କାନ୍ଥ ଭୁଷୁଡି ମୃତ୍ୟୁବରଣ କରିଥିବା ଦୀପାଳିଙ୍କ ପରିବାର ପ୍ରତି ପ୍ରଶାସନର ଅବହେଳା : ପ୍ରତିଶ୍ରୁତିକୁ ପୂରିଲା ଦୁଇ ମାସ, ଆଶାରେ ପରିବାର ଲୋକେ

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଦୁଇ ମାସ ତଲେ ଘଟିଥିଲା ଏକ ଦୁଖଃଦ ଘଟଣା । ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଗାଁର ଶୋଭାବନ ବାରଲେଣ୍ଡିଆଙ୍କ ଘରକାନ୍ଥ ଭୁଷୁଡି ପଡିବାରୁ ପରିବାରର ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଝିଅ ଦୀପାଳି(୧୯)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଗ୍ରାମବାସୀଙ୍କ ଅନୁରୋଧରେ ବୁଲି ଦେଖିଥିଲେ ସରକାରୀ ଅଧିକାରୀମାନେ ଏବଂ ଗ୍ରାମବାସୀଙ୍କ ଦାବୀ ମାନି ୪ ଲକ୍ଷ ଟଙ୍କା ଓ ଆବାସ ଯୋଜନାରେ ଘର ଖଣ୍ଡେ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜିକୁ ଦୁଇମାସ ପୂରିବାକୁ ବସିଥିଲେ ମଧ୍ୟ ବାରଲେଣ୍ଡିଆ ପରିବାରକୁ ନା ମିଳିଛି ଟଙ୍କା ନା ମିଳିଛି ଘର ଖଣ୍ଡେ । ଏପଟେ ମୃତ ଦୀପାଳିଙ୍କ ମାଁ ସତ୍ୟଭାମାଙ୍କ ଅଣ୍ଟାରେ କାନ୍ଥ ପଡିଥିବାରୁ ତାଙ୍କର ଅଣ୍ଟା ଠିକ୍ ହୋଇ ପାରିନଥିବାରୁ ସେ ଭଲ ଭାବେ ଚଲାବୁଲା କରିବା ମଧ୍ୟ କଷ୍ଟକର ହୋଇପଡିଛି । ହାତରେ କଉଡିଟିଏ ବି ନଥିବାରୁ ସେ ଚିକିତ୍ସିତ ହୋଇପାରୁ ନାହାଁନ୍ତି । ସତରେ କଣ ଗରିବ ଲୋକଙ୍କ ପାଇଁ ସରକାରୀ ଯୋଜନା ସାତସପନ ନା ଗରିବମାନଙ୍କ କେହି ନାହିଁ ବୋଲି ସେମାନଙ୍କୁ ହତାଦର ନା ପ୍ରଶାସନ କର୍ମଚାରୀଙ୍କ କଥା କଥାରେ ରହିଯିବ । ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଅଞ୍ଚଳରେ । ଶୀଘ୍ର ଏମାନଙ୍କୁ କହିଥିବା ୪ ଲକ୍ଷ ଟଙ୍କା ଏବଂ ଘର ଖଣ୍ଡେ ଯୋଗାଇ ନଦେଲେ ଆଗାମୀ ଦିନରେ ଘୁନଘୁଟିପାଲି ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଦେଖିବାକୁ ବାକି ରହିଲା ସରକାରଙ୍କ ଗରିବ ଲୋକଙ୍କ ପ୍ରତି ଦରଦ କେତେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.