ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜଙ୍ଗଲ ମାଫିଆ ବା ଶିକାରୀଙ୍କ କବଜାରେ ଜଙ୍ଗଲ । ସବୁଜ ବନାନୀ ଜଙ୍ଗଲ ଏବେ ରକ୍ତ ମୁଖା ପାଲଟିଛି । ଏହାକୁ ଆୟତ୍ତ କରିବାରେ ବନ ବିଭାଗରେ ପର୍ୟ୍ୟାପ୍ତ ପରିମାଣର କର୍ମଚାରୀ ନ ଥିବାରୁ ବିଭାଗ ନିଜର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଏ ନେଇ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ତହସିଲଦାର ଅବିନାଶ ମାହାର, ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା, ବନପାଳ ପ୍ରବୀଣ ଦାସ ଓ ରଶ୍ମିତା ବକ୍ସି ସାକାଡ଼ି ବନ ସମିତିରେ ନିଆଁ ଲାଗିଥିବା ଖବର ପାଇ ସେଠାକୁ ଯାଇଥିଲେ । ବନ ବିଭାଗ ଓ ଦୁଇ ପ୍ରଶାସନିକ ଅଧିକାରୀ ସେଠାକାର ଜନ ସାଧାରଣଙ୍କ ସହ ଆଲୋଚନା କରିବା ସହ ବନ ବିଭାଗ ନିଆଁ ଲିଭାଇବାକୁ ଆସିବା ସମୟରେ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ । ଜନସାଧାରଣଙ୍କ ସହଯୋଗ ନ ମିଳିଲେ ପରିବେଶକୁ ବା ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯାଇପାରିବ ନାହିଁ ବୋଲି ଗ୍ରାମବାସୀଙ୍କୁ ବୁଝାଇଥିଲେ । ଦୀର୍ଘ ୪/୫ଦିନ ହେବ ପ୍ରତ୍ୟେକ ଦିନ ଏ ଜଙ୍ଗଲରୁ ସେ ଜଙ୍ଗଲ ନିଆଁ ବ୍ୟାପି ପରିବେଶ ଧୂଆଁମୟ ହେଉଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଦୁଇ ପ୍ରଶାସନିକ ଅଧିକାରୀ ଗ୍ରାମବାସୀଙ୍କୁ ଆହୁରି ସଚେତନ କରିବା ସହ ଆମ ପରିବେଶ ସୁରକ୍ଷା ଆମ ହାତରେ ବୋଲି କହିଛନ୍ତି । ଏହାସହ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଅଧିକ ସଚେତନତା ପାଇଁ ପଦକ୍ଷେପ ନେବାକୁ କହିଥିଲେ ।

Leave A Reply

Your email address will not be published.