କଂଟାବାଂଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା : କୃଷକମାନଙ୍କ ବନ୍ଦ ଡାକରାରେ ଆଳୁ, ପିଆଜ ବସ୍ତା ତଥା ଓମଫେଡ୍‌ କ୍ଷୀର ଫୋପାଡିଥିବା ଅଭିଯୋଗ

କଂଟାବାଂଜ. (କେପିଏନ୍‌ଏସ୍‌) : କଂଟାବାଂଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷକମାନଙ୍କ ବନ୍ଦ ଡାକରାରେ ଆଳୁ, ପିଆଜ ବସ୍ତା ତଥା ଓମଫେଡ୍‌ କ୍ଷୀର ଫୋପାଡିଥିବା ଅଭିଯୋଗ କରି ନିନ୍ଦା କରାଯାଇଛି । ଚାଷୀମାନଙ୍କ ହକ୍‌ ପାଇଁ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ କଂଟାବାଂଜି କଂଗ୍ରେସ କର୍ମୀ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲକୁ ରାସ୍ତା ଉପରେ ଫୋପାଡି ଅସମ୍ମାନ କରିଥିବା କଂଟାବାଂଜି ବିଜେଡି ନିନ୍ଦା କରିଛି । ବୁଧବାର ଦିନ ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତିଙ୍କ କାର୍ୟ୍ୟାଳୟରେ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରାଯାଇଛି । କେନ୍ଦ୍ରର କୃଷକ ବିଲ୍‌ ବିରୋଧରେ ବନ୍ଦ ଡାକରା ଭିତ୍ତିରେ ଡିସେମ୍ବର ୮ ତାରିଖ ଦିନ ସମଗ୍ର ଦେଶରେ ବନ୍ଦ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କଂଟାବାଂଜିରେ ମଧ୍ୟ ବନ୍ଦ ପାଳନ ହୋଇଥିଲା । ଏହି ବନ୍ଦ ପାଳନରେ ସ୍ଥାନୀୟ ନଗର କଂଗ୍ରେସ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ସହଯୋଗ କରିଥିଲା । ବନ୍ଦ ପାଳନ କରିବା ନେଇ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ସମର୍ଥକମାନେ ମୋଟର ସାଇକଲ ରାଲି କରି ଦୋକାନ ବଜାର ବନ୍ଦ କରି ସମର୍ଥନ କରିବା ପାଇଁ ଅନୁରୋଧ କରୁଥିଲେ । ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ସହରରେ ସମସ୍ତ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଶାସ୍ତ୍ରୀ ଛକ ନିକଟରେ ଆଲୁ ପିଆଜ ବସ୍ତା ଖୋଦ୍‌ ବିକ୍ରେତା ଦୋକାନ ଖୋଲି ସାମନାରେ ୨/୩ ବସ୍ତା ରଖିଥିବାରୁ କେତେକ କଂଗ୍ରେସ କର୍ମୀ ରାସ୍ତା ଉପରେ ଫୋପାଡି ଦେଇଥିଲେ । ସେହିପରି ପଣ୍ଡା କମ୍ପେ୍ଲକ୍ସରେ ଥିବା ଦୋକାନୀ ଦୋକାନ ଖୋଲିଥିବା ଦେଖି ୩୦ଲିଟର ଓମଫେଡ୍‌ କ୍ଷୀର ପ୍ୟାକେଟ ରାସ୍ତା ଉପରେ ପୋପାଡି ଥିଲେ । ଏହି ଘଟଣାକୁ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ରାଜେନ୍ଦ୍ର ବେହେରାଙ୍କ ଆହ୍ୱାନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ବିଜେଡି କୃଷକ ମାର୍ଚ୍ଚା ସଭାପତି ଅଜୟ ଦାସ, ଜିଲ୍ଲା ସଂପାଦକ ବିନୟ ବିଭାର, ସକ୍ରିୟ ସଭ୍ୟ ଭୂବନାନନ୍ଦ ମହାନ୍ତି, ଯୁବନେତା ଶାନ୍ତନୁ ବିଭାର, ମହିଳା ନେତ୍ରୀ ଶ୍ରୀମତୀ ସସ୍ମିତା ଦଣ୍ଡସେନା, ପ୍ରମୋଦ କରଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତି ଥିଲେ । ଏହି ଖବରଦାତା ସମ୍ମିଳନୀରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତି ଥିଲେ । ବିଜେଡି ଆଣିଥିବା ଅଭିଯୋଗ ଉପରେ ବିଧାୟକ ସାଲୁଜାଙ୍କ ମତାମତ ନେବାରୁ ସେ ଅଭିଯୋଗକୁ ଖଣ୍ଡନ କରିବା ସହ ସହରରେ ଦୋକାନ ବଜାର ସବୁ ବନ୍ଦ ଥିବାବେଳେ ଯଦି କେହି ଦୋକାନ ଖୋଲିଥିଲା ଏବଂ କୌଣସି ବ୍ୟକ୍ତି ତାହା ଯଦି କରିଥାଏ, ତେବେ କଂଗ୍ରେସକୁ ବଦନାମ କରିବାର କ’ଣ ଅଛି ବୋଲି କହିଛନ୍ତି ।

Leave A Reply

Your email address will not be published.