om academy

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ବଲାଙ୍ଗିର ଗସ୍ତ : ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା ସହ ପ୍ରସ୍ତାବିତ ପ୍ରକଳ୍ପ ସଂପର୍କରେ ଆଲୋଚନା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କାର୍ଯ୍ୟଭାର ଗ୍ରହଣ ପରେ ଆଜି ପ୍ରଥମ କରି ବଲାଙ୍ଗିର ଗସ୍ତରେ ଆସି ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ସ୍ଥିତିର ସମୀକ୍ଷା କରିବା ସହିତ ପ୍ରସ୍ତାବିତ ପ୍ରକଳ୍ପ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଦାଗଡୁ, ଡ଼ବ୍ଲ୍ୟୁଓଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ପଟେଲ, ପିଡ଼ି ଡିଆର୍‌ଡିଏ ଡ. ମହେଶ୍ୱର ସ୍ୱାଇଁ, ବଲାଙ୍ଗିର ଉପଜିଲ୍ଲାପାଳ ସୁଧାକର ନାୟକ, ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ଟିଟିଲାଗଡ଼ ଉପଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ସମେତ ବିଭିନ୍ନ ବିଭାଗ ଓ କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ରାଣା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ ଅଗ୍ରଗତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ସହ ପାଣ୍ଠି ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ବୈଠକରେ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ଜୀବନ ଜୀବନ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହ ମାଇକ୍ରୋ-ସ୍ମଲ୍‌-ମିଡ଼ିୟମ୍‌ ସେକ୍ଟରରେ ଯେପରି ଅଭିବୃଦ୍ଧି ହୋଇପାରିବ ସେ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ, ଉଦ୍ୟାନ କୃଷି ବିଭାଗର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିବା ସହ ଜିଲ୍ଲାରେ ଅର୍ଥନୈତିକ ଅଭିବୃଦ୍ଧି ଓ ରୋଜଗାର ନିମନ୍ତେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସଂପର୍କରେ ପରାମର୍ଶ ଦେଇଥିଲେ । ମତ୍ସ୍ୟ ଚାଷ, ଦୁଗ୍ଧ ଉତ୍ପାଦନ ତଥା ପ୍ରାଣୀ ସଂପଦର ବିକାଶ ଉପରେ ଗୁରୁତ୍ୱ ଦେବା ସହ ଅଧିକରୁ ଅଧିକ କିପରି ଉତ୍ପାଦନ ହୋଇପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅର୍ଥନୈତିକ ଅଭିବୃଦ୍ଧିରେ ଦକ୍ଷତା ବିକାଶ ଏକ ପ୍ରମୁଖ ଭୂମିକା ନିର୍ବାହ କରେ, ତେଣୁ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଉପଯୁକ୍ତ କାର୍ଯ୍ୟକାରିତା ସହ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ । ଅର୍ଥନୈତିକ ଅଭିବୃଦ୍ଧି, ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସଂପର୍କରେ ସେ ସମୀକ୍ଷା କରିବା ସହିତ କୌଶଳ ବିକାଶ କରି ଯେଭଳି ଏ କ୍ଷେତ୍ରରେ ଆହୁରି ବିକାଶ କରାଯାଇ ପାରିବ, ସେ ସଂପର୍କରେ ବିଭାଗୀୟ ଅଧିକାରୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ ଦେଇ ବିଭାଗ ମାନେ ମିଳିମିଶି ବିଭାଗର ପ୍ରୋଜେକ୍ଟ ପ୍ରୋଫାଇଲ୍‌ ପ୍ରସ୍ତୁତ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ବୈଠକରେ ଜାତୀୟ ରାଜପଥ, ରାସ୍ତା ଓ ଗୃହନିର୍ମାଣ, ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ, ଗ୍ରାମ୍ୟ ପାଇପ୍‌ ଜଳଯୋଗାଣ ଲୋୟର ସୁକ୍‌ତେଲ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସବିଶେଷ ଆଲୋଚନା ହୋଇଥିଲା । ପଶ୍ଚିମ ଓଡ଼ିଶା ବିକାଶ ପାଣ୍ଠିରୁ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ନିୟମିତ ତଦାରଖ କରିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.