ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତା ସଂପର୍କରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଂଜ ବିହାରୀ ଧଳ ଆଜି ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ ଠାରେ ବିଭିନ୍ନ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ସଂପର୍କରେ ସବିଶେଷ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଥିବା ମେଗା ଲିଫ୍ଟ ପ୍ରକଳ୍ପ ଗୁଡ଼ିକ ନିମନ୍ତେ ଥିବା ବିଦ୍ୟୁତ ବ୍ୟବସ୍ଥା, ଏହାର କାର୍ଯ୍ୟକାରିତା ଏବଂ ରକ୍ଷଣା ବେକ୍ଷଣ ସଂପର୍କରେ ସମୀକ୍ଷା କରିବା ସହ ଗ୍ରାମ୍ୟ ଜଳ ଓ ପରିମଳ ବିଭାଜନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ମାନଙ୍କର ବିଦ୍ୟୁତ ବ୍ୟବସ୍ଥା ଓ ଜିଲ୍ଲାରେ ଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ସଂପର୍କରେ ବିଭାଗୀୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଚଂଚଳ ରାଣା, ଓପିଟିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର, ଓପିଟିସିଏଲ୍‌ର ପ୍ରୋଜେକ୍ଟ ନିର୍ଦ୍ଦେଶକ ରାଜୀବ ଲୋଚନ ପଣ୍ଡା, ଟିପୁଡବ୍ଲ୍ୟୁ ଓ ଡିଏଲ୍‌ ବୁର୍ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଜାନନ ଏସ୍‌.କାଲେ, ସିଓ ସୁମିତ ଘୋଷ, ଅଧିକ୍ଷଣ ଯନ୍ତ୍ରୀ ରଂଜନ କୁମାର ନାଏକଙ୍କ ସମେତ ସଂପୃକ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ କ୍ଷେତ୍ର ପରିଦର୍ଶନରେ ଯାଇ ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କାର୍ଯ୍ୟକ୍ରମ ଜରିଆରେ ଅଣ ସଂକ୍ରମଣ ରୋଗ ଯାଂଚ, ଔଷଧ ଓ ବିଭିନ୍ନ ପରୀକ୍ଷାର ସୁବିଧା ସଂପର୍କରେ ତଦାରଖ କରିଥିଲେ । ସେଠାରେ ଆରକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ୟବସ୍ଥା କରାଯାଇଥିବା ଡିଜିଟାଲ ପରୀକ୍ଷଣ ଯନ୍ତ୍ରର ବ୍ୟବହାର ଓ ପ୍ରସୂତୀ ଗୃହର ଉନ୍ନତିକରଣ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ପରେ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ବଲାଙ୍ଗିର ସରକାରୀ ଆଇଟିଆଇ ପରିସରରେ ଜେଆର୍‌ଜି ଏଜୁକେସନାଲ୍‌ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଡିଡିୟୁ-ଜିକେୱାଇ ଦକ୍ଷତା ତାଲିମ କେନ୍ଦ୍ର ପରିଦର୍ଶନ କରି ଛାତ୍ରମାନଙ୍କ ସହ ତାଲିମ ବ୍ୟବସ୍ଥା ଓ ପ୍ଲେସ୍‌ମେଂଟର ସୁଯୋଗ ସଂପର୍କରେ ଆଲୋଚନା କରିଥିଲେ । ସେ ସେଠାରେ ଥିବା ୱାର୍କସପ୍‌ ଓ କ୍ଲାସ୍‌ରୁମ୍‌ ପରିଦର୍ଶନ କରିଥିଲେ । ଏହାପରେ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ସଦେଇପାଲି ଠାରେ ଥିବା ସୋଲାର ପାୱାର ପ୍ଲାଣ୍ଟ ଓ ୨୨୦/୧୩୨/୩୩ କେଭି ଗ୍ରୀଡ଼ ସବ୍‌ଷ୍ଟେସନ୍‌ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.