oom

ଭୂମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ : ବାସଗୃହ ପାଇଁ ଜମି ପାଇବା ଭୂମିହୀନଙ୍କ ମୌଳିକ ଅଧିକାର, କହିଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଣିଷର ବଂଚି ରହିବା ତାର ମୌଳିକ ଅଧିକାର । ସେଥି ପାଇଁ ତାକୁ ରୋଜଗାର ନିହାତି ଦରକାର ଏବଂ ସହରରେ ରୋଜଗାର ପାଇଁ ତାର ବାସଗୃହ ଖଣ୍ଡେର ଆବଶ୍ୟକତାକୁ କେହି ମନା କରି ପାରିବେନାହିଁ । ତେଣୁ ଯଦି ସେ ଭୂମିହୀନ ହୋଇଥିବ, ବାସଗୃହ ଉପଯୋଗୀ ଜମି ବିନା ମୁଲ୍ୟରେ ପାଇବା ହେଉଛି ତାର ମୌଳିକ ଅଧିକାର । ଏଥିରୁ ତାକୁ କେହି ବଂଚିତ କରିପାରିବେ ନାହିଁ ବୋଲି ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ଜାଗା ମିଶନ ଯୋଜନା ମାଧ୍ୟମରେ ଭୂମିହୀନ ବସ୍ତି ବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ସରକାରୀ ଅଧିକାରୀ ଏବଂ ହିତାଧିକାରୀମାନଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି ।

ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସର୍ବମୋଟ ୫୩୭୪ ଜଣ ଚିହ୍ନିତ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ଆଜି ଡକାଯାଇଥିବା ୩୨ଜଣ ବସ୍ତି ବାସିନ୍ଦାଙ୍କୁ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ମର୍ମରେ ସେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ଏହି ଯୋଜନାର ସଫଳ ରୂପାୟନ ପାଇଁ ଠିକ୍ ଭାବେ ଯୋଗ୍ୟ ହିତାଧିକାରୀ ଚୟନ କରାଯିବା ଉପରେ ତତ୍ପରତା ସହିତ କାମ କରନ୍ତୁ ବୋଲି କହିବା ସହ ବଲାଙ୍ଗିରରେ ଏବେ ମଧ୍ୟ ୫୦ହଜାରରୁ ଅଧିକ ଭୂମିହୀନ ଗରିବଙ୍କ ପାଖରେ ବାସଗୃହ ପାଇଁ ଜମି ନାହିଁ, ସେ ସମସ୍ତ ଗରିବ ବାସଗୃହ ପାଇଁ ଜମି ପାଇଲେ ହିଁ ଏହି ଯୋଜନା ସଫଳ ରୂପାୟନ ହେଲା ବୋଲି ଧରାଯିବ ବୋଲି କହିଛ‌ନ୍ତି ।

ସ୍ଥାନୀୟ ମ୍ୟୁନିସିପାଲିଟିର କାର୍ୟ୍ୟନିର୍ବାହୀ ଅଧିକାରୀ ବିପିନ ଦୀପଙ୍କ ସଂଯୋଜନାରେ କୋଭିଡ୍ ଆଇନ ମୁତାବକ ଅନୁଷ୍ଠିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ଆଜି ୩୨ଜଣଙ୍କୁ ଭୂମି ଅଧିକାର ଯୋଗ୍ୟତାପତ୍ର ବଣ୍ଟନ ହୋଇଥିଲା । ଜାଗା ମିଶନ ଅଧିନରେ ବିଭିନ୍ନ ବସ୍ତିମାନଙ୍କରେ ବୌର ପରିଷଦ ତରଫରୁ ସର୍ଭେ କରାଯାଇ ସର୍ବମୋଟ ୫୩୭୪ ଜଣ ଜମି ଅଧିକାର ପାଇଁ ଯୋଗ୍ୟତା ପାଇଛନ୍ତି । କାର୍ୟ୍ୟକ୍ରମରେ ଉପସ୍ଥିତ ଜିଲ୍ଲାପାଳ ଚଞ୍ଚଳ ରାଣା ଜାଗା ମିଶନ ବାବଦରେ ଉପସ୍ଥିତ ଲୋକଙ୍କୁ ସୂଚନା ଦେବା ସହ ସେ କହିଥିଲେ ବର୍ଷେ ପୂର୍ବରୁ ଏହି ସର୍ଭେ କାମ ଆରମ୍ଭ ହୋଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ ସହରରେ ବିଭିନ୍ନ ବସ୍ତି ଅଂଚଳ ଚିହ୍ନଟ କରି ସେଠାରେ ରହୁଥିଲା ଲୋକଙ୍କୁ ଜମି ଅଧିକାର ଯୋଗ୍ୟତା ପ୍ରଦାନ କରାଯିବ ସହ ସେ ଅଂଚଳରେ ବିଭିନ୍ନ ସୁବିଧା ଯଥା ରାସ୍ତା, ପିଇବା ପାଣି, ବିଜୁଳି, ଅଙ୍ଗନୱାଡି କେନ୍ଦ୍ର ଆଦି ଆନୁସଙ୍ଗିକ ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି । ଜରୁରୀ ସ୍ଥଳେ ବିଭିନ୍ନ ବସ୍ତିରେ ଜମିର କିସମ ପରିବର୍ତ୍ତନ କରି ମଧ୍ୟ ଭୂମିହୀନଙ୍କ ପାଇଁ ଏହି ଯୋଜନା ମାଧ୍ୟମରେ ବାସଗୃହ ପାଇଁ ଜମି ଅଧିକାରୀ ଦେବାର ବ୍ୟବସ୍ଥା ଅଛି ବୋଲି ଜିଲ୍ଲାପାଳ କହିଥିଲେ । ଉତ୍ସବରେ ସାଂସଦ ସଂଗୀତା ସିଂଦେଓଙ୍କ ପ୍ରତିନିଧି ଭାବେ ପଙ୍କଜିନୀ ପଣ୍ଡା, ଡୁଡା ନିର୍ଦ୍ଦେଶକ ସୁଦର୍ଶନ ସାଏ, ଟ୍ରେନି ଆଇଏଏସ୍ ଅଧିକାରୀ ମନୋଜ ମହାଜନ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.