ଆୟୁର୍ବେଦ ଦିବସରେ ପ୍ରଧାନମନ୍ତ୍ରୀ ଦୁଇଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ରାଷ୍ଟ୍ରକୁ କଲେ ଉତ୍ସର୍ଗ

• ପାରମ୍ପରିକ ଔଷଧପତ୍ରର ବୈଶ୍ୱିକ କେନ୍ଦ୍ରଭାବେ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାଛି ଥିବାରୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
• ଆନ୍ତର୍ଜାତିକ ମାନ ପୂରଣ କରୁଥିବା ଆୟୁର୍ବେଦ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଆହ୍ୱାନ
• ଆୟୁର୍ବେଦ କେବଳ ଏକ ବିକଳ୍ପ ନୁହେଁ, ଏହା ଦେଶର ସ୍ୱାସ୍ଥ୍ୟ ଭିତ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ନୀତି: ପ୍ରଧାନମନ୍ତ୍ରୀ
• କରୋନା ସଂକ୍ରମଣ ଯୋଗୁଁ ଆୟୁର୍ବେଦ ସାମଗ୍ରୀର ବ୍ୟବହାର ବଢିଛି ଓ ଏହାର ଗବେଷଣା କାର୍ୟ୍ୟ ତ୍ୱରାନ୍ୱିତ ହୋଇଛି

ନୂଆଦିଲ୍ଲୀ, (ପିଆଇବି) : ଭବିଷ୍ୟତର ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ ଦେଶର ୨ଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ଆଜି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ଲୋକାର୍ପଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ୟ୍ୟକ୍ଷମ ହୋଇଥିବା ଏହି ଅନୁଷ୍ଠାନ ଦୁଇଟି ହେଲା ଗୁଜରାଟର ଜାମନଗର ସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଏବଂ ରାଜସ୍ଥାନର ଜୟପୁର ସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏନ୍‌ଆଇଏ) । ଏହି ଦୁଇଟିଯାକ ପ୍ରତିଷ୍ଠାନ ଆୟୁର୍ବେଦ କ୍ଷେତ୍ରରେ ଦେଶର ପୁରୁଣା ଏବଂ ପ୍ରତିଷ୍ଠିତ ଅନୁଷ୍ଠାନ । ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ଏହାର ଉନ୍ନତୀକରଣ ଓ ଅନ୍ୟାନ୍ୟ ସୁବିଧାର ସଂପ୍ରସାରଣ କରାଯାଇଛି । ସଂସଦରେ ଏକ ଆଇନ ପ୍ରଣୟନ କରାଯାଇ ନିକଟରେ ଜାମନଗର ସ୍ଥିତ ପ୍ରତିଷ୍ଠାନକୁ ଇନ୍‌ଷ୍ଟିଚ୍ୟୁସନ ଅଫ୍‌ ନ୍ୟାସନାଲ ଇମ୍ପୋଟାନ୍ସ (ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ) ମାନ୍ୟତା ପ୍ରଦାନ କରାଯାଇଛି । ସେହିଭଳି ଜୟପୁର ସ୍ଥିତ ଆୟୁର୍ବେଦ ପ୍ରତିଷ୍ଠାନକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଡିମ୍‌ଡି ୟୁନିର୍ଭସିଟିର ମର୍ୟ୍ୟାଦା ଦେଇଛି ।
