ଟ୍ଵିଟର ଗାର୍ଲଙ୍କ କମାଲ : ମରାମତି ହେବ ପୁଟକାରୁ ନୂଆପଡା ରାସ୍ତା, ଉପକୃତ ହେବେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରୁ ସରାଇପାଲି ଯିବା ରାସ୍ତା ମରଣଜନ୍ତା ପାଲଟିଛି, ପୁଟୁକାରୁ ନୂଆପଡ଼ା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି, ଯାହା ଫଳରେ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । କିନ୍ତୁ ଟ୍ଵିଟର ଗାର୍ଲ ଦୀପା ବାରିକଙ୍କ ପ୍ରୟାସ କ୍ରମେ ଉକ୍ତ ରାସ୍ତା ମରାମତି ହେବାକୁ ଯାଉଛି । ସୂଚନା ଅନୁସାରେ ସରାଇପାଲି ରାସ୍ତା ବ୍ୟସ୍ତବହୁଲ ରାସ୍ତା ଅଟେ, କାରଣ ଝାରବନ୍ଧ ଅଞ୍ଚଳରୁ ପ୍ରତିଦିନ ଶହ ଶହ ଲୋକେ ଏହି ରାସ୍ତାରେ ଯାତାୟାତ କରିଥାନ୍ତି । ଅନେକ ଦିନରୁ ଏହି ରାସ୍ତା ମରାମତି ହୋଇ ନ ଥିବାରୁ ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଛି । ଏହି ରାସ୍ତା ଦେଇ ପାଇକମାଲ ଅଞ୍ଚଳର ସ୍ୱେଚ୍ଛାସେବୀ ତଥା ଟ୍ୱିଟର ଗାର୍ଲ ଭାବେ ଜଣାଶୁଣା ସାମାଜିକ କର୍ମୀ ଦୀପା ବାରିକ ରାସ୍ତାର ଅବସ୍ଥା ଦେଖି ମନଦୁଃଖ କରିବା ସହ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏହି ସମସ୍ୟାକୁ ଗୁରୁତ୍ୱ ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଗାମୀ କିଛି ଦିନ ମଧ୍ୟରେ ରାସ୍ତା ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ଯୋଗୁଁ ପ୍ରତିଦିନ ଯାତାୟତ କରୁଥିବା ଲୋକମାନେ ଉପକୃତ ହେବେ, ତେଣୁ ଏହି ମହତ କାମ ପାଇଁ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ଝାରବନ୍ଧ ତଥା ପାଇକମାଲ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.