jayashree

ଲାଓ ପିଡିଆରରେ ୨୧ତମ ଆସିଆନ – ଭାରତ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ୨୧ତମ ଆସିଆନ – ଭାରତ ଶିଖର ସମ୍ମିଳନୀ ୧୦ ଅକ୍ଟୋବର ୨୦୨୪ରେ ଲାଓ ପିଡିଆରର ଭିଏଣ୍ଟିଆନେ ଠାରେ ଅନୁଷ୍ଠିତ ହୋଇଛି । ଭାରତର ଆକ୍ଟ ଇଷ୍ଟ ନୀତିର ଏକ ଦଶନ୍ଧି ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିଆନ୍ ନେତାଙ୍କ ସହ ମିଶି ଆସିଆନ୍ – ଭାରତ ବ୍ୟାପକ ରଣନୈତିକ ଭାଗିଦାରୀର ଅଗ୍ରଗତି ସମୀକ୍ଷା କରିବା ସହ ସହଯୋଗର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରିଥିଲେ । ଏହି ଶିଖର ସମ୍ମିଳନୀରେ ଏହା ପ୍ରଧାନମନ୍ତ୍ରୀଙ୍କ ୧୧ତମ ଅଂଶଗ୍ରହଣ ଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆସିଆନ ଏକତା, ଆସିଆନ୍ କେନ୍ଦ୍ରୀୟତା ଏବଂ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଆସିଆନ୍ ଦୃଷ୍ଟିକୋଣ ପ୍ରତି ଭାରତର ସମର୍ଥନକୁ ଦୋହରାଇଥିଲେ । ଏକବିଂଶ ଶତାବ୍ଦୀକୁ ଏସୀୟ ଶତାବ୍ଦୀ ବୋଲି ଅଭିହିତ କରି ସେ ଉଲ୍ଲେଖ କରିଥିଲେ ଯେ, ଏସିଆର ଭବିଷ୍ୟତକୁ ମାର୍ଗଦର୍ଶନ କରିବା ପାଇଁ ଭାରତ – ଆସିଆନ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ । ଭାରତର ଆକ୍ଟ ଇଷ୍ଟ ନୀତିର ଜୀବନ୍ତତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ ଭାରତ – ଆସିଆନ ବାଣିଜ୍ୟ ଦ୍ୱିଗୁଣିତ ହୋଇ ୧୩୦ ବିଲିୟନ ଡଲାରରୁ ଅଧିକ ହୋଇଛି । ଆସିଆନ୍ ଆଜି ଭାରତର ଅନ୍ୟତମ ବୃହତ୍ତମ ବାଣିଜ୍ୟ ଓ ନିବେଶ ସହଯୋଗୀ । ୭ଟି ଆସିଆନ୍ ଦେଶ ସହ ସିଧାସଳଖ ବିମାନ ଯୋଗାଯୋଗ ସ୍ଥାପନ । ଏହି ଅଞ୍ଚଳ ସହିତ ଫିନ୍ – ଟେକ୍ ସହଯୋଗରେ ଆଶାଜନକ ଆରମ୍ଭ ; ଏବଂ ୫ଟି ଆସିଆନ ଦେଶରେ ଅଂଶୀଦାର ସାଂସ୍କୃତିକ ଐତିହ୍ୟ ପୁନରୁଦ୍ଧାର ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଆସିଆନ୍ – ଭାରତ ସମୁଦାୟର ହିତ ପାଇଁ ଅଧିକ ଅର୍ଥନୈତିକ ସମ୍ଭାବନାର ଉପଯୋଗ ଦିଗରେ ଆସିଆନ୍ – ଭାରତ ଏଫ୍ଟିଏ (ଏଆଇଟିଆଇଜିଏ)ର ସମୀକ୍ଷାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଆସିଆନ ଯୁବକମାନଙ୍କୁ ପ୍ରଦାନ କରାଯାଉଥିବା ବୃତ୍ତି ମାଧ୍ୟମରେ ଭାରତ – ଆସିଆନ୍ ଜ୍ଞାନ ଭାଗିଦାରୀର ଅଗ୍ରଗତି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଅଧ୍ୟକ୍ଷଙ୍କ “ଯୋଗାଯୋଗ ଏବଂ ସ୍ଥିରତା ବୃଦ୍ଧି” ବିଷୟବସ୍ତୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏକ ୧୦ – ସୂତ୍ରୀ ଯୋଜନା ଘୋଷଣା କରିଥିଲେ ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲା :

୧) ୨୦୨୫ ମସିହାକୁ ଆସିଆନ – ଭାରତ ପର୍ଯ୍ୟଟନ ବର୍ଷ ଭାବରେ ପାଳନ କରିବା, ଯେଉଁଥିପାଇଁ ଭାରତ ମିଳିତ କାର୍ଯ୍ୟକଳାପ ପାଇଁ ୫ ନିୟୁତ ଆମେରିକୀୟ ଡଲାର ଉପଲବ୍ଧ କରାଇବ ।

୨) ଯୁବ ସମ୍ମିଳନୀ, ଷ୍ଟାର୍ଟଅପ୍ ଫେଷ୍ଟିଭାଲ, ହ୍ୟାକାଥନ, ମ୍ୟୁଜିକ୍ ଫେଷ୍ଟିଭାଲ, ଆସିଆନ – ଇଣ୍ଡିଆ ନେଟୱାର୍କ ଅଫ୍ ଥିଙ୍କ ଟ୍ୟାଙ୍କଏବଂ ଦିଲ୍ଲୀ ଡାଏଲଗ ସମେତ ଅନେକ ଲୋକାଭିମୁଖୀ କାର୍ଯ୍ୟକଳାପ ମାଧ୍ୟମରେ ଆକ୍ଟ ଇଷ୍ଟ ପଲିସିର ଏକ ଦଶନ୍ଧି ପାଳନ କରିବା ।

୩) ଆସିଆନ – ଭାରତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିକାଶ ପାଣ୍ଠି ଅଧୀନରେ ଆସିଆନ – ଭାରତ ମହିଳା ବୈଜ୍ଞାନିକ ସମ୍ମିଳନୀ ଆୟୋଜନ କରିବା ।

୪) ନାଳନ୍ଦା ବିଶ୍ୱବିଦ୍ୟାଳୟରେ ବୃତ୍ତି ସଂଖ୍ୟା ଦ୍ୱିଗୁଣିତ କରିବା ଏବଂ ଭାରତର କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆସିଆନ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ବୃତ୍ତିର ବ୍ୟବସ୍ଥା ।

୫) ୨୦୨୫ ସୁଦ୍ଧା ଆସିଆନ – ଭାରତ ବାଣିଜ୍ୟ ବାଣିଜ୍ୟ ଚୁକ୍ତିର ସମୀକ୍ଷା ।

୬) ବିପର୍ଯ୍ୟୟ ମୁକାବିଲା ବୃଦ୍ଧି, ଯେଉଁଥିପାଇଁ ଭାରତ ୫ ନିୟୁତ ଆମେରିକୀୟ ଡଲାର ଉପଲବ୍ଧ କରାଇବ।

୭) ସ୍ୱାସ୍ଥ୍ୟ ସ୍ଥିରତା ଗଠନ ଦିଗରେ ଏକ ନୂତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଟ୍ରାକ୍ ଆରମ୍ଭ କରିବା ।

୮) ଡିଜିଟାଲ ଏବଂ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଆସିଆନ – ଭାରତ ସାଇବର ନୀତି ଆଲୋଚନାର ଏକ ନିୟମିତ ବ୍ୟବସ୍ଥା ଆରମ୍ଭ କରିବା ।