ସୂଚନାଯୋଗ୍ୟ ଯେ ଆୟୁଷ ମନ୍ତ୍ରଣାଳୟ ୨୦୧୬ଠାରୁ ପ୍ରତିବର୍ଷ ଧନ୍ୱନ୍ତରୀ ଜୟନ୍ତୀକୁ ଆୟୁର୍ବେଦ ଦିବସଭାବେ ପାଳନ କରିଆସୁଛି । ଏହି ଦିବସଟି ମଧ୍ୟ ଧନ୍‌ତେରସ ନାମରେ ଖ୍ୟାତ । ଏହି କାର୍ୟ୍ୟକ୍ରମରେ ଆୟୁଷ ମନ୍ତ୍ରଣାଳୟର ସ୍ୱାଧୀନ ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୁପାନୀ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲଟ, ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ର, ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ୟ୍ୟ ଦେବବ୍ରତ ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଡ. ଟେଡରସ ଆଧନମ୍‌ ଘେବ୍ରେୟେସସ୍‌ ଏହି କାର୍ୟ୍ୟକ୍ରମ ପାଇଁ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଥିଲେ । ଏଥିରେ ସେ ଆୟୁଷ୍ମାନ ଭାରତ ଯୋଜନାକୁ ସାର୍ବଜନୀନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଓ ସଂକଳ୍ପକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଆହୁରି ମଧ୍ୟ ପ୍ରମାଣଭିତ୍ତିରେ ଭାରତରେ ପାରମ୍ପରିକ ଔଷଧର ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ସେ ସ୍ୱାଗତ କରିବା ସହ ଏହାଦ୍ୱାରା ସ୍ୱାସ୍ଥ୍ୟସେବା ଜନିତ ଲକ୍ଷ୍ୟ ସହଜରେ ପୂରଣ ହୋଇପାରିବ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଭାରତକୁ ବିଶ୍ୱର ପାରମ୍ପରିକ ଔଷଧ କେନ୍ଦ୍ରଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମନୋନୀତ କରିଥିବାରୁ ସଂପୃକ୍ତ ସଂସ୍ଥାକୁ ସାଧୁବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଆୟୁର୍ବେଦ ଭାରତର ଏକ ପ୍ରାଚୀନ ଐତିହ୍ୟ । ତେଣୁ ଏହା ଆନନ୍ଦର ବିଷୟ ଯେ ଭାରତର ଏଭଳି ପାରମ୍ପରିକ ବିଦ୍ୟାଦ୍ୱାରା ଅନ୍ୟାନ୍ୟ ଦେଶ ଉପକୃତ ହେଉଛନ୍ତି ।
ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଆୟୁର୍ବେଦ ଜ୍ଞାନକୁ ବହି, ଶାସ୍ତ୍ର ଏବଂ ଘରୋଇ ଚିକିତ୍ସା ପରିସରରୁ ବାହାରକୁ ଆଣି ଏହି ପ୍ରାଚୀନ ଜ୍ଞାନକୁ ଭବିଷ୍ୟତର ଆବଶ୍ୟକତା ପୂରଣ କରିବା ପାଇଁ ସମୃଦ୍ଧ କରିବାକୁ ପଡିବ । ଏଥିପାଇଁ ଦେଶରେ ଏ କ୍ଷେତ୍ରରେ ନୂଆ ନୂଆ ଗବେଷଣା ଚାଲିଛି । ଆମର ପ୍ରାଚୀନ ଚିକିତ୍ସା ଜ୍ଞାନ ଏବଂ ଏକବିଂଶ ଶତାବ୍ଦୀର ଆଧୁନିକ ବିଜ୍ଞାନକୁ ମିଶାଇ କିପରି ଉନ୍ନତ ଚିକିତ୍ସା ବ୍ୟବସ୍ଥା କରିହେବ ସେଥିପାଇଁ ଏହି ଗବେଷଣା କରାଯାଉଛି । ତିନିବର୍ଷ ତଳେ ଏଠାରେ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଥିଲା । ଆୟୁର୍ବେଦ କେବଳ ଏକ ବିକଳ୍ପ ଚିକିତ୍ସା