jayashree

ଦୁଇ ଭଉଣୀଙ୍କୁ କିଏ ନଦୀକୁ ଠେଲି ଦେଇନି ତ ?…. ଶାନ୍ତ ସରଳ ଦୁଇ ଯୁବତୀ କାହିଁକି କରିବେ ଆତ୍ମହତ୍ୟା ?… ଏଭଳି ଅନେକ ପ୍ରଶ୍ନ ଏବେ ଘଟଣା ପଛରେ

ତୁଷୁରା, (ଅଜିତ କୁମାର ସାହୁ) : ଗତ ୧୫ ତାରିଖ ଦିନ ଏକା ସାଙ୍ଗରେ ୨ ଭଉଣୀ ନଦୀକୁ ଡେଇଁ ଜୀବନ ହାରିବା ଘଟଣାକୁ ସ୍ଥାନୀୟ ଲୋକେ ହଜମ କରିପାରୁ ନାହାନ୍ତି । ୨ ଭଉଣୀ ଡେଇଁ ପଡିଥିଲେ ନା ସେମାନଙ୍କୁ ଠେଲି ଦିଆଯାଇଛି, ତାହା ବର୍ତ୍ତମାନ ବି ସନ୍ଦେହ ଘେରରେ ଘୂରିବୁଲୁଛି ଅଛିଣ୍ଡା ପ୍ରଶ୍ନ ହୋଇ । ବ୍ରିଜ ଉପରୁ ଡେଇଁ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ବଡ ଭଉଣୀ ଅନ୍‌ମୋଲ ଚାଟାର୍ଡ ଆକାଉଟାଣ୍ଟ୍‌ ହେବାର ସ୍ବପ୍ନ ଦେଖିଥିଲେ । ସାନ ଭଉଣୀ ଆଞ୍ଚଲ୍ ଫ୍ୟାସନ୍‌ ଡିଜାଇନ୍‌ର ହେବାର ସ୍ବପ୍ନ ଦେଖିଥିଲେ । ହେଲେ କ୍ଷଣକରେ ସବୁ ସ୍ବପ୍ନ ଚୁରମାର ହୋଇଗଲା । ସେପଟେ ଦୁଇ ଭଉଣୀଙ୍କ ଏଭଳି ହୃଦୟ ବିଦାରକ ବିଦାୟ ପରେ ଏବେ ଏକା ପଡ଼ିଯାଇଛି ସାନ ଭଉଣୀ । ପରିବାର ଲୋକ ଏ ନେଇ ପୂରା ଚୁପ୍ ଥିବାବେଳେ ଅନ୍ଧାରରେ ବାଡ଼ି ବୁଲାଇ ମୃତ୍ୟୁର କାରଣ ଖୋଜା ଚାଲିଛି ଭଳି ମନେ ହେଉଛି ।

ଅଧୁରା ରହିଗଲା ୨ ଭଉଣୀଙ୍କ ସ୍ବପ୍ନ । ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଲା, ୨ ଭଉଣୀ କାହିଁକି ନଦୀକୁ ଡ଼େଇଁଲେ, ସେମାନେ କୁଆଡେ ଯାଇଥିଲେ, ପୂର୍ବରୁ ସେମାନଙ୍କ ମଧ୍ୟରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା କି କିମ୍ବା ଦୁଇ ଭଉଣୀଙ୍କୁ କିଏ ହଇରାଣ ହରକତ କରୁଥିଲେ କି ? ଏଭଳି ଅନେକ ପ୍ରଶ୍ନ ଏବେ ଘଟଣା ପଛରେ । କି‌ନ୍ତୁ ମୃତ ୨ ଭଉଣୀଙ୍କ ପରିବାର କିମ୍ବା ପୋଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ପାରୁନାହିଁ ଏଯାଏଁ ।

୨ ଭଉଣୀ ହସ ଖୁସି ମିଜାଜ୍‌ର ଥିଲେ । ଦୁଇ ଭଉଣୀଙ୍କ ଏଭଳି ଅକସ୍ମାତ୍ ମୃତ୍ୟୁ ସମସ୍ତଙ୍କୁ କରି ଦେଇଛି ଆଚମ୍ବିତ । ସେପଟେ ଏବେ ବି ଦୁଇ ଭଉଣୀଙ୍କ ଏଭଳି ମୃତ୍ୟୁକୁ ନେଇ ବିଶ୍ୱାସ କରି ପାରୁ ନାହାନ୍ତି ପାଠ ପଢାଇଥିବା ଅଧ୍ୟାପିକା । ଦୁଇ ଭଉଣୀ ଭାରି ଲାଜକୁଳୀ ଥିଲେ । ସେମାନେ କିପରି ଏପରି କରିବେ, କେହି ବିଶ୍ବାସ କରି ପାରୁ ନାହାନ୍ତି ।

ସେପଟେ ଗୁଡ଼ଭେଲାରେ ଗୋଟିଏ ଜୁଇରେ ଜଳିଛି ଦୁଇ ଭଉଣୀଙ୍କ ଶବ । ପରିବାର, ବନ୍ଧୁ ବାନ୍ଧବ ସମସ୍ତେ ସ୍ତବ୍ଧ । ଏପରିକି ଘଟଣାର ଅଧିକ ତଦନ୍ତ ଦାବୀ କରିଛନ୍ତି ସାଙ୍ଗସାଥୀ । ତଦନ୍ତ ଚାଲିଛି । ପରିବାର ଲୋକଙ୍କୁ ପଚରାଉଚୁରା ବି ଚାଲିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏନେଇ ଅଧିକ କହି ହେବ ବୋଲି କହିଛନ୍ତି ବଲାଙ୍ଗିର ଏସ୍‌ଡିପିଓ ଶ୍ରୀମ‌ନ୍ତ ବାରିକ ।

Leave A Reply

Your email address will not be published.