ପୌଷ୍ୟ ଗ୍ରହଣ ପରେ ଚନ୍ଦନଭାଟି ହାଇସ୍କୁଲରେ ନରସିଂହଙ୍କ ବୈଠକ : ବେନିଆପାଲି ଓ ଚମାରଟିକ୍ରାରେ ପିଇବା ପାଣି ପ୍ରକଳ୍ପ ଭିତ୍ତିପ୍ରସ୍ତର

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌଷ୍ୟ ଗ୍ରହଣ କରିଥିବା ବଲାଙ୍ଗିର ସଦର ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଚନ୍ଦନଭାଟି ହାଇସ୍କୁଲର ବିକାଶକୁ ନେଇ ଏକ ବୈଠକରେ ଯୋଗଦେଇଛନ୍ତି । ବ୍ଲକ ଶିକ୍ଷାଧିକାରୀ ରାଘବ ପାଣିଗ୍ରାହୀ, ଶିକ୍ଷା ପ୍ରତିନିଧି ଶିକ୍ଷାବିତ୍‌ ବାମଦେବ ମିଶ୍ର, ପ୍ରଧାନ ଶିକ୍ଷକ ରଂଜନ ପ୍ରଧାନ ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ରାମ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନାରେ ସ୍କୁଲର ଭିତ୍ତିଭୂମି, ପାଠପଢାର ମାନ, ଶିକ୍ଷକ କର୍ମଚାରୀଙ୍କ ଅଭାବକୁ ନେଇ ବିଧାୟକ ଶ୍ରୀ ମିଶ୍ର ଆଲୋଚନା କରିଥିଲେ । ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବାରୁ ସ୍କୁଲ ପରିଚାଳନା କମିଟି ତଥା ସ୍କୁଲ କର୍ମଚାରୀଙ୍କ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କ କୃତଜ୍ଞତାପତ୍ର ପ୍ରଦାନ କରାଯାଇଥିଲା । ଖରାପ ଅବସ୍ଥାରେ ଥିବା ସ୍କୁଲ ବିଲଡିଂର ପୁର୍ନଉଦ୍ଧାର, ତିନୋଟି ଷ୍ଟାଫ୍‌ କ୍ୱାଟର, ଟୟଲେଟ ତଥା କ୍ଲାସରୁମ ନିର୍ମାଣ ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଆଗାମୀ ଦିନରେ ସ୍କୁଲ ପାଇଁ ରାତ୍ରି ଜଗୁଆଳି ଗୃହ, ଏକ ସମୀକ୍ଷା ଗୃହ ତଥା ପାଚେରୀ ନିର୍ମାଣ କରିବା ସହ ନବମ ଓ ଦଶମ ଶ୍ରେଣୀରେ ୧୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଥିବାରୁ ଆଉ ଗୋଟିଏ ଗୋଟିଏ ଶାଖାର ମଞ୍ଜୁରୀ ପାଇଁ ପଦକ୍ଷେପ ନେବାକୁ ପରିଚାଳନା କମିଟି ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ଯେତେ ଶୀଘ୍ର ହେବ ଖାଲି ଥିବା ତିନୋଟି ପିଅନ ପଦବୀ ପୁରଣ କରାଯିବା ଉପରେ ଶ୍ରୀ ମିଶ୍ର କଥା ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ରାଧାକାନ୍ତ ଭୋଇ, ସରପଞ୍ଚ ମୀନା କୁମାରୀ ଭୋଇ, କପିଳେଶ୍ୱର ପାଣିଗ୍ରାହୀ, ରାଧାକିଶନ ଚୈଧୁରୀ, ସତ୍ୟ ପ୍ରସାଦ ସିଂହ, ଲିଙ୍ଗ ମେହେର, ଦେବଦତ୍ତ ପାଣିଗ୍ରାହି, ସଂର୍କିତ୍ତନ ମେହେର, ପ୍ରକାଶ ବରାଇ ପ୍ରମୁଖ ଉପସ୍ଥିତ ଥିଲେ ।

ଆରମ୍ଭରୁ ସ୍କୁଲର ପ୍ରତିଷ୍ଠାତା ସଭାପତି ଶଙ୍କର୍ଷଣ ପାଣିଗ୍ରାହୀ ଏବଂ ପ୍ରତିଷ୍ଠାତା ସଂପାଦକ ଅଚ୍ୟୁତାନନ୍ଦ ଯୋଷୀଙ୍କ ପ୍ରତିମୃର୍ତ୍ତିରେ ବିଧାୟକ ଶ୍ରୀ ମିଶ୍ର ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ମାନ ଜଣାଇଥିଲେ । ତା ପୂର୍ବରୁ ଚନ୍ଦନଭାଟିର ଚମାରଟିକ୍ରାକୁ ଏବଂ ଦୁଆନପାଲି ଠାରୁ ବେନିଆପାଲି ପଡା ଗ୍ରାମକୁ ପାଇପ ଯୋଗେ ପିଇବା ପାଣିର ଦୁଇଟି ସଂପ୍ରସାରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ବିଧାୟକ ଶ୍ରୀ ମିଶ୍ର ଦେଇଥିଲେ । ଉଭୟେ ଗ୍ରାମରେ ପିଇବା ପାଣି ଘୋର ସମସ୍ୟା ଥିବାରୁ ଗ୍ରାମବାସୀମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଉଚ୍ଛର୍ଷିତ ସମ୍ବର୍ଦ୍ଧନା ଜଣାଇଥିଲେ । ବିଧାୟକ ଶ୍ରୀ ମିଶ୍ର ଉଭୟ ଗ୍ରାମରେ ଯେପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଗାଈ ଗୁହାଳ, ବିକଳାଙ୍ଗ ଭତ୍ତା ତଥା ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ରାସନ କାର୍ଡ ପାଇପାରିବେ ତାର ଏକ ସବିଶେଷ ତାଲିକା ତାଙ୍କ ପାଖକୁ ପହଞ୍ଚାଇବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରକଳ୍ପ ଭିତ୍ତିପ୍ରସ୍ତର ସଭାରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଆରଡବ୍ଲୁଏସ୍‌ଏସ୍‌ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ବିପିନ ଦାଶ, ଏସ୍‌ଜିଓ ଇଂ. ପି.କେ. ମହାପାତ୍ର, ଉମାଶଙ୍କର ପଣ୍ଡା, ବିଧାୟକଙ୍କ ପ୍ରତିନିଧି ମାନସ ମହାନ୍ତି, ଟିଟୁ ରଣା, ଦୁଆନପାଲି ୱାର୍ଡ ମେମ୍ବର ଦେବରାଜ ବିଶ୍ୱାଲଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.