jayashree

ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଏନସିସି ତାଲିମ ସଂକ୍ରାନ୍ତ ମୋବାଇଲ ଆପର ଶୁଭାରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାନିର୍ଦ୍ଦେଶକ (ଡିଜି ଏନସିସି) ମୋବାଇଲ ଟ୍ରେନିଂ ଆପର ଶୁଭାରମ୍ଭ କରିଛନ୍ତି । ଏହି ଆପ ଜରିଆରେ ଦେଶବ୍ୟାପୀ ସମର ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ତାଲିମ ପ୍ରଦାନ କରାଯାଇପାରିବ ।
କୋଭିଡ-୧୯ ଯୋଗୁଁ ଦେଶବ୍ୟାପୀ କଟକଣା ଜାରି ଯୋଗୁଁ ଏନସିସି ତାଲିମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ନିକଟ ଭବିଷ୍ୟତରେ ଖୋଲା ହେବା ସମ୍ଭାବନା ଖୁବ କମ ଥିବାରୁ ଏନସିସି କ୍ୟାଡେଟମାନଙ୍କୁ ଅନଲାଇନ ଯୋଗେ ତାଲିମ ପ୍ରଦାନ କରିବା ଆବଶ୍ୟକତା ଉପୁଜିଛି । ଏହି ଅବସରରେ ରକ୍ଷାମନ୍ତ୍ରୀ ଏନସିସି କ୍ୟାଡେଟମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କଥାବାର୍ତ୍ତା ହେବା ସହ ସେମାନଙ୍କ ପ୍ରଶ୍ନଗୁଡିକର ଉତ୍ତର ଦେଇଥିଲେ । ସମର ଶିକ୍ଷାର୍ଥୀମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ନେଇ ସେ କାମନା କରିଥିଲେ ।
ଆପର ଉଦ୍ଘାଟନ କାଳରେ ଉଦବୋଧନ ଦେଇ ସେ କହିଲେ ଯେ, କୋଭିଡ-୧୯ ଯୋଗୁଁ ପରସ୍ପର ସହ ବ୍ୟକ୍ତିଗତ ଯୋଗାଯୋଗ କଟକଣା ଦୃଷ୍ଟିରୁ ଏହି ଆପ ସେମାନଙ୍କ ପାଇଁ ବିଭିନ୍ନ ବିଷୟ ଶିଖିବାରେ ସହାୟକ ହେବ । ଜଣେ ଆତ୍ମବିଶ୍ଵାସ ଓ ସଂକଳ୍ପବଦ୍ଧ ହୋଇ ଆଗକୁ ଚାଲିଲେ ସେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସଫଳତାର ଶୀର୍ଷକୁ ପହଞ୍ଚିପାରିବ । କୋଭିଡ ବୈଶ୍ଵିକ ମହାମାରୀ କାଳରେ କରୋନା ସମ୍ମୁଖ ଯୋଦ୍ଧା ଭାବେ କାର୍ୟ୍ୟ କରିଥିବା ଲକ୍ଷାଧିକ ସମର ଶିକ୍ଷାର୍ଥୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏନସିସି, ଏକଟା, ଶ୍ରୁଙ୍ଖଳା ଓ ଦେଶ ସେବାର ମନ୍ତ୍ର ଦେଇଥାଏ । ଏନସିସି କ୍ୟାଡେଟ ଭାବେ କାର୍ୟ୍ୟ କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଏୟାର ମାର୍ଶଲ ଅର୍ଜନ ସିଂ, କ୍ରୀଡାବିତ ଅଞ୍ଜଳି ଭାଗବତ, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଓ ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକର ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ନିଜେ ରକ୍ଷାମନ୍ତ୍ରୀ ମଧ୍ୟ ଜଣେ ଏନସିସି କ୍ୟାଡେଟ ଥିଲେ । ଡିଜି ଏନସିସି ମୋବାଇଲ ତାଲିମ ଆପ ଏନସିସି କ୍ୟାଡେଟମାନଙ୍କୁ ସମସ୍ତ ତାଲିମ ସାମଗ୍ରୀ (ସିଲାବସ, ପ୍ରେସି, ତାଲିମ ଭିଡିଓ ଓ ବାରମ୍ବାର ପଚାରା ଯାଉଥିବା ପ୍ରଶ୍ନ) ଗୋଟିଏ ପ୍ଲାଟଫର୍ମରେ ପ୍ରଦାନ କରିଥାଏ । ଏହି ଆପରେ ପ୍ରଶ୍ନ ପଚାରିବା ବ୍ୟବସ୍ଥା ଯୋଗୁଁ ଓ ଏହା ପାରସ୍ପାରିକ ଆଲୋଚନାର ମଧ୍ୟ ସୁବିଧା ପ୍ରଦାନ କରିଥାଏ । ଏହି ଅପସନର ବ୍ୟବହାର କରି ଜଣେ କ୍ୟାଡେଟ ତାହାର ପ୍ରଶ୍ନ ପଚାରିପାରିବ ଏବଂ ଏକ ପ୍ରଶିକ୍ଷିତ ବ୍ୟକ୍ତିମାନେ ତାହାର ଉତ୍ତର ଦେଇପାରିବେ । ଏନସିସି ତାଲିମ ପାଇଁ ଏହି ଆପ ଏକ ସ୍ଵୟଂକ୍ରିୟ ବ୍ୟବସ୍ଥା ଭାବେ କାର୍ୟ୍ୟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭିଜନ ଲକ୍ଷ୍ୟକୁ ମଧ୍ୟ ସାକାର କରିପାରିବ ।
ପ୍ରତିରକ୍ଷା ସଚିବ ଡଃ ଅଜୟ କୁମାର, ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୋପ୍ରା, ମନ୍ତ୍ରଣାଳୟର ଅନ୍ୟାନ୍ୟ ବେସାମରିକ ଓ ସାମରିକ ପଦାଧିକାରୀମାନେ ଏହି ଅବସରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.