ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ : ପରିବାର ପକ୍ଷରୁ ଯୌତୁକ ନିର୍ୟାତନା ପରେ ହତ୍ୟା ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀପାଲି ଗାଁରେ ଜଣେ ବିବାହିତ ମହିଳାଙ୍କ ମୃତ ହୋଇଥିବା ନେଇ ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ପରିବାର ପକ୍ଷରୁ ତାଙ୍କ ଝିଅ ରଶ୍ମିତାକୁ ଯୌତୁକ ନିର୍ୟାତନା ପରେ ହତ୍ୟା କରାଯାଇଥିବା ନେଇ ଦେଓଗାଁ ଥାନାରେ ମୃତ ରଶ୍ମିତାଙ୍କ ବାପା ସୁରେନ୍ଦ୍ର ମେହେର ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଖବର ପାଇ ଦେଓଗାଁ ପୁଲିସ ଘଟଣା ସ୍ଥଳକୁ ପହଂଚି ଛାନଭିନ ଆରମ୍ଭ କରିଛି । ଉପର ମହଲାରେ ଥିବା ଏକ କୋଠାର ପଲଙ୍କ ଖଟ ଉପରେ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଞ୍ଚି ପରିପାଶ୍ୱ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ ଯେ, ସାଲେପାଲି ପଞ୍ଚାୟତ ବଡଡୁଙ୍ଗୁରୀପାଲି ଗାଁର ସୁଶାନ୍ତ ମେହେର ୨୦୧୪ ମସିହାରେ ଚୂଡ଼ାପାଲି ଗାଁର ରଶ୍ମିତା ମେହେରଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । କିନ୍ତୁ ବିବାହ ହେବା ଦିନଠୁ ରଶ୍ମିତାଙ୍କ ଶାଶୁ ଘର ଲୋକେ ଯୌତୁକ ପାଇଁ ବଧୁ ନିର୍ୟ୍ୟାତନା ଦେଉଥିଲେ ବୋଲି ମୃତ ରଶ୍ମିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି । ବୁଧୁବାର ସକାଳରେ ମୋର ଝିଅର କାକା ଶ୍ୱଶୁର ଫୋନ ମାଧ୍ୟମରେ ଆପଣଙ୍କ ଝିଅର ଅବସ୍ଥା ଖରାପ ଅଛିି, ଶୀଘ୍ର ଆସନ୍ତୁ ବୋଲି କହିବାରୁ ଆସି ଦେଖିବା ବେଳକୁ ମୃତ ଅବସ୍ଥାରେ ପଡିଥିଲା ବୋଲି ସୁରେନ୍ଦ୍ର ମେହେର ପ୍ରକାଶ କରିଛନ୍ତି । ଫଳରେ ରଶ୍ମିତାକୁ ପୂର୍ବରୁ ମଧ୍ୟ ଯୌତୁକ ନିର୍ୟାତନା କରାଯାଉଥିବା ବେଳେ ଏବେ ମଧ୍ୟ ଯୌତୁକ ନିର୍ୟାତନା କରିବା ପରେ ହତ୍ୟା କରାଯାଇଥିବା ପାରିବାର ପକ୍ଷରୁ ଅଭିଯୋଗ କରିବା ସହ ଉଚିତ୍ ତଦନ୍ତ କରି ସଠିକ୍ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.