କୁମୁଡ଼ାରୁ କତରକେଲା କେନାଲ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ ଖାସ କରି ଗମନାଗମନ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଧବଳେଶ୍ୱର ମନ୍ଦିର ପଛ ପଟେ ଯାଇଥିବା କୁମୁଡ଼ା ଠାରୁ କତରକେଲା ଯାଏଁ ରାସ୍ତା ଅବସ୍ଥା ଅତି ଶୋଚନୀୟ ଥିଲା । କିଛି ଦିନ ତଳେ ଏହି ରାସ୍ତା କାମ ଆରମ୍ଭ ହୋଇଛି । ତେବେ ଦୁର୍ନୀତିର ନଗ୍ନ ଉଦାହରଣ ସଦୃଶ କୁମୁଡାରୁ କତରକେଲା ଇରିଗେସନ କେନାଲ ରାସ୍ତା ବୋଲି ବିଜେପି ଯୁବ ନେତା ନରସିଂହ ସିଂହ ଅଭିଯୋଗ କରି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ତାଙ୍କ କହିବାନୁଯାୟୀ ଏହି ରାସ୍ତା ନିର୍ମାଣ କରୁଥିବା ଜୈନିକ ଠିକାଦାର ମହାଦୁର୍ନୀତି ଓ ମହା ଘୋଟାଲା କରି ଏହି ରାସ୍ତା ନିର୍ମାଣ କରୁଛନ୍ତି । ଯେମିତିକି ଡବଲ କୋଟ କ୍ରସର ମେଟାଲ ବ୍ୟବହାର ପରିବର୍ତ୍ତେ ହାତଭଙ୍ଗା ମେଟାଲ ବ୍ୟବହାର କରୁଛନ୍ତି ଓ ତଳେ ଚିଟକା ମାଟି ଓ ମୁରୁମ ଅତିନିମ୍ନ ମାନର ବ୍ୟବହାର କରି ରାସ୍ତା ଲେବେଲ ମଧ୍ୟ କରିନାହାନ୍ତି । ଯଦ୍ଵାରା ଏହି ରାସ୍ତା ଅତି ଶୀଘ୍ର ଖରାପ ହୋଇଯିବ । ସରକାର ଲୋକଙ୍କ ପାଇଁ ଅର୍ଥ ପ୍ରଦାନ କରୁଥିବା ବେଳେ ଜୈନିକ ଠିକାଦାର କିଭଳି ନିମ୍ନ ମାନର କାମ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତେଣୁ ସ୍ଥାନୀୟ ପ୍ରଶାସନ ଓ ଇରିଗେସନ ବିଭାଗର ଏଇ, ସହକାରୀ ଯନ୍ତ୍ରୀ, ଏସଇ ଓ ମୁଖ୍ୟ ଯନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବା ସହ ଯଥା ଶୀଘ୍ର କାର୍ଯ୍ୟର ତଦାରଖ କରନ୍ତୁ । ନଚେତ ଆଗାମୀ ଦିନରେ ଜୋର୍‌ଦାର୍‌ ଆନ୍ଦୋଳନ ହେବ ବୋଲି ବିଜେପି ଯୁବ ନେତା ନରସିଂହ ସିଂହ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.