ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମପାହାଡଠାରେ ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ବ୍ୟାଚ୍ର ବନ୍ଧୁମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୪୫ ବର୍ଷ ପରେ ସମସ୍ତ ବନ୍ଧୁ ଏକତ୍ରିତ ହୋଇ ଭାବ ବିହ୍ୱଳ ହୋଇପଡିଥିଲେ । ୪୫ ବର୍ଷ ତଳର ସେହି ଛାତ୍ର ଭଳି ସମସ୍ତଙ୍କୁ ବ୍ୟବହାର ପ୍ରଦର୍ଶନ ଆମୋଦ ଜନକ ଥିଲା । ମଧୁସୁଦନ ନାୟକଙ୍କ ସ୍ନେହ – ଶ୍ରଦ୍ଧା ମିଶ୍ରିତ କୃତ୍ରିମ ଗାଳି ବର୍ଷଣ ସମସ୍ତଙ୍କୁ ପୁଲକିତ କରିଥିଲା । ଗିରିଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ଭାବବିନିମୟ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଚ୍ର ଦିବଂଗତ ହୋଇଥିବା ସାଥି ଚାରୁଚନ୍ଦ୍ର ଦିପ, କବିରାଜ ସୁନା, ଉତ୍ତର ଧରୁଆ, ରଙ୍ଗାଧର ପୁଟେଲ, ପଂଚାନନ ପଧାନ, ରାୟଚନ ରାଏ ଓ ପ୍ରଫୁଲ୍ଲ କୁମାର ବକ୍ସିଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସମସ୍ତେ ଭାବ ବିନିମୟ କରିଥିଲେ । ୪୫ ବର୍ଷ ଭିତରେ ନିଜ ଜିବନର ଅନୁଭୁତି, ହର୍ଷ ଆନନ୍ଦ, ଦୁଃଖ ସୁଖ, ସମାଜରେ ନିଜର ତଥା ନିଜେ ଭିଆଇଥିବା ପରିବାରର ସ୍ଥିତି ଜଣ ଜଣ କରି ବଖାଣି ଥିଲେ । ଆମେ ଶିଶୁ ସୁଲଭ ହୋଇଯାଇଛୁଁ ବୋଲି ଡଃ. ଶଶିଭୂଷଣ ସାହୁ ମତ ରଖିଥିବା ବେଳେ ମଧୁସୁଦନ ନାୟକ କହିଥିଲେ ଯଦି ବି କେବେ କାହା ସହିତ ଦେଖା ହେଉଛି ଭାବ ବିନିମୟ ପାଇଁ ତାହା ଯଥେଷ୍ଟ ନୁହେଁ । ନିଜ ନିଜ ସ୍ଥିତିରେ ସମାଜରେ ଯିଏ ଯାହା ହିସାବରେ ପ୍ରତିଷ୍ଠିତ । ଆମେ ବୟସ୍କ ହୋଇଗଲେଣି । ସମାଜରେ ଆଜି ଭଳି କୁଭାଷା ଓ ସୁଭାଷା ପ୍ରୟୋଗ କରି ଖୋଳା ଭାବ ବିନିମୟର ସୁଯୋଗ ଆମ ପାଇଁ ଆଉ ନାହିଁ । ଖୋଲା ମନରେ ଭାବ ବିନିମୟ କରି ଆମୋଦିତ ହେବାର ସୁଯୋଗ ବାଲ୍ୟବନ୍ଧୁମାନଙ୍କ ସହିତ ଏଭଳି କାର୍ଯ୍ୟକ୍ରମରେ ହିଁ ହୋଇଥାଏ । ତେଣୁ ଆମେ ବଂଚିଥିବା ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମକୁ ଜାରି ରଖିବା । ହୃଷିକେଶ ଚିନ୍ଦା ମତ ରଖିଥିଲେ ଯେ, ଏଣୁ ଏଣିକି ଯାହା ଘରେ ବି ବିବାହ ବ୍ରତ ଠୁ ଆରମ୍ଭ କରି ମୃତାହ କାର୍ଯ୍ୟ ପର୍ଯ୍ୟନ୍ତ ସବୁ ସାମାଜିକ କାର୍ଯ୍ୟାନୁଷ୍ଠାନ ରେ ଆମେ ଏକତ୍ରିତ ହୋଇ ଯୋଗଦେବା ଓ ଦୁଃଖ ସୁଖରେ ମଧ୍ୟ ଛିଡା ହେବା । ସେହି ସମୟରେ ଆମକୁ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ମଧ୍ୟରୁ ଜଗଦାନନ୍ଦ ଛୁରିଆ, ସତ୍ୟନାରାୟଣ ମିଶ୍ର ଓ ନରସିଂହ ଦଣ୍ଡସେନା କେବଳ ଜିବିତ ଅଛନ୍ତି । ସେମାନଙ୍କୁ ଡାକି ଆଗାମୀ ମାର୍ଚ୍ଚ ୬ ତାରିଖରେ ଗୁରୁ ପୂଜନ କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା ।