରେ ଅନୁଧ୍ୟାନ କରାଯିବାରୁ ଜଣାପଡ଼ିଛି ଯେ, ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ସହ ୫ ଜଣ ଡାକ୍ତର ରହିବା କଥା । କିନ୍ତୁ ଅଛନ୍ତି ମାତ୍ର ୨ଜଣ ଡାକ୍ତର । ସେହିପରି ୬ଜଣ ଷ୍ଟାଫ ନର୍ସ ବଦଳରେ ଅଛନ୍ତି ମାତ୍ର ୩ ଜଣ । ଜଣେ ଫର୍ମାସିଷ୍ଟ ସମ୍ଭାଲୁଛନ୍ତି ଷ୍ଟୋର ଓ ଔଷଧ ବଣ୍ଟନ କେନ୍ଦ୍ର । ସେହିପରି ବନ୍ଧପଡ଼ା ପିଏଚସିରେ ଜଣେ ଏମ୍‌ବିବିଏସ୍‌, ଜଣେ ଆୟୁଷ, ଜଣେ ଫର୍ମାସିଷ୍ଟ, ଜଣେ ଲେଖାଏଁ ଷ୍ଟାଫ ନର୍ସ ଓ ପିଅନ ପଦବୀ ଥିବାବେଳେ ଜଣେ ଆୟୁଷ ଡାକ୍ତର, ଜଣେ ଫର୍ମାସିଷ୍ଟରେ ଚାଲିଛି । ସେହିପରି ରାମଚନ୍ଦ୍ରପୁର ପିଏଚସିରେ ମଧ୍ୟ ଜଣେ ଏମବିବିଏସ, ଜଣେ ଆୟୁଷ ଡାକ୍ତର, ଜଣେ ଫର୍ମାସିଷ୍ଟ, ଜଣେ ପିଅନ ଓ ଜଣେ ଷ୍ଟାଫ ନର୍ସ ପଦବୀ ଥିବା ବେଳେ ଜଣେ ଆୟୁଷ ଡାକ୍ତର ଓ ଜଣେ ଫର୍ମାସିଷ୍ଟ‌ରେ ଚାଲିଛି । ରାମଚନ୍ଦ୍ରପୁର ପିଏଚସିରେ ନିଯୁକ୍ତି ହୋଇଥିବା ଷ୍ଟାଫ ନର୍ସକୁ ଦୀର୍ଘ ବର୍ଷ ହେଲା ଯୋଜନା କରି ବଲାଙ୍ଗିର ଆୟୁର୍ବେଦିକ କଲେଜକୁ ଡେପୁଟେସନରେ ପଠାଯାଇଛି । ସେହିପରି ଅର୍ଜୁନପୁର ପିଏଚସିରେ ଜଣେ ଏମବିବିଏସ ଡାକ୍ତର ଓ ଫର୍ମାସିଷ୍ଟ ଜଣେ ମହିଳା ସ୍ବାସ୍ଥ୍ୟ କର୍ମୀ ଥିବା ବେଳେ ଷ୍ଟାଫ ନର୍ସ ଓ ପିଅନ ନାହାନ୍ତି । ସେହିପରି ବଡ଼ବନ୍ଧ ପଞ୍ଚାୟତର କରୁଆଁଝର ଓ ଗୌଡ଼ଗୋଠରେ ବହୁ ବର୍ଷ ହେଲା ରହିଥିବା ଆୟୁରର୍ବେଦିକ ଡିସ୍‌ପେନ୍‌ସରିରେ ତାଲା ପଡ଼ିଛି । ଅନ୍ୟ ପକ୍ଷରେ ଡାକ୍ତରଖାନାରେ ଡାକ୍ତର ନ ଥିବା ବେଳେ ନୂଆ ଡାକ୍ତରଖାନା ଖୋଳିବାକୁ ଦାବୀ କେତେ ଦୂର ଯୁକ୍ତି ଯୁକ୍ତ ତାହା ଆଲୋଚନାର ବିଷୟ ହୋଇଛି ।

ସେହିଭଳି ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବନ୍ଧପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାନ୍ତି । ବର୍ତ୍ତମାନ ଏହି ସେବା ଯୋଗାଉଥିବା ଗାଁ ଗୁଡ଼ିକର ଘରେ ଘରେ ପୁରେ ପୁରେ ଜ୍ବର ହେଉଥିବାରୁ ଡାକ୍ତରଖାନାକୁ ନଯାଇ ଡାଇରେକ୍ଟ ଲୋକମାନେ ଔଷଧ ଦୋକାନକୁ ଯାଇ ଔଷଧ ନେଇ ଘରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଦେଓଗାଁ ବ୍ଳକର ପଶ୍ଚିମରେ ଥିବା ବନ୍ଧପଡ଼ା ଅଞ୍ଚଳରେ କିଛି ଦିନ ହେଲା କରୋନା ସଂକ୍ରମିତ ଲୋକମାନେ ଦିନ ଦାହାଡ଼େ ଖୋଲା ଖୋଲି ଭାବେ ବୁଲା ବୁଲି କରୁଥିବାରୁ ସଂକ୍ରମିତ ହୋଇ ନ ଥିବା ବା ଜ୍ବର ହୋଇ ନଥିବା ଲୋକମାନେ ଭୟଭୀତ ହେଉଛନ୍ତି ।

ସୂଚନା ଯୋଗ୍ୟ ଯେ, କିଛି ଦିନ ହେଲା ବନ୍ଧପଡ଼ା ହାଇସ୍କୁଲରେ କରୋନା ପରୀକ୍ଷା କରାଯାଇଥିବା ସମୟରେ ୧୧ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ବୋଲି ଜଣା ପଡ଼ିଥିଲେ । ତାପରେ ବନ୍ଧପଡ଼ା ପଞ୍ଚାୟତର ଟେପ୍ରେନ ଗାଁରେ ଶତାଧିକ ଲୋକଙ୍କୁ ଜ୍ବର ହେଉଥିବା ବେଳେ ୨୦ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଥିବା ଆଲୋଚନା ହେଉଛି । ସେହିପରି ବନ୍ଧପଡ଼ା ଘାଟୁଲ, ବୁଢ଼ାବାହାଲ, ଛତାପିପଲ, ଭାଳୁକୁନ୍ଦ, ଲକ୍ଷ୍ମଣପୁର, ସିଂହାମୁଣ୍ଡା, କୁବ୍ରିମହୁଲ, ବିଲାଶପୁର, ଧଣ୍ଡାମାଲ, ଲଣ୍ଡାପଥର, ରୁଗୁଡ଼ିପାଲି, ତାଲପାଲି, ବ୍ରାହ୍ମଣୀଜୋର ପ୍ରମୁଖ ଗାଁରେ ଜ୍ବର ହେଉଥିବା ଅଭିଯାଗ ହେଉଛି । ଗତ ବର୍ଷ କରୋନା ସଂକ୍ରମିତ ଠାରୁ ଦୂରେଇ ରହିବା ପାଇଁ ରୋଗୀ ଚିହ୍ନଟ କରି ସ୍ବତନ୍ତ୍ର ଭାବେ ରହିବା କିମ୍ବା ଚିକିତ୍ସା କରିବା ବ୍ୟବସ୍ଥା ଥିଲା । ଗାଁର କେଉଁ ପରିବାରରେ ସଂକ୍ରମିତ ହୋଇଛି ଡାକ୍ତରଖାନା ପକ୍ଷରୁ ଏଏନଏମ, ଆଶା ମା’ କିମ୍ବା ଅଙ୍ଗନୱାଡୀ କର୍ମୀଙ୍କ ଜରିଆରେ ଔଷଧ ପଠାଇବା ସହ ଅନ୍ୟମାନଙ୍କୁ ସତର୍କ ହେବାକୁ ଜଣାଇ ଦେଉଥିବାରୁ ଲୋକମାନେ ସତର୍କ ହେଉଥିଲେ । ଯାହା ଦ୍ବାରା ଅନ୍ୟକୁ ସଂକ୍ରମଣ କରିବା ସେତେଟା ସହଜ ହେଉ ନଥିଲା । ବର୍ତ୍ତମାନ କରୋନାର ଦ୍ବିତୀୟ ଳହରୀ ଅତି ମାରାତ୍ମକ ଥିଲେ ମଧ୍ୟ ପୂର୍ବ ପରି ସତର୍କ କରାଯାଉ ନ ଥିବାରୁ କ୍ରମଶଃ ଭାବେ ବିପଦ ଆଡ଼କୁ ମୁହାଁଉଥିବା ଜଣାପଡ଼ୁଛି । ତେଣୁ କରୋନା ସଂକ୍ରମିତ ରୋଗୀଠାରୁ ସାମାଜିକ ଦୂରତା ରକ୍ଷା କରିବା, ଘରେ ପରିବାର ଠାରୁ ମଧ୍ୟ ଦୂରେ ରହିବା ପାଇଁ ପରାମର୍ଶ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.