ଭୟ ବଢାଉଛନ୍ତି ବାହ୍ୟରାଜ୍ୟ ବେପାରୀ : ବୁଲୁଛନ୍ତି ଗ୍ରାମାଞ୍ଚଳର ଘରକୁ ଘର

ଦେଓଗାଁ, (କିଶୋର କୁମାର ସାହୁ) : କରୋନା ଆକ୍ରାନ୍ତଙ୍କ ସଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି ବଲାଙ୍ଗୀର ଜିଲ୍ଲାରେ । ଜିଲ୍ଲାର ସମସ୍ତ ବ୍ଲକରେ କରୋନା ଆକ୍ରାନ୍ତ ବଢ଼ି ଚାଲିଥିବା ବେଳେ ଦେଓଗାଁ ବ୍ଲକରେ ଏ ପର୍ୟ୍ୟନ୍ତ ହାତଗଣତି କିଛି ଲୋକଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଅଞ୍ଚଳରେ ଲୋକେ କରୋନ ପ୍ରତି ଭୟଭୀତ ହେଉନାହାନ୍ତି । ଏହା ସହ ସାମାଜିକ ଦୂରତା ଓ ମାକ୍ସ୍ ପିନ୍ଧିବାକୁ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି ଅଞ୍ଚଳର ଲୋକେ । ଯେତେବେଳେ କରୋନା ସଂକ୍ରମଣ ବଢିବା ଆରମ୍ଭ ହୋଇଥିଲା, ସେ ସମୟରେ ମାର୍ଚ୍ଚ, ଏପ୍ରିଲ୍ ମାସରେ ଲକଡାଉନ, ସଟଡାଉନ୍ ଯୋଗୁଁ ବାହ୍ୟ ରାଜ୍ୟର ଫେରିବାଲା, ପ୍ଲାଷ୍ଟିକ ବେପାରୀ, ଘର ସୌନ୍ଦର୍ୟ୍ୟକରଣ ସାମଗ୍ରୀ ବେପାରୀମାନେ ବେପାର ଛାଡ଼ି ଚାଲି ଯାଇଥିଲେ ନିଜ ଘରକୁ । କିନ୍ତୁ ଏବେ ଦେଶରେ ଅନଲକ ହେବା ପରେ କରୋନା କଟକଣା ସାମାନ୍ୟ ଢିଲା ଉତାରୁ ରୋଜଗାର ଆଶାରେ ସାମଗ୍ରୀ ନେଇ ଫେରିଆସି ପୁଣି ବେପାରରେ ଲାଗି ଗଲେଣି ଫେରିବାଲା । ସେମାନେ ବିଭିନ୍ନ ଗାଁ ଗାଁ ବୁଲି ବେପାର କରୁଥିବାରୁ ଗ୍ରାମବାସୀ ଭୟଭୀତ ହେଉଥିବା ଜଣାପଡ଼ୁଛି।
କିଛି ଦିନ ହେଲା ଦେଓଗାଁ ବ୍ଲକର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳରେ ଥିବା ବିଭିନ୍ନ ଗାଁଗୁଡିକୁ ବେପାର ପାଇଁ ମାଡ଼ି ଗଲେଣି ବାହ୍ୟରାଜ୍ୟ ବେପାରୀ । ପଶ୍ଚିମବଙ୍ଗ ଲିଙ୍କ ଯୋଗୁଁ ଓଡ଼ିଶାରେ ପ୍ରଥମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଥିବାରୁ ଏବେ ସେଠାକାର ଲୋକେ ଆସି ଏଠାରେ ବେପାର ଆରମ୍ଭ କରି ଦେଇଥିବାରୁ ସାଧାରଣ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଏମାନେ ଆସି ନିକଟସ୍ଥ ସହରରେ ରହି ସକାଳରୁ ବାହାରି ପଡ଼ୁଛନ୍ତି ଗାଁଗୁଡିକୁ । ଏବେ ମହାମାରୀ ସମୟରେ ଏହି ବେପରୀମାନଙ୍କର ସ୍ଵାଭାବିକ ଠାରୁ କମ୍ ମାତ୍ରାରେ ବେପାର ହେଉଥିବାରୁ କମ୍ ଦରରେ ବିକ୍ରୀ କରୁଥିବାରୁ ଗ୍ରାମାଞ୍ଚଳର ମହିଳାମାନେ ସେମାନଙ୍କଠାରୁ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି । ଏମାନେ ବାହ୍ୟ ରାଜ୍ୟରୁ ଆସୁଥିବାରୁ ଆଗକୁ ବିପଦ ଆଣି ପାରନ୍ତି ବଙ୍ଗାଳୀ ଓ ବିହାରୀ ବେପାରୀମାନେ ବୋଲି ଆଲୋଚନା ହେବା ସହ ଏବେ ଗ୍ରାମାଞ୍ଚଳରେ ଏମାନଙ୍କୁ ନେଇ ଭୟଭୀତ ହେବା ଅବସ୍ଥା ଦେଖିବାକୁ ମିଳିଛି।

Leave A Reply

Your email address will not be published.