ନୁହେଁ, ବରଂ ଏହା ଭାରତୀୟ ସ୍ୱାସ୍ଥ୍ୟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ଏକ ଜାତୀୟ ସୋୱା-ରିକ୍‌ପା ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବା ପାଇଁ କାର୍ୟ୍ୟ ଚାଲିଛି । ଏହା ଲେହରେ ସ୍ଥାପନ କରାଯିବ । ଲେହ ଅଞ୍ଚଳର ପ୍ରାଚୀନ ଚିକିତ୍ସା ପଦ୍ଧତି ସୋୱା-ରିକ୍‌ପା ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଏହି ପ୍ରତିଷ୍ଠାନରେ ଗବେଷଣା କରାଯିବ । ସେ ଆହୁରି କହିଥିଲେ ଯେ ଆଜି ଉଭୟ ଗୁଜରାଟ ଓ ରାଜସ୍ଥାନରେ ଯେଉଁ ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନ ଅତ୍ୟାଧୁନିକ ରୂପରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ତାହା ଆମର ପାରମ୍ପରିକ ଚିକିତ୍ସା ବିଜ୍ଞାନର ବିକାଶ ଏବଂ ପରିବର୍ଦ୍ଧନ ପ୍ରୟାସର ଏକ ଅଂଶବିଶେଷ ।
ଏହି ଦୁଇ ଅନୁଷ୍ଠାନର ଉନ୍ନତି ବିଧାନ ଓ ସଂପ୍ରସାରଣ ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ କହିଥିଲେ ଯେ ଉଭୟ ସଂସ୍ଥାର ଦାୟିତ୍ୱ ଏବେ ବଢିଯାଇଛି । ଉଭୟ ସଂସ୍ଥା ଆନ୍ତର୍ଜାତିକ ମାନକୁ ପୂରଣ କରୁଥିବା ପାଠ୍ୟକ୍ରମ ପ୍ରସ୍ତୁତ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଆୟୁର୍ବେଦ ଫିଜିକ୍ସ ଓ ଆୟୁର୍ବେଦ କେମିଷ୍ଟ୍ରି ଭଳି ନୂଆ ବିଭାଗମାନ ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟ ଓ ୟୁଜିସିକୁ ନିର୍ଦ୍ଦେଶ ଦେଇଛନ୍ତି । ଆହୁରି ମଧ୍ୟ ବୈଶ୍ୱିକ ଜୀବନଶୈଳୀ ତଥା ଚାହିଦାକୁ ଅନୁଧାନ କରି ଏ କ୍ଷେତ୍ରରେ ଷ୍ଟାର୍ଟ ଅପ୍‌ ଓ ଘରୋଇ ଉଦ୍ୟୋଗମାନ ସାମିଲ ହେବାକୁ ସେ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଭାରତୀୟ ଔଷଧୀୟ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ ଆୟୋଗ (ଏନ୍‌ସିଆଇଏସ୍‌ଏମ୍‌) ଏବଂ ଜାତୀୟ ହୋମିଓପ୍ୟାଥିକ୍‌ ଆୟୋଗ (ଏନ୍‌ସିଏଚ୍‌) ସଂସଦର ଏହି ଅଧିବେଶନରେ ଗୃହୀତ ପ୍ରସ୍ତାବ ଅନୁସାରେ ଗଠିତ ହୋଇଛି । ଏ କ୍ଷେତ୍ରରେ ଜାତୀୟ ଶିକ୍ଷାନୀତି ମଧ୍ୟ ସମନ୍ୱିତ ଆଭିମୁଖ୍ୟ ପୋଷଣ କରୁଛି । ଏହି ନୀତିର ମୌଳିକ ଲକ୍ଷ୍ୟ ହେଲା ଆୟୁର୍ବେଦିକ ଶିକ୍ଷାରେ ଏଲୋପ୍ୟାଥିକ୍‌ ଚିକିତ୍ସା ପଦ୍ଧତିର ପ୍ରୟୋଗକୁ ବାଧ୍ୟତାମୂଳକ କରିବା ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣ କାଳରେ ଆୟୁର୍ବେଦିକ ଔଷଧପତ୍ରର ଚାହିଦା ସମଗ୍ର ବିଶ୍ୱରେ ଦ୍ରୁତଗତିରେ ବଢିଛି । ଗତବର୍ଷ ତୁଳନାରେ ଚଳିତବର୍ଷ ସେପ୍ଟେମ୍ବର ମାସରେ ଭାରତର ଆୟୁର୍ବେଦିକ ସାମଗ୍ରୀର ରପ୍ତାନୀ ପରିମାଣ ୪୫ ଶତାଂଶ ବଢିଛି । ହଳଦୀ, ଅଦା ଭଳି ପଦାର୍ଥ ଯାହା ଶରୀରର ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତିବୃଦ୍ଧି କରେ ତା ସହିତ ଅନ୍ୟାନ୍ୟ ମସଲାର ଚାହିଦା ବିଦେଶରେ ବଢିଛି । ଭାରତୀୟ ମସଲାରେ ଥିବା ଔଷଧୀୟ ଗୁଣ ହଠାତ୍‌ ବିଶ୍ୱ ବଜାରରେ ଆୟୁର୍ବେଦ ଉପରେ ବିଶ୍ୱାସକୁ ବଢାଇ ଦେଇଛି । ସେ କହିଛନ୍ତି ଯେ ଏବେ ବିଶ୍ୱର ବିଭିନ୍ନ ଦେଶରେ ହଳଦୀରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଔଷଧୀୟ ପାନୀୟ ବ୍ୟବହାର ବଢିଛି । ପୃଥିବୀରେ ମର୍ୟ୍ୟାଦାଜନକ ସ୍ୱାସ୍ଥ୍ୟପତ୍ରିକାମାନ ଆୟୁର୍ବେଦରେ ମଧ୍ୟ ନୂଆ ଆଶା ଦେଖୁଛନ୍ତି । ଏହି କରୋନା ମହାମାରୀ ସମୟରେ କେବଳ ଆୟୁର୍ବେଦିକ ସାମଗ୍ରୀ ବ୍ୟବହାର ଉପରେ ଦୃଷ୍ଟି ନିବଦ୍ଧ ନ ଥିଲା; ଏହା ସହିତ ଆୟୁଷ ସଂକ୍ରାନ୍ତ ବିଭିନ୍ନ କ୍ଷେତ୍ରରେ ଆଧୁନିକ ଗବେଷଣା ପାଇଁ ଗୁରୁତ୍ୱ ଦିଆଯାଇଥିଲା । ସମଗ୍ର ବିଶ୍ୱ ମଧ୍ୟ ଭାରତ ସହିତ ଏ କ୍ଷେତ୍ରରେ କାମ କରୁଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଏକପକ୍ଷରେ ଭାରତ କରୋନା ଟିକା ପରୀକ୍ଷା କରୁଛି ଏବଂ ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ଆୟୁର୍ବେଦିକ ଗବେଷଣା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ବୃଦ୍ଧି କରିବାରେ ସାହାଯ୍ୟ ସହଯୋଗ ଯୋଗାଉଛି । ସେ କହିଛନ୍ତି ଯେ ଦିଲ୍ଲୀ ପୁଲିସର ୮୦ ହଜାର କର୍ମଚାରୀଙ୍କ ରୋଗ ପ୍ରତିରୋଧ ଶକ୍ତି ସଂପର୍କରେ ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ସମେତ ୧୦୦ରୁ ଅଧିକ ସ୍ଥାନରେ ଗବେଷଣା ଚାଲିଛି । ଏହା ବୋଧହୁଏ ବିଶ୍ୱର ସ୍ୱାସ୍ଥ୍ୟ ସଂକ୍ରାନ୍ତ ସର୍ବବୃହତ୍‌ ଗୋଷ୍ଠୀ ଅନୁଧ୍ୟାନ । ଏହି ଗବେଷଣାରୁ ଉତ୍ସାହଜନକ ଫଳ ମିଳୁଛି । ଆଗାମୀ ଦିନରେ ଏ ସଂକ୍ରାନ୍ତ ଆଉ କେତେକ ଆନ୍ତର୍ଜାତିକ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ଏବେ ଆୟୁର୍ବେଦ ଔଷଧ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଛି । ଏହା ସହିତ ଔଷଧୀୟ ଗୁଳ୍ମ ଓ ବୃକ୍ଷଲତା ତଥା ପୁଷ୍ଟିକର ଖାଦ୍ୟ ଯାହା ଆମର ପ୍ରାକୃତିକ ରୋଗ ପ୍ରତିରୋଧ ଶକ୍ତି ବଢାଏ ତାହା ମଧ୍ୟ ଗୁରୁତ୍ୱ ଲାଭ କରୁଛି । ଏବେ ଚାଷୀମାନଙ୍କୁ ମୋଟା ଶସ୍ୟର ଉତ୍ପାଦନ ବୃଦ୍ଧି ଏବଂ ଜୈବିକ ଫସଲ ଅଧିକରୁ ଅଧିକ ଚାଷ କରିବାକୁ ଉତ୍ସାହିତ କରାଯାଉଛି । ଗଙ୍ଗାତଟ ଏବଂ ହିମାଳୟ ଅଞ୍ଚଳରେ ଏସବୁ ଜୈବିକ ଚାଷ କରିବା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି । ବିଶ୍ୱର ସ୍ୱାସ୍ଥ୍ୟ ଓ ସ୍ୱାଚ୍ଛନ୍ଦ୍ୟ ପାଇଁ ଭାରତର ଅବଦାନକୁ ବଢାଇବା ଦିଗରେ ଏକ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରିବାକୁ ଆୟୁଷ ମନ୍ତ୍ରଣାଳୟ ସ୍ୱତନ୍ତ୍ରଭାବେ କାର୍ୟ୍ୟ କରୁଛି । ଏ କ୍ଷେତ୍ରରେ ଆମର ରପ୍ତାନୀ ବଢିବା ସହ ଆମ ଚାଷୀଙ୍କ ଆୟ ମଧ୍ୟ ବଢିବାର ଆବଶ୍ୟକତା ରହିଛି । ସେ କହିଛନ୍ତି କରୋନା ମହାମାରୀ ଆରମ୍ଭ ହେବା ପରେ ଅଶ୍ୱଗନ୍ଧା, ଗିଲୟ, ତୁଳସୀ ଆଦି ଆୟୁର୍ବେଦ ଔଷଧରେ ବ୍ୟବହୃତ ଗୁଳ୍ମର ଚାହିଦା ଯଥେଷ୍ଟ ବଢିଗଲା । ଗତବର୍ଷ ତୁଳନାରେ ଅଶ୍ୱଗନ୍ଧାର ମୂଲ୍ୟ ଦୁଇଗୁଣିତ ହୋଇଛି । ଏହା ଫଳରେ ଏସବୁ ଚାଷ କରୁଥିବା ଚାଷୀମାନେ ଉପକୃତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି ଓ ଆୟୁଷ ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ବିଭାଗଗୁଡିକ ମିଳିତଭାବେ ଭାରତରେ ଉପଲବ୍ଧ ଔଷଧୀୟ ଗୁଳ୍ମ ସଂପର୍କରେ ସଚେତନତା ସୃଷ୍ଟି କରିବା ସହ ସେସବୁର ଚାଷ ବୃଦ୍ଧି କରିବା ଦିଗରେ କାର୍ୟ୍ୟ କରିବା ଉଚିତ । ଆୟୁର୍ବେଦ ପାଇଁ ଅନୁକୂଳ ପରିବେଶ ମଧ୍ୟ ସ୍ୱାସ୍ଥ୍ୟ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବ । ଆଜି ଉଦ୍ଘାଟିତ ହୋଇଥିବା ଜାମନଗର ଓ ଜୟପୁରର ଦୁଇଟିଯାକ ପ୍ରତିଷ୍ଠାନ ଏ ଦିଗରେ କାର୍ୟ୍ୟକରି ନିଜର ଯଥାର୍ଥତା ଓ ପ୍ରତିଷ୍ଠା ପ୍ରତିପାଦନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
ଆଇଟିଆରଏ, ଜାମନଗର: ନିକଟରେ ସଂସଦରେ ଏକ ଆଇନ ବଳରେ ଜାମନଗର ସ୍ଥିତ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆରଏ) ଗଠିତ ହୋଇଛି । ଏହି ଅନୁଷ୍ଠାନ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଭାବେ ଆତ୍ମପ୍ରକାଶ କରିବାକୁ ଆଗେଇ ଚାଲିଛି । ଆଇଟିଆରଏରେ ୧୨ଟି ବିଭାଗ, ୩ଟି କ୍ଲିନିକାଲ ଲ୍ୟାବ ଓ ୩ଟି ଗବେଷଣା ଲ୍ୟାବ ରହିଛି । ଏହି ଅନୁଷ୍ଠାନଟି ପାରମ୍ପରିକ ଔଷଧ ଓ ଚିକିତ୍ସା ପଦ୍ଧତିର ଗବେଷଣା କ୍ଷେତ୍ରରେ ଏକ ପ୍ରମୁଖ ପ୍ରତିଷ୍ଠାନ । ଏବେ ଏଠାରେ ୩୩ଟି ଗବେଷଣା ପ୍ରକଳ୍ପ ଚାଲିଛି । ଜାମନଗର ସ୍ଥିତ ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୪ଟି ଆୟୁର୍ବେଦ ପ୍ରତିଷ୍ଠାନକୁ ନେଇ ଆଇଟିଆରଏ ଗଠନ କରାଯାଇଛି । ଏହି ୪ଟିଯାକ ପ୍ରତିଷ୍ଠାନ ଗୋଟିଏ ବିଶ୍ୱବିଦ୍ୟାଳୟ ଅଧୀନରେ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛି । ଆୟୁଷ ମନ୍ତ୍ରଣାଳୟର ଏହା ପ୍ରଥମ ପ୍ରତିଷ୍ଠାନ, ଯାହା ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ (ଆଇଏନ୍‌ଆଇ)ର ମର୍ୟ୍ୟାଦା ପାଇଛି । ଆୟୁର୍ବେଦ ଶିକ୍ଷା କ୍ଷେତ୍ରରେ ନୂଆ ପାଠ୍ୟକ୍ରମ ପ୍ରଚଳନ ଓ ଏହାର ଉନ୍ନତି ବିଧାନ ନିମନ୍ତେ ଆଇଟିଆରଏକୁ ସ୍ୱୟଂଶାସନ କ୍ଷମତା ପ୍ରଦାନ କରାଯାଇଛି । ଏହି ପ୍ରତିଷ୍ଠାନ ଆୟୁର୍ବେଦ ଶିକ୍ଷାର ମାନ ବଢାଇବା ସହ ଆଧୁନିକ ଓ ଆନ୍ତର୍ଜାତିକ ମାନର ପାଠ୍ୟକ୍ରମ ପ୍ରଚଳନ କରିବ । ଆୟୁର୍ବେଦକୁ ସମସାମୟିକ ପ୍ରୋତ୍ସାହନ ଯୋଗାଇବା ପାଇଁ ଏହି ଅନୁଷ୍ଠାନ ମଧ୍ୟ ଆନ୍ତଃ ବିଭାଗୀୟ ସହଯୋଗଭିତ୍ତିରେ କାର୍ୟ୍ୟ କରିବ ।
ଏନ୍‌ଆଇଏ, ଜୟପୁର: ଆୟୁର୍ବେଦ କ୍ଷେତ୍ରରେ ଏହି ଅନୁଷ୍ଠାନଟି ସୁନାମ ସାରା ଦେଶରେ ରହିଛି । ଏହାକୁ ୟୁଜିସି ଡିମ୍‌ଡି ୟୁନିର୍ଭସିଟି ମାନ୍ୟତା ଦେବାପରେ ଏହାର ଗୁରୁତ୍ୱ ଅଧିକ ବଢିଯାଇଛି । ଏହି ଅନୁଷ୍ଠାନର ୧୭୫ ବର୍ଷର ଏକ ଲମ୍ବା ଐତିହ୍ୟ ରହିଛି । ଆୟୁର୍ବେଦର ମୌଳିକ ଓ ନିର୍ଭୁଲ ତଥ୍ୟ, ଦ୍ରବ୍ୟ, ଔଷଧ ପ୍ରସ୍ତୁତି ଏବଂ ପ୍ରୟୋଗ ଆଦି ନୀତିନିୟମ ଓ ପାଠ ସଂରକ୍ଷଣ କରିବା, ଏହାର ସମୃଦ୍ଧି ଏବଂ ଏହାକୁ ନିର୍ଭୁଲଭାବେ ପ୍ରୟୋଗ କରିବାର ବିଦ୍ୟା ପାଇଁ ଏହି ଅନୁଷ୍ଠାନର ସୁନାମ ଅଛି । ଏବେ ଏନଆଇଏରେ ୧୪ଟି ବିଭିନ୍ନ ବିଭାଗ ରହିଛି । ଏହି ଅନୁଷ୍ଠାନର ଛାତ୍ର ଓ ଶିକ୍ଷକ ଅନୁପାତ ମଧ୍ୟ ବହୁତ ଭଲ । ୨୦୧୯-୨୦ ଶିକ୍ଷା ବର୍ଷରେ ଏଠାରେ ୭୫ ଜଣ ଶିକ୍ଷକ ୯୫୫ ଜଣ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ କରୁଥିଲେ । ଆୟୁର୍ବେଦର ଅନେକ ପାଠ୍ୟକ୍ରମ ଏଠାରେ ପଢାଯାଉଛି । ସାର୍ଟିଫିକେଟ କୋର୍ସଠାରୁ ଡକ୍ଟରାଲ ସ୍ତର ପର୍ୟ୍ୟନ୍ତ ଏଠାରେ ପାଠ୍ୟକ୍ରମ ଓ ଶିକ୍ଷା ବ୍ୟବସ୍ଥା ଉପଲବ୍ଧ । ଏହି ଅନୁଷ୍ଠାନର ଲ୍ୟାବରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ଗବେଷଣା କ୍ଷେତ୍ରରେ ମଧ୍ୟ ଏହା ଏକ ଅଗ୍ରଗାମୀ ଅନୁଷ୍ଠାନ । ଏବେ ଏଠାରେ ୫୪ଟି ବିଭିନ୍ନ ଗବେଷଣା ପ୍ରକଳ୍ପ ଚାଲିଛି । ୟୁଜିସି ଏହାକୁ ଡିମ୍‌ଡି ୟୁନିର୍ଭସିଟି ମାନ୍ୟତା ପ୍ରଦାନ କରିବା ଫଳରେ ଏହି ଜାତୀୟ ପ୍ରତିଷ୍ଠାନଟି ଉଚ୍ଚମାନ, ସ୍ୱାସ୍ଥ୍ୟସେବା ଓ ଯତ୍ନ, ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଆୟୁର୍ବେଦକୁ ନୂଆ ଶିଖରରେ ପହଞ୍ଚାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.

four × five =