jayashree

ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପଞ୍ଚାୟତସ୍ତରୀୟ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ମୁରିବାହାଲ, ହଳଦୀ, ପୁଡ଼ାପାଲି(କରାଡୁଙ୍ଗୁରୀ), ଡଙ୍ଗରପଡ଼ା(କୋକଡୁଙ୍ଗୁରୀ), ଚଳକୀ, ଗଁରେଇ, ଲେବଡା, ଗରଗଡବାହାଲ, ଘଣ୍ଟବାହାଲି, ଝିଙ୍କିଡୁଙ୍ଗୁରୀ ଓ ସିରୋଲ୍ ଆଦି ବ୍ଲକର ବହୁ ସ୍ଥାନରେ ବିଭିନ୍ନ ରୀତିନୀତିରେ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା, ଗିରି ଗୋବର୍ଦ୍ଧନ ପୂଜା, ପାରମ୍ପରିକ ବାଡ଼ିଖେଳ ସହ ନାମଯଜ୍ଞ, ବିଶ୍ଵଶାନ୍ତି ମହାଯଜ୍ଞ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଓ ଲଖନା ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଅନୁଷ୍ଠିତ ୨୬ତମ ଗିରିଗୋବର୍ଦ୍ଧନ ପୂଜାରେ କର୍ତ୍ତା ରୂପେ ରମାରଞ୍ଜନ ମାହାକୁର ଓ ପତ୍ନୀ ମୋହିନୀ ମାହାକୁର ତଥା ଅଷ୍ଟ ପ୍ରହରୀରେ ଛିନୁ କେତକୀ ଓ ପତ୍ନୀ ସୀମା କେତକୀ ଦାୟିତ୍ଵ ଗ୍ରହଣ କରିଥିଲେ । ଆୟୋଜକ କମିଟି ପକ୍ଷରୁ ସଭାପତି ସୁଧାଂଶୁ ପୋଡ଼ ଯାଦବ, କାର୍ଯ୍ୟକାରୀ ସଭାପତି ଦେବାର୍ଚ୍ଚନ ଥପା, ସାଧାରଣ ସମ୍ପାଦକ ଦିଲ୍ଲୀପ ବାଗ, କୋଷାଧ୍ୟକ୍ଷ ଦୈତାରୀ ହାତୀଙ୍କ ସହ ଉଭୟ ପଞ୍ଚାୟତର ଶତାଧିକ ଯାଦବ ସମାଜ ସଦସ୍ୟ ସହଯୋଗ କରିଥିଲେ । ହଳଦୀ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ୩୬ତମ ପଞ୍ଚାୟତସ୍ତରୀୟ ଗିରିଗୋବର୍ଦ୍ଧନ ପୂଜନୋତ୍ସବରେ ରଥ ପରିକ୍ରମା, ୫୨କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଓ ଶିଳ ପୂଜନ ଅନୁଷ୍ଠିତ ହୋଇଥିଲା । ପୂଜାକର୍ତ୍ତା ରୂପେ ଲିଙ୍ଗରାଜ ଗହୀର ତାଙ୍କ ପତ୍ନୀ ନୀଳାବତି ଗହୀର ତଥା ୫୨ କୁଣ୍ଡିୟ ଯଜ୍ଞ କର୍ତ୍ତା ରୂପେ ସତ୍ୟାନନ୍ଦ ମହାକୁର ଓ ପତ୍ନୀ ସଙ୍ଗୀତା ମହାକୁର ଥିଲେ । କଥାବ୍ୟାସ ରୂପେ ମନରଞ୍ଜନ ବାଗ ଯୋଗ ଦେଇଥିଲେ । ଚଣାବାହାଲ ପଞ୍ଚାୟତସ୍ତରୀୟ ଗିରି ଗୋବର୍ଦ୍ଧନ ପୂଜା ପୁଡ଼ାପାଲି, କରାଡୁଙ୍ଗୁରୀରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନବନିର୍ମିତ ପ୍ରହରୀ ମଣ୍ଡପର ରତ୍ନମୋଦନ(କୁମ୍ଭ ଭରଣ)ଉତ୍ସବ ଓ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ଉପସ୍ଥିତ ଥିଲେ । ପୂଜା କର୍ତ୍ତା ରୂପେ ଗୋବିନ୍ଦ ବାଗ ଓ କୁନ୍ତୀ ବାଗ, ଗଙ୍ଗାଧର ବାଗ ଓ ସସ୍ମିତା ବାଗ, ହେମକାନ୍ତ ହଂସ ଓ ପୁଷ୍ପାଞ୍ଜଳୀ ହଂସ ତଥା ଚୈତନ୍ୟ କର୍ମୀ ଓ ତାଙ୍କ ପତ୍ନୀ କାନ୍ତି କର୍ମୀ ଦାୟିତ୍ୱରେ ଅଛନ୍ତି । ଆୟୋଜକ କମିଟି ସଭାପତି ଗୋପାଳ ବାଗଙ୍କ ସହ ସମସ୍ତ ପଞ୍ଚାୟତବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସେହିପରି ବ୍ଲକ ଅଞ୍ଚଳର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗିରି ଗୋବର୍ଦ୍ଧନ ପୂଜାଗୁଡିକ ମହାଆଡ଼ମ୍ବରରେ ପାଳନ ହୋଇଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.