ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ବନ ବିଭାଗ କର୍ମଚାରୀ

ବଣାଇ, (ନାରାୟଣ ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅଧୀନ ଧରଣୀଧର ପାଲିସ୍ଥିତ ବନ ବିଭାଗ ନର୍ସରୀଠାରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଦୁଇଜଣ ବନ ବିଭାଗ କର୍ମଚାରୀ । ସୂଚନା ଅନୁସାରେ କିଛି ମାସ ପୂର୍ବରୁ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଦହିଚୂର୍ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଦୁଇଚକିଆ ଯାନରେ କାଠ ବୋଝେଇ କରି ରାସ୍ତାରେ ଯାଉଥିବା ବେଳେ ଉକ୍ତ ଦୁଇଚକିଆ ଯାନକୁ ବନ ବିଭାଗ କର୍ମଚାରୀମାନେ ଧରି କୌଣସି ମୋକଦ୍ଧମା ପଞ୍ଜିକୃତ ନକରି ଧରଣୀଧର ପାଲିସ୍ଥିତ ବନ ନର୍ସରୀଠାରେ ରଖିଥିଲେ । ସେଠାରେ ରଖାଯାଇ ଥିବା ଦୁଇଛକିଆ ଯାନକୁ ଫେରାଇ ନେବା ପାଇଁ ଗାଡ଼ି ମାଲିକଙ୍କ ସ୍ତ୍ରୀ ଧରଣୀଧର ପାଲି ବନରକ୍ଷୀ ସନାତନ ପାତ୍ରଙ୍କ ସହିତ ଯୋଗାଯୋଗ କରିଥିଲେ । ଗାଡିକୁ ଫେରାଇ ଦେବା ବଦଳରେ ଦଶ ହଜାର ଟଙ୍କା ଦେବା ପାଇଁ ବନ ରକ୍ଷୀ ସନାତନ ପାତ୍ର ଉକ୍ତ ମହିଳାଙ୍କୁ କହିଥିଲେ । ଦଶ ହଜାର ଟଙ୍କା ଦେବାକୁ ମହିଳା ଜଣକ ନିଜର ଅକ୍ଷମତା ପ୍ରକାଶ କରିବାରୁ ଶେଷରେ ସାତ ହଜାର ଟଙ୍କାରେ କଥା ଛିଣ୍ଡି ଥିଲା । ଏନେଇ ମହିଳା ଜଣକ ରାଉରକେଲାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ । ଯୋଜନା ମୁତାବକ ଗତକାଲି ମଧ୍ୟାହ୍ନ ସମୟରେ ମହିଳା ଜଣକ ଟଙ୍କା ଦେବା ପାଇଁ ଧରଣୀଧରପାଲି ବନରକ୍ଷୀ ସନାତନ ପାତ୍ରଙ୍କୁ ସାକ୍ଷାତ କରି ଥିବା ବେଳେ ସେହି ଟଙ୍କା ବନ ଜଗୁଆଳି ନରେନ୍ଦ୍ର କାଲୋଙ୍କୁ ଦେବା ପାଇଁ ଶ୍ରୀ ପାତ୍ର ମହିଳା ଜଣଙ୍କୁ କହିଥିଲେ । ଶ୍ରୀ କାଲୋ ଉକ୍ତ ମହିଳାଙ୍କଠାରୁ ସାତ ହଜାର ଟଙ୍କା ନେବା ସମୟ ରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ଉଭୟଙ୍କୁ କାବୁ କରିବା ସହିତ ଉଭୟଙ୍କୁ ଗିରଫ କରି ରାଉରକେଲା ଭିଜିଲାନ୍ସ ବିଭଗ ତରଫରୁ କେସ୍‌ ନଂ. ୩୨/୨୦୨୩ରେ ଉକ୍ତ ଦୁହିଙ୍କୁ ସୁନ୍ଦରଗଡ଼ସ୍ଥିତ ଭିଜିଲାନ୍ସ ଅଦାଲତରେ ହାଜର କରା ଯିବା ପରେ ଉଭୟଙ୍କୁ ଜେଲ ହାଜତକୁ ପଠାଯାଇଛି । ଏହି ଚଢ଼ାଉରେ ରାଉରକେଲା ଭିଜିଲାନ୍ସ ଡିଏସ୍‌ପି ମାନସ ପ୍ରଧାନଙ୍କ ନେତୃତ୍ୱରେ ଇନ୍ସପେକ୍ଟର ମୁକେଶ କୁମାର ଲାକ୍ରା, ଲିପିକା ନାଏକଙ୍କ ସହିତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.