centurian jitm

ସମ୍ଭାବ୍ୟ ବନ୍ୟାର ସଫଳ ମୁକାବିଳା ପାଇଁ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

  • ବିପର୍ଯ୍ୟୟର ଅତ୍ୟନ୍ତ ଗୁରୁତର ପ୍ରଭାବକୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ
  • ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ ଏହି ବୈଠକରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଲା ପାଇଁ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଉପରେ ବିଭିନ୍ନ ବିଭାଗ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ ପଦକ୍ଷେପ ଉପରେ ବିଭାଗୀୟ କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ଉପସ୍ଥାପନା କରାଯାଇଥିଲା । ଜିଲ୍ଲାପାଳ ଶ୍ରୀମତୀ ଦାସ ବିଭାଗ ମାନଙ୍କ ଦ୍ୱାରା କାର୍ଯ୍ୟନ୍ୱୟନର ତଥ୍ୟ ଗୁଡିକର ପ୍ରତ୍ୟେକଟି ବିନ୍ଦୁ ଉପରେ ବିଷଦ ଭାବରେ ଆଲୋଚନା କରି ସମ୍ଭାବ୍ୟ ବନ୍ୟାର ସଠିକ ଓ ସଫଳ ମୁକାବିଳା ନିମନ୍ତେ ବିପର୍ଯ୍ୟୟର ଅତ୍ୟନ୍ତ ଗୁରୁତର ପ୍ରଭାବକୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁନଶ୍ଚ ବନ୍ୟା ଆଶ୍ରୟ ସ୍ଥଳୀ ମାନଙ୍କରେ ସମୟ ପୂର୍ବରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହିତ ବନ୍ୟା ସମ୍ୱନ୍ଧୀୟ ଯେକୌଣସି ପୂର୍ବ ସୂଚନାର ବ୍ୟାପକ ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଜିଲ୍ଲାର ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସୁ-ସମ୍ପର୍କ ରକ୍ଷା ପୂର୍ବକ କାର୍ଯ୍ରକରି ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେବା ସହିତ ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାର ସମ୍ପୃକ୍ତ ପ୍ରତ୍ୟେକ ଅଧିକାରୀ ତଥା କର୍ମଚାରୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ସ୍ଥିତିକୁ ଦେଖି ତ୍ୱରିତ ପଦକ୍ଷେପ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । କାର୍ଯ୍ୟର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲା, ଉପଖଣ୍ଡ ସହ ବ୍ଲକସ୍ତର ତଥା ସମ୍ପୃକ୍ତ ବିଭିନ୍ନ ବିଭାଗର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ କାର୍ଯ୍ୟକ୍ଷମକୁ ନିରନ୍ତର ସୁନିଶ୍ଚିତ କରିବାକୁ ଅଧିକାରୀ ତଥା ବିଡ଼ିଓ ମାନଙ୍କୁ ବୈଠକରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ ଯୋଗାଯୋଗ ନମ୍ବର ୦୬୬୫୪- ୨୯୧୩୭୪ ରହିଥିବା ବେଳେ ଟୋଲ ଫ୍ରି ନମ୍ବର ୧୦୭୭ ରହିଥିବା ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାରେ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ବିଗତ ବର୍ଷର ଅଭିଜ୍ଞତାକୁ ନେଇ ନିଜ ବିଭାଗ ସମ୍ପୃକ୍ତ ସମ୍ବେଦନଶୀଳ କାର୍ଯ୍ୟକୁ ସମୟ ପୂର୍ବରୁ ବ୍ୟବସ୍ଥିତ କରିବା ଉପରେ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ତଥା ଅଧ୍ୟକ୍ଷା । ଏହି ପରିପ୍ରେକ୍ଷୀରେ ସମସ୍ତ ବ୍ଲକସ୍ତର ସହ ପୌରପରିଷଦ ସୋନପୁର, ଏନ୍‌ଏସି ବିନିକା ଓ ତରଭା ତଥା ସମ୍ପୃକ୍ତ ବିଭିନ୍ନ ବିଭାଗ ଚଳିତ ମାସ ଶେଷ ସୁଦ୍ଧା ନିଜ ନିଜ ସ୍ତରରେ ଆବଶ୍ୟକ ପ୍ରାକ ପ୍ରସ୍ତୁତିର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପୁନଶ୍ଚ ପ୍ରତ୍ୟେକ ବିଭାଗ ନିଜ ସ୍ତରରେ ମାଇକ୍ରୋ ପ୍ଲାନିଂ କରି ବିଭାଗୀୟ କାର୍ଯ୍ୟ ସମ୍ପାଦନର ଦାୟିତ୍ୱ ବଣ୍ଟନକୁ ନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସମ୍ଭାବ୍ୟ ବନ୍ୟାର ସଫଳ ମୁକାବିଳାକୁ ସୁନିଶ୍ଚିତ ତଥା ବ୍ୟବସ୍ଥିତ କରିବା ନିମନ୍ତେ ତୃଣମୂଳ ସ୍ତରରେ ସମସ୍ତ ପିଆର୍‌ଆଇ ସଦସ୍ୟ ସଦସ୍ୟା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସିଭିଲ ସୋସାଇଟି ସଦସ୍ୟ ପ୍ରଭୁତିଙ୍କୁ ସାମିଲ କରିବା ସହ ଆବଶ୍ୟକ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲାସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ବ୍ୟବସ୍ଥିତ କରାଯିବା ସହ ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ଆବଶ୍ୟକ ମତେ କଲ୍ୟାଣ ମଣ୍ଡପ ପ୍ରଭୁତିକୁ ମଧ୍ୟ ବ୍ୟବସ୍ଥିତ କରିବାକୁ ପରାମର୍ଶ ଦିଆଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ବଲାଙ୍ଗିର ଲୋକସଭା ସାଂସଦଙ୍କ ପ୍ରତିନିଧି ଶରତ ଶତପଥୀ ପ୍ରମୁଖ ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରି ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଲା ନିମନ୍ତେ ବିଭାଗ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଆନ୍ତରିକତା ସହ କାର୍ଯ୍ୟ କରିବା ଉପରେ ମତବ୍ୟକ୍ତ କରିଥିଲେ । ବୈଠକ ଅବସରରେ ସିଡିଏମ୍‌ଓ ଡା. ପ୍ରଦୀପ କୁମାର ଗୁରୁ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପଲ୍ଲବୀ ରାଣୀ ରାଜ, ଉପ ଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟାରୁପା ରଥ, ବୀରମହାରାଜପୁର ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସିଂ, ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସୋନପୁର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ବିନିକା ଓ ତରଭା ପ୍ରମୁଖଙ୍କ ସହ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ସଂଗ୍ରାମ କେଶରୀ ଜେନା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜରୁରୀ ଶାଖା ବିଶ୍ୱନାଥ ନାୟକ ତଥା ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.