ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ସମାବେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାରର ଅଭାବ ସହ କଳାବଜାର ପ୍ରସଂଗକୁ ନେଇ ଆଜି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ସମାବେଶ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ସଭାପତି ରାଜେନ୍ଦ୍ର ନାୟକ ଓ ଜିଲ୍ଲା ସଂଯୋଜକ ବୈକୁଣ୍ଠ ଶତପଥିଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ଜିଲ୍ଲାର ୬ଟି ବ୍ଲକର କର୍ମକର୍ତ୍ତା ଓ ଅଗ୍ରଣୀ ଚାଷୀମାନେ ଯୋଗଦେଇ ୟୁରିଆ ସାରର କୃତ୍ରିମ ଅଭାବ ଓ କଳାବଜାରକୁ ନେଇ ସରକାର ବିରୋଧୀ ନାରାବାଜି କରିଥିଲେ । ଖରିଫ ଧାନଚାଷର ଆବଶ୍ୟକ ସମୟରେ ଜିଲ୍ଲାରେ ୟୁରିଆ ସାରର ଅଭାବ ସାଂଗକୁ ସରକାରୀ ଧାର୍ୟ୍ୟ ଦରଠୁ ଦୁଇଗୁଣା ଅଧିକରେ କଳାବଜାରୀମାନେ ବିକ୍ରି କରୁଥିବା ବେଳେ କୃଷି ବିଭାଗ କିଛି ଜିଲ୍ଲା ପ୍ରଶାସନର ନୀରବତା ଚାଷ ଓ ଚାଷୀ ପ୍ରତି ଅନ୍ୟାୟ ବୋଲି ସଂଗଠନ ନିନ୍ଦା କରିଛି । ଅପରପକ୍ଷେ, ସୁବର୍ଣ୍ଣପୁର ଜିଲ୍ଲାରେ ନିକଟରେ ହୋଇଥିବା ବନ୍ୟାର କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ଦେବାକୁ ଚାଷୀମାନେ ଦାବୀ କରିଛନ୍ତି । କୃଷକ ବିରୋଧୀ ନବୀନ ସରକାର ପ୍ରାୟୋଜିତ ୟୁରିଆ ସାରର ଅଭାବ ଓ କଳାବଜାର ସମସ୍ୟାର ତ୍ବରିତ ସମାଧାନ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ରକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଇଛନ୍ତି । କୃଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ କୃଷକ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଜିଲ୍ଲା କୃଷକ ସଂଗଠନ ଚେତାବନୀ ଦେଇଛି ।

Leave A Reply

Your email address will not be published.