ଏନ୍‌ଏଚ୍‌ଆର୍‌ସିର ଦୁଇ ସପ୍ତାହର ଅଳ୍ପକାଳୀକ ଇଣ୍ଟର୍ନସିପ୍ ସମ୍ପନ୍ନ

  • କାର୍ଯ୍ୟବାହୀ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ଭାରତୀ ସୟାନୀ ପ୍ରଶିକ୍ଷାର୍ଥୀମାନଙ୍କୁ ମାନବାଧିକାରର ରକ୍ଷକ ହେବା ସହ ସମାଜର ଦୁର୍ବଳ ବର୍ଗଙ୍କ ଚିନ୍ତା ଦୂର କରିବା ଦିଗରେ ପ୍ରୋତ୍ସାହିତ କଲେ
  • ସମଗ୍ର ଦେଶରୁ ୭୭ ଜଣ ଛାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଦ୍ୱାରା ଆୟୋଜିତ ଦୁଇ ସପ୍ତାହର ଅନଲାଇନ ଅଳ୍ପକାଳୀକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ୧୭ ସେପ୍ଟେମ୍ବର ୨୦୨୪ରେ ଏହା ଆରମ୍ଭ ହୋଇଥିଲା । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଦୂରଦୂରାନ୍ତର ତଥା ଆଭ୍ୟନ୍ତରୀଣ ଅଞ୍ଚଳର ୭୭ ଜଣ ଛାତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନ୍‌ଲାଇନ୍‌ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ପ୍ରଶିକ୍ଷର୍ଥୀମାନଙ୍କୁ ଏଥିରେ ଭାଗ ନେବାକୁ ଦିଲ୍ଲୀ ଯାତ୍ରା କରିବା କିମ୍ବା ଅନ୍ୟ ସମ୍ବନ୍ଧିତ ଖର୍ଚ୍ଚର ଭାର ବହନ କରିବାକୁ ପଡ଼ିନଥିଲା । ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ଉଦ୍‌ବୋଧନ ଦେଇ ଏନ୍‌ଏଚ୍‌ଆର୍‌ସିର କାର୍ଯ୍ୟବାହୀ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ଭାରତୀ ସୟାନୀ ସମାଜର ଦୁର୍ବଳ ବର୍ଗଙ୍କ ଅଧିକାର ଗୁରୁତ୍ୱ ଦେବା ଏବଂ ସେମାନଙ୍କ ରକ୍ଷା ଲାଗି ପ୍ରଶିକ୍ଷାର୍ଥୀମାନଙ୍କୁ ମାନବାଧିକାର ରକ୍ଷକ ଭାବେ କାମ କରିବାକୁ ଯୋଗ୍ୟ ହେବାକୁ ପ୍ରୋତ୍ସାହିତ କରିଥିଲେ । ଦୁର୍ବଳ ବର୍ଗର ଲୋକଙ୍କ ସମ୍ମୁଖରେ ଆସୁଥିବା ବିଭିନ୍ନ ସମସ୍ୟାକୁ ବୁଝିବା ଏବଂ ଏସବୁର ଦୂର କରିବା ଦିଗରେ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏନ୍‌ଏଚ୍‌ଆର୍‌ସିର ଲକ୍ଷ୍ୟ ବାବଦରେ ସେ କହିଥିଲେ, ଆୟୋଗ ମାନବାଧିକାର ରକ୍ଷାର ମହତ୍ତ୍ୱ ବାବଦରେ ଛାତ୍ରମାନଙ୍କୁ ସମ୍ବେଦନଶୀଳ ବନାଇବାକୁ ଏଭଳି ଇଣ୍ଟର୍ନସିପ୍ ଆୟୋଜନ ସକାଶେ ପ୍ରତିବଦ୍ଧ । ଏହା ପୂର୍ବରୁ ଏନ୍‌ଏଚ୍‌ଆର୍‌ସିର ମହାସଚିବ ଭରତ ଲାଲ ପ୍ରଶିକ୍ଷାର୍ଥୀମାନଙ୍କୁ ସଫଳତାପୂର୍ବକ ଇଣ୍ଟର୍ନସିପ୍ ଶେଷ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ଇଣ୍ଟର୍ନସିପ୍ ଅବସରରେ ମିଳିଥିବା ଜ୍ଞାନକୁ ବ୍ୟବହାର କରି ମାନବାଧିକାରର ସର୍ବୋତ୍ତମ ସୁରକ୍ଷା ଦିଗରେ ତାହାର ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ । ଲୋକଙ୍କର ନିସ୍ୱାର୍ଥ ସେବା ସକାଶେ ଜୀବନକୁ ଉତ୍ସର୍ଗ କରିଥିବା ମହାତ୍ମା ଗାନ୍ଧୀ, ନେଲସନ୍ ମାଣ୍ଡେଲା ଏବଂ ମାର୍ଟିନ ଲୁଥର କିଙ୍ଗଙ୍କ ଭଳି ମାନବାଧିକାର ରକ୍ଷକଙ୍କ ଜୀବନୀ ଓ କାର୍ଯ୍ୟରୁ ପ୍ରେରଣା ନେବାକୁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ । ଇଣ୍ଟର୍ନସିପ୍ ଅବସରରେ ଶିଖା ଯାଇଥିବା ମାନବାଧିକାର ମୂଲ୍ୟ ଏବଂ ସିଦ୍ଧାନ୍ତକୁ ପାଳନ କରି ସମାଜରେ ଆଣିହେଉଥିବା ସକରାତ୍ମକ ପରିବର୍ତ୍ତନ ବାବଦରେ ବିଚାର କରିବାକୁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ଏନ୍‌ଏଚ୍‌ଆର୍‌ସିର ସଂଯୁକ୍ତ ସଚିବ ଦେବେନ୍ଦ୍ର କୁମାର ନିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବା, ପୁସ୍ତକ ସମୀକ୍ଷା, ଗ୍ରୁପ୍ ରିସର୍ଚ୍ଚ ପ୍ରୋଜେକ୍ଟ ଉପସ୍ଥାପନ ଆଦିର ବିଜେତାଙ୍କ ନାମ ଘୋଷଣା କରିଥିଲେ । ସମାରୋହର ଉଦଯାପନ ଲେଫ୍ଟନାଣ୍ଟ କର୍ଣ୍ଣେଲ ବୀରେନ୍ଦ୍ର ସିଂହଙ୍କ ଧନ୍ୟବାଦ ଜ୍ଞାପନ ସହ ହୋଇଥିଲା । ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ସମଗ୍ର ଭାରତରେ ମାନବାଧିକାର ରକ୍ଷା ଦିଗରେ କାର୍ଯ୍ୟ କରୁଛି । ଏହାର ସଚେତନତା କାର୍ଯ୍ୟକ୍ରମରେ ବିସ୍ତାର ପାଇଁ ଏହା ଉଭୟ ଅନଲାଇନ ଓ ଅଫଲାଇନ୍‌ କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରବର୍ତ୍ତୀ ପିଢ଼ିର ମାନବାଧିକାର କର୍ମୀ ମାନଙ୍କୁ ମାନବାଧିକାର ଶିକ୍ଷାରେ ସଶକ୍ତ କରିବାକୁ ଏନ୍‌ଏଚ୍‌ଆର୍‌ସିର ପ୍ରଚେଷ୍ଟାରେ ପ୍ରତିବଦ୍ଧତା ସ୍ପଷ୍ଟ ।

Leave A Reply

Your email address will not be published.