କ୍ଷତିପୂରଣ ଦାବିରେ ଶବକୁ ଧରି ରାସ୍ତା ଅବରୋଧ କଲେ ପରିବାର ଲୋକ ଏବଂ ଗ୍ରାମବାସୀ

  • ବୁଝାସୁଝା ପରେ ରାସ୍ତାରୋକରୁ ଓହରିଲେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବୈଜଳସାଗର ନିକଟରେ ଗୁରୁବାର ସନ୍ଧ୍ୟା ୭:୩୦ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଣୁ ବରିହାଙ୍କ ଶବକୁ ଧରି ପରିବାର ଲୋକ ଏବଂ ଗ୍ରାମବାସୀ ୩ ଘଣ୍ଟା ପର୍ଯ୍ୟନ୍ତ କରଲାବାହାଲି ଛକ ଠାରେ ରାସ୍ତା ଅବରୋଧ କରି ବସିଥିଲେ । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ଘଟିଥିବା ଦୁର୍ଘଟଣାରେ ଜୀବନ ଚାଲିଯାଇଥିବା ବେଣୁ ବରିହାଙ୍କ ଶବକୁ ପୋଲିସ ଜବତ କରି ମଦ୍ୟପ ଡ୍ରାଇଭର କେଶବ ପୁଟେଲଙ୍କୁ ଗିରଫ କରି ଖପ୍ରାଖୋଲ ଥାନାକୁ ଅଣିଥିଲା । ଆଜି ସକାଳ ୧୧ଟା ସମୟରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ଖପ୍ରାଖୋଲ ପୋଲିସ । ଶବକୁ ଦାହ ସଂସ୍କାର କରିବା ପରିବର୍ତ୍ତେ ପରିବାର ଲୋକ ଶବକୁ ମଝି ରାସ୍ତାରେ ରଖି ଉପଯୁକ୍ତ କ୍ଷତି ପୂରଣ ଏବଂ ଦୁର୍ଘଟଣା ଘଟଇଥିବା ଗାଡି ଏବଂ ଡ୍ରାଇଭର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଯାନବାହାନ ଯିବା ଆସିବାରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରାେକ୍ ହଟିଥିଲା । ସୂଚନା ଥାଉ କି ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର କେଶବ ପୁଟେଲକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.