ରୁଗ୍‌ଣ ଓଟକୁ ଛାଡି ମାଲିକ ଫେରାର : ଭୋକରେ ଦିନ କାଟୁଛି ଓଟ, ଉଦ୍ଧାର ପାଇଁ ବନ ବିଭାଗ ଚୁପ୍‌ ଥିବା ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ହଜାର ହଜାର କିଲୋମିଟର ଚାଲି ଚାଲି ଗାଁ ଗାଁରେ, ବିଭିନ୍ନ ଯାତ୍ରା ସମୟରେ ଲୋକଙ୍କ ମନୋରଞ୍ଜନ କରିଥାଏ ଓଟ । କିନ୍ତୁ ଓଟର ବୟସ ଅଧିକ ହୋଇଯାଇଥିବାରୁ ମାଲିକ ଓଟଟିକୁ ଛାଡି ଫେରାର ହୋଇଯାଇଛି । ମୁଣ୍ଡ ଓ ପିଠିରେ ଘା’ ମଧ୍ୟ ହୋଇଯାଇଛି । ଓଟର ମାଲିକ ବୋଧେ ମାନବିକତାକୁ ଭୁଲି ଯାଇଛି । ଯିଏ ତାର ପିଠିରେ ବସିକି କିଛି ଟଙ୍କା ରୋଜଗାର କରୁଥିଲା ତାର ବୟସ ବଢି ଯାଇଛି ବୋଲି ଛାଡି ଦେଇ ଫେରାର ମାରିଥିବା ବେଳେ ସ୍ଥାନୀୟ ଯୁବଗୋଷ୍ଠୀ, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଓଟଟି ଲୋକଙ୍କୁ ଦେଖିଲେ ପାଖକୁ ଯାଉନଥିବା ବେଳେ ମାଲିକ ବାଟକୁ ଚାହିଁ ଅନାଇ ବସିଛି । ଦୟନୀୟ ଅବସ୍ଥାରେ ପଡି ରହିଥିବା ବେଳେ ଓଟର ଆଖିରୁ ଲୁହ ଝରୁଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଯେ, ଗତ କିଛି ଦିନ ହେଲା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ଗାଁକୁ ୩ ଜଣ ବ୍ୟକ୍ତି ୩ଟି ଓଟ ଆଣି ଗାଁ ଗାଁରେ ଓଟକୁ ଦେଖାଇ ମନୋରଞ୍ଜନ କରୁଥିଲେ । ହେଲେ ଗତକାଲିଠାରୁ ସେମାନଙ୍କର ଦେଖା ଦର୍ଶନ ନାହିଁ । କିନ୍ତୁ କିଛି ସ୍ୱେଚ୍ଛାସେବୀମାନେ ମୁର୍ମୁଷୁ ଅବସ୍ଥାରେ ଦେଖିବାକୁ ପାଇବା ପରେ ବନ ବିଭାଗକୁ ଖବର ଦେଇଥିଲେ ହେଲେ ବନ ବିଭାଗ ଉଦ୍ଧାର କରିବା ପାଇଁ ସିଧାସଳଖ ମନା କରିଦେଲା ବୋଲି ସ୍ୱେଚ୍ଛାସେବୀମାନେ ଅଭିଯୋଗ କରିଛନ୍ତି । ହେଲେ ଓଟଟି ଗୃହ ପାଳିତ ପଶୁ ହୋଇନ ଥିବା ବେଳେ ବନ ବିଭାଗ ଓଟକୁ ଘରେ ରଖିବାକୁ ମନା କରିଦେଇଛି । ସବୁଠୁ ଦୁଃଖର ବିଷୟ ଯେ, ବଲାଙ୍ଗିର-କଳାହାଣ୍ଡି ଜିଲ୍ଲାର ସୀମା ତୁଣ୍ଡଳାରେ ସକାଳେ ରହୁଥିବା ବେଳେ ସନ୍ଧ୍ୟାରେ ବେଲଗାଁରେ ଆଶ୍ରୟ ନେଇଥିବା ଜଣାପଡିଛି । ତେବେ ଜିଲ୍ଲା ପ୍ରଶାସନ ଓଟକୁ ଉଦ୍ଧାର କରି ଓଟର ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

2 + 10 =

error: Content is protected !!