୯) ସବୁଜ ହାଇଡ୍ରୋଜେନ ଉପରେ କର୍ମଶାଳା ।

୧୦) ଜଳବାୟୁ ସ୍ଥିରତା ସୃଷ୍ଟି ଦିଗରେ ମା’ଙ୍କ ପାଇଁ ଗଛଟିଏ ଲଗାଇବା’ ଅଭିଯାନରେ ଯୋଗ ଦେବା ପାଇଁ ଆସିଆନ୍ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଛି ।

ବୈଠକରେ ନେତାମାନେ ଏକ ନୂତନ ଆସିଆନ – ଭାରତ କାର୍ଯ୍ୟ ଯୋଜନା (୨୦୨୬ – ୨୦୩୦) ପ୍ରସ୍ତୁତ କରିବାକୁ ରାଜି ହୋଇଥିଲେ ଯାହା ଆସିଆନ – ଭାରତ ଭାଗିଦାରୀର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଲବ୍ଧ କରିବାରେ ଉଭୟ ପକ୍ଷଙ୍କୁ ମାର୍ଗଦର୍ଶନ କରିବ ଏବଂ ଦୁଇଟି ମିଳିତ ବିବୃତି ଗ୍ରହଣ କରିଛି :

କ) ଭାରତର ଆକ୍ଟ ଇଷ୍ଟ ପଲିସି (ଏଇପି)ର ସମର୍ଥନରେ ଭାରତ – ପ୍ରଶାନ୍ତ ମହାସାଗରରେ ଆସିଆନ୍ ଦୃଷ୍ଟିକୋଣ (ଏଓଆଇପି) ପରିପ୍ରେକ୍ଷୀରେ ଏହି ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆସିଆନ୍ – ଭାରତ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ମିଳିତ ବିବୃତି – ନେତାମାନେ ଆସିଆନ୍ ଏବଂ ଭାରତ ମଧ୍ୟରେ ଭାଗିଦାରୀକୁ ଆଗକୁ ବଢ଼ାଇବାରେ ଭାରତର ଆକ୍ଟ ଇଷ୍ଟ ନୀତିର ଅବଦାନକୁ ସ୍ୱୀକାର କରିଥିଲେ । ମିଳିତ ବିବୃତିର ସମ୍ପୂର୍ଣ୍ଣ ଲେଖା ଏଠାରେ ଆକସେସ୍ କରାଯାଇପାରିବ ।

ଖ) ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେବା ଉପରେ ଆସିଆନ – ଭାରତ ମିଳିତ ବିବୃତି ନେତାମାନେ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ଭାରତର ନେତୃତ୍ୱକୁ ପ୍ରଶଂସା କରିଥିଲେ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିରେ ଭାରତ ସହିତ ଭାଗିଦାରୀକୁ ସ୍ୱାଗତ କରିଥିଲେ । ମିଳିତ ବିବୃତିର ସମ୍ପୂର୍ଣ୍ଣ ଲେଖା ଏଠାରେ ଆକସେସ୍ କରାଯାଇପାରିବ ।

୨୧ ତମ ଆସିଆନ୍ – ଭାରତ ଶିଖର ସମ୍ମିଳନୀର ସଫଳତାର ସହ ଆୟୋଜନ କରିଥିବାରୁ ଏବଂ ତାଙ୍କ ଉଷ୍ମତା ଏବଂ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ଲାଓସ୍ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ବିଗତ ୩ ବର୍ଷ ମଧ୍ୟରେ ଦେଶ ସଂଯୋଜକ ଭାବରେ ସିଙ୍ଗାପୁରର ଗଠନମୂଳକ ଭୂମିକା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଭାରତର ନୂତନ ଦେଶ ସଂଯୋଜକ ଫିଲିପାଇନ୍ସ ସହିତ କାର୍ଯ୍ୟ କରିବାକୁ ଆଗ୍ରହୀ ଥିଲେ ।

Leave A Reply

Your email address will not be published.