ଆଦିବାସୀ ସମାଜ ପକ୍ଷରୁ ଦାବୀ : ଶିକ୍ଷାନୀତି ଓ ଆଦିବାସୀ ଜମି ବିକ୍ରି ଉପରେ ପରିବର୍ତ୍ତନ ଦରକାର

ବୌଦ୍ଧ, (ବଂଶୀଧର ମାଝୀ) : ଆଦିବାସୀଙ୍କ ଜମିକୁ ବିଭିନ୍ନ ସ୍ଥାନରେ ଜମି ମାଫିଆମାନେ ଚଞ୍ଚକତା କରି ହଡପ କରୁଥିବାରୁ ଆଦିବାସୀଙ୍କ ଜମି କିଣାବିକା ଉପରେ ଅନୁମତି ନଦେଇ ସରକାରୀ ସ୍ତରରେ ରୋକ ଲଗାଇବାକୁ ନିବେଦନ କରି ଗୋଁଣ୍ତୱାନା ଗୋଁଣ୍ତ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ୫ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଜିଲ୍ଲା ପ୍ରଦାନ କରାଯାଇଛି । ସେହିପରି ସମସ୍ତ ବର୍ଗର ପିଲାଙ୍କ ପାଇଁ ଏକକ ଶିକ୍ଷା ବ୍ୟବସ୍ଥା ପ୍ରଣୟନ କରିବା ସହ ସାରା ରାଜ୍ୟରେ କୋରୋନାର ଭୟାବହତା ଲାଗିରହିଥିବା ବେଳେ ସଂକ୍ରମଣ ଆଶଙ୍କାରେ ପିଲାମାନଙ୍କୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟକୁ ସରକାର ବନ୍ଦ କରି ଅନଲାଇନରେ ଶିକ୍ଷା ପ୍ରଦାନ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଗରିବ ଆଦିବାସୀଙ୍କ ନିକଟରେ ସ୍ମାର୍ଟଫୋନ, କମ୍ପ୍ୟୁଟର ଆଦି ନଥିବାରୁ ସେମାନଙ୍କ ପିଲାମାନେ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ସରକାରଙ୍କ ଶିକ୍ଷା ନୀତି ଧନୀ ଶ୍ରେଣୀର ପିଲାଙ୍କୁ ସୁହାଉ ଥିବା ବେଳେ ଗରିବ ଶ୍ରେଣୀର ପିଲାଙ୍କ ପାଇଁ ବୁମେରାଂ ପାଲଟିଛି । ଏହା ଧନୀ ଓ ଗରିବ ପିଲାଙ୍କୁ ବିଭାଜନ ହୋଇଥିବା ଅଭିଯୋଗ କରି ଅଖିଳ ଭାରତୀୟ ଗୋଁଣ୍ଡଓ୍ବାନା ଗୋଁଣ୍ତ ମହାସଭା ବୌଦ୍ଧ ଜିଲ୍ଲା ସଭାପତି ଚୈତନ୍ୟ ଧରୁଆ, ଜିଲ୍ଲା ମହାସଚିବ ଦନାର୍ଦନ ମାଝୀ, କଣ୍ଟାମାଳ ବ୍ଲକ ସଭାପତି ମହେନ୍ଦ୍ର ମାଝୀ, ସଚିବ ଘାସୀରାମ ପୁଟା, ବ୍ଲକ ଆଦିବାସୀ ସଭାପତି ଡମ୍ବରୁଧର କଅଁର, ଆଦିବାସୀ ସମନ୍ବୟ ସମିତି ସଭାପତି ସାମନ୍ତ ମାଝୀ, କନ୍ଧ ସମାଜ ସଂପାଦକ ବିବଛ ଭୋଇ, ଗୋଁଣ୍ତ ସମାଜ ନୂଆଁପାଲି ପୁଞ୍ଜ ମହାସଚିବ ରାମ ମାଝୀ, ହରୀଶ୍ଚନ୍ଦ୍ର ଭୋଇ, ଯଦୁମଣି ଭୋଇ ପ୍ରମୁଖ କଣ୍ଟାମାଳ ବ୍ଲକ ତହସିଲଦାର ଏବଂ ବୌଦ୍ଧ ଜିଲ୍ଲାପାଳଙ୍କୁ ମଙ୍ଗଳବାର ